Latest Odisha News

BREAKING NEWS

ଓଡ଼ିଶାରେ ଶାହ କଲେ ନବୀନଙ୍କ ପ୍ରଶଂସା, ଦିଲ୍ଲୀରେ ପିନାକୀ କଲେ ମୋଦୀଙ୍କ ପ୍ରଶଂସା

ଦୁଇ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ବଢ଼ିଲା ଦ୍ବନ୍ଦ୍ବ

ଭୁବନେଶ୍ୱର: ପଲ୍ଲୀରେ ବିଜେଡି-ବିଜେପି କର୍ମୀ ଓ ନେତା ପରସ୍ପରକୁ ଟାର୍ଗେଟ କରିବାକୁ ଯାଇ ମାରପିଟ ହେଉଥିବାର ନଜିର ରହିଛି। ଏବେ କିନ୍ତୁ ଦୁଇ ଦଳର ନେତା ପ୍ରତିପକ୍ଷ ଦଳର ନେତାଙ୍କୁ ପ୍ରଶଂସା କରିବା ଜାତୀୟ ରାଜନୀତିରେ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଅମିତ ଶାହ ଭୁବନେଶ୍ବର ଗସ୍ତରେ ଆସି ନବୀନ ସରକାରଙ୍କୁ ପ୍ରଶଂସାରେ ପୋତିପକାଇଥିଲେ। ଆଉ ଏହାର ଜବାବରେ ବୋଧହୁଏ ସଂସଦରେ ଯେତେବେଳେ ମୋଦୀ ସରକାର ମଣିପୁର ନିର୍ଯାତନା ପ୍ରସଙ୍ଗରେ ବିରୋଧୀଙ୍କ ଦ୍ୱାରା ସମାଲୋଚନାର ଶିକାର ହେଉଛନ୍ତି ସେହି ସମୟରେ ପୁରୀ ସାଂସଦ ପିନାକୀ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ସମ୍ପର୍କକୁ ଆଉ ଟିକିଏ ମଜବୁତ କରିଥିବା କୁହାଯାଉଛି।

ଗତକାଲି ସଂସଦରେ ଅନାସ୍ଥା ପ୍ରସ୍ତାବରେ ଆଲୋଚନାରେ ଭାଗ ନେବା ବେଳେ ପିନାକୀ ମିଶ୍ର କହିଥିଲେ, କେନ୍ଦ୍ର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ହେଲେ ଏହାକୁ ତାଙ୍କ ଦଳ ସମର୍ଥନ କରିବ ନାହିଁ। କାରଣ ଓଡ଼ିଶା ପାଇଁ କେନ୍ଦ୍ର ସରକାର ଅନେକ କିଛି କରିଛନ୍ତି। ତେଣୁ ତାଙ୍କ ଦଳ ଏହି ପ୍ରସ୍ତାବକୁ ବିରୋଧ କରୁଛି ବୋଲି ସେ କହିଛନ୍ତି। କିନ୍ତୁ ତାଙ୍କ ଦଳ ଓଡ଼ିଶାରେ ବିଜେପିର ପ୍ରମୁଖ ପ୍ରତିଦ୍ବନ୍ଦୀ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ସମୟରେ ବିଜେଡି ରାଜ୍ୟରେ ଓ ଦିଲ୍ଲୀରେ କେନ୍ଦ୍ର ଅବହେଳାର ପ୍ରସଙ୍ଗ ଉଠାଇ ସରକାରକୁ ଘେରିଛି। ଏପରି ସ୍ଥିତିରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ କରିଛି ବୋଲି ବିଜେଡି ସାଂସଦ କହିବା ଦଳର ଅନେକ ନେତା ଓ କର୍ମୀଙ୍କୁ ଦ୍ବନ୍ଦ୍ବରେ ପକାଇଛି।

ଅନ୍ୟପଟେ ସମଦୂରତା କଥା କହି ବିଜେପି ଓ କଂଗ୍ରେସ ଦଳ ବାବଦରେ ନିଜର ଆଭିମୁଖ୍ୟକୁ ସ୍ପଷ୍ଚ କରୁଥିବା ବିଜେଡି ହଠାତ ଏନଡିଏ ବା ମୋଦୀ ସରକାର ପ୍ରତି ଢଳିବା ଜାତୀୟ ରାଜନୀତିରେ ବଡ ବିତର୍କ ପାଲଟିଛି। ଯାହାକୁ ନେଇ ଟିଏମସି, ଆପ ସମାଲୋଚନା କରିବା ସହିତ ସୁବିଧାବାଦୀ ବୋଲି କହିବାକୁ ପଛାଇ ନାହାନ୍ତି।

ଅନ୍ୟପଟେ ବିଜେଡିର ବିଧାୟକ ତଥା ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଆମେ କୌଣସି ପ୍ରକାର କମ୍ପ୍ରମାଇଜ ବା ସାଲିସ କରିନାହୁଁ ବୋଲି କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡି କେନ୍ଦ୍ର ନିକଟରେ ନିଜର ହକ ଜାହିର କରିବ।

ସେହିପରି ବିଜେପିର ବରିଷ୍ଠ ନେତା ଖାରବେଳ ସ୍ବାଇଁ କହିଛନ୍ତି, ଯେଉଁଭଳି ଭାବେ ବିଜେଡି ଓ ବିଜେପିର ହାବଭାବ ରହିଛି ତାହା ତାଙ୍କୁ ନିଜକୁ ଦ୍ବନ୍ଦ୍ବରେ ପକାଇନାହିଁ ବରଂ ଦଳର କର୍ମୀଙ୍କୁ ମଧ୍ୟ ଅଡୁଆରେ ପକାଇଛି। ଆଗକୁ ନିର୍ବାଚନ ଥିବା ବେଳେ କେଉଁ ପ୍ରସଙ୍ଗରେ ଭୋଟ୍ ମାଗିବେ ସେ ନେଇ ଦ୍ବନ୍ଦ୍ବରେ ଅଛନ୍ତି ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ଯ, ନିକଟରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ବିଜେପି ନେତାଙ୍କୁ ବିଜେଡି ବିରୋଧରେ ଜନ ଆନ୍ଦୋଳନ ଜାରି ରଖିବାକୁ କହିଥିବା ସୂଚନା ରହିଛି। ପଞ୍ଚାୟତରୁ ଭୁବନେଶ୍ବର ଦୁର୍ନୀତିକୁ ପ୍ରସଙ୍ଗ କରିବାକୁ ଆହ୍ବାନ କରିଥିବା ବିଜେପି ନେତା କହିଛନ୍ତି।

ତେବେ ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ତଥା ତତ୍କାଳୀନ ବିଜେପି ସଭାପତି ଅମିତ ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ସରକାରକୁ ପ୍ରଶଂସା କରିଥିଲେ। ଯିଏକି ଏକଦା ନବୀନ ସରକାରକୁ ପୋଡା ଟ୍ରାନ୍ସଫର କହି ସମାଲୋଚନା କରିଥିଲେ।

Leave A Reply

Your email address will not be published.