ଭୁବନେଶ୍ଵର: ଆସିଛି ଆଲୋକର ପର୍ବ ଦୀପାବଳି। ମଧ୍ୟରାତ୍ରୀରେ ଧରାବତରଣ କରିବେ ମା’କାଳୀ । ମନ୍ଦିରରୁ ମଣ୍ଡପ ସବୁଠି ବହୁ ଧୁମଧାମରେ ଚାଲିଛି ମା’ଙ୍କ ଆରାଧନା ପାଇଁ ପ୍ରସ୍ତୁତି। ବିଶ୍ବାସ ରହିଛି, ମା’ କାଳୀଙ୍କ ପୂଜା କଲେ ନିଜ ଭିତରୁ ଓ ଚାରିପାଖରୁ ନକାରାତ୍ମକ ଶକ୍ତି ସବୁ ଦୂର ହୋଇ ସକାରାତ୍ମକ ଶକ୍ତିରେ ମନ ଓ ପରିବେଶ ଭରିଯାଏ। ସେହିପରି ଭାରତର ଅଧିକାଂଶ ରାଜ୍ୟରେ ଦୀପାବଳି ଅମାବାସ୍ୟାରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ହେଲେ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆସାମରେ ଦେବୀ କାଳୀଙ୍କୁ ଏହି ଦିନ ପୂଜା କରାଯାଇଥାଏ।
ମା କାଳୀଙ୍କୁ ଦୁଇଟି ଉପାୟରେ ପୂଜା କରାଯାଏ, ଗୋଟିଏ ସାଧାରଣ ଏବଂ ଅନ୍ୟଟି ହେଉଛି ତନ୍ତ୍ର ପୂଜା। ଯେକେହି ସାଧାରଣ ପୂଜା କରିପାରିବେ। ବିଶେଷତ ମାତା କାଳୀଙ୍କ ସାଧାରଣ ପୂଜାରେ ୧୦୮ ନାଲି ମନ୍ଦାର ଫୁଲ, ୧୦୮ ବେଲପତ୍ର , ୧୦୮ ମାଟି ଦୀପ ଏବଂ ୧୦୮ ଦୁବ ଅର୍ପଣ କରିବାର ପରମ୍ପରା ଅଛି। ଏହା ସହିତ ମୌସୁମୀ ଫଳ, ମିଠା, ଖିଚିଡି, ଖିରି, ପିଠା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ଖାଦ୍ୟ ମଧ୍ୟ ମା’ଙ୍କୁ ଭୋଗ ଦିଆଯାଏ। ଏହି ପୂଜା ପଦ୍ଧତିରେ ସକାଳରୁ ରାତି ପର୍ଯ୍ୟନ୍ତ ଉପବାସରେ ରହିବାକୁ ପଡେ।
ଅମାବାସ୍ୟାର ଅମା ଅନ୍ଧକାରରେ ମା’ ଅଵତରଣ କରି ସାରା ମାନବ ସମାଜକୁ ଆଲୋକ ଆଡକୁ ନେଇଥାଆନ୍ତି ଵୋଲି ସନାତନ ଧର୍ମରେ ବିଶ୍ଵାସ ରହିଛି। ତେଣୁ ଏହି ଦିନରେ ମା’ଙ୍କୁ ଆରାଧନା କରି ନିଜ ନିଜ ଭିତରେ ଥିବା ଅନ୍ଧକାରକୁ ଦୁରେଇ ଦେଵା ପାଇଁ ମା’ କାଳୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିଥାଏ।
ସେପଟେ ଭଦ୍ରକରେ ପ୍ରସିଦ୍ଧ କାଳୀପୂଜା ପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ମା’ଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମା’ ଭଦ୍ରକାଳୀଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପୀ ସପ୍ତମାତୃକା ବେଶରେ ମା’ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ବଶାନ୍ତି ମହାଯଜ୍ଞ କରାଯିବ । ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ ହେଉଛି ବେଦମାତା, ମହାକାଳୀ, ରାଜରାଜେଶ୍ୱରୀ, ସିଂହବାହିନୀ, ଜଗଦ୍ଧାତ୍ରୀ, ମହାସରସ୍ବତୀ ଓ ମହାଲଷ୍ମୀ ବେଶ ।