Latest Odisha News

BREAKING NEWS

ଶାମ୍ବଦଶମୀରେ ବାରିପଦାର ପାରମ୍ପରିକ ସୂର୍ଯ୍ୟପୂଜା ଅନୁଷ୍ଠିତ

ବାରିପଦା: ସାରା ଓଡ଼ିଶାରେ ପବିତ୍ର ଶାମ୍ବଦଶମୀ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ବିଗତ ୫୦ ବର୍ଷ ଧରି ଆୟୋଜିତ ହେଉଥିବା ସୂର୍ଯ୍ୟପୂଜା ଭକ୍ତି ସହକାରେ ଅନୁଷ୍ଠିତ ହୋଇଛି ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ବାରିପଦା ସହରସ୍ଥିତ ବାଘଡା ରୋଡ ପୂଜା କମିଟି ଆନୁକୂଲ୍ୟରେ ଆଜି ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଯାଇଛି। ଶାମ୍ବ ଦଶମୀ ତିଥିରେ ଭଗବାନ ସୂର୍ଯ୍ୟ ଦେବଙ୍କ ରଥାରୂଢ଼ ପ୍ରତିମୂର୍ତ୍ତିକୁ ଏଠାରେ ପୂଜା କରାଯାଇଥାଏ। ବାରିପଦାରେ ଏହି ପୂଜା ଦୀର୍ଘ ୫୦ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ସକାଳେ ବୁଢ଼ାବଳଙ୍ଗ ଏବଂ ଚିପଟ ନଦୀର ସଙ୍ଗମ ସ୍ଥଳରୁ ଘଟ ଉତ୍ତୋଳନ କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ପୁଜାସ୍ଥଳକୁ ଅଣାଯାଇଥିଲା। ପୂଜକ ଅରୁଣ କୁମାର ମିଶ୍ରଙ୍କ ନେତୃତ୍ୱରେ ପୂଜକ ଦଳ  ମଣ୍ଡପରେ ପୂଜା ଆରମ୍ଭ କରିଥିଲେ। ହୋମ ଯଜ୍ଞ ହେବା ସହ ବହୁ ଭକ୍ତ ଏଠାରେ ମାନସିକ ପୂଜା କରିଥିଲେ। 

ପୁରାଣ ଅନୁସାରେ , ଶ୍ରୀକୃଷ୍ଣ ନିଜ ପୁତ୍ର ଶାମ୍ବଙ୍କୁ କୁଷ୍ଠ ରୋଗରୁ ମୁକ୍ତ କରିବା ଲାଗି ସୂର୍ଯ୍ୟଙ୍କୁ ଆରାଧନା କରିବା ପାଇଁ ପରାମର୍ଶ ଦେଇଥିଲେ।  ଏଥିଯୋଗୁ ଶାମ୍ବ ଚନ୍ଦ୍ରଭାଗାଠାରେ ସୂର୍ଯ୍ୟଙ୍କୁ ଆରାଧନା କରି ରୋଗମୁକ୍ତ ହୋଇଥିଲେ। ସେହିଦିନଠାରୁ ସୂର୍ଯ୍ୟଙ୍କୁ କୋଣାର୍କରେ ପୂଜା କରାଯାଏ। ପରମ୍ପରା ଅନୁସାରେ ବହୁ ଭକ୍ତ ନିଜ ପୁତ୍ରଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରି ଏଠାରେ ମାନସିକ ପୂଜା କରିଥାନ୍ତି। ଏହା ସହ ଏଠାକାର ନୀତି ଅନୁଯାୟୀ  ଠାକୁରଙ୍କ ପାଖରେ କ୍ଷୀରି ଓ ପୁରି ଭୋଗ ଲଗାଇ ଉପସ୍ଥିତ ଲୋକମାନଙ୍କୁ ବଣ୍ଟା ଯାଇଥିଲା।

ଶାମ୍ବ ଦଶମୀ ତିଥିରେ ପ୍ରାତଃ ସ୍ନାନ କରି ମିତ୍ରାଦିତ୍ୟଙ୍କ ରଥକୁ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହ ପୁର୍ନଜନ୍ମ ହୋଇ ନ ଥାଏ ବୋଲି କପିଳ ସଂହିତାରେ ଉଲ୍ଲେଖ ରହିଛି। ଏହି ପୂଜା ମଣ୍ଡପରେ ୭ଟି ଘୋଡା ଓ ସାରଥିଙ୍କ ରଥରେ ସୂର୍ଯ୍ୟ ଦେବ ରଥାରୂଢ଼ ହୋଇ ଦର୍ଶନ ଦେଉଛନ୍ତି। ଏହି ପୂଜା ଆଜି ଠାରୁ ୭ଦିନ ପର୍ଯ୍ୟନ୍ତ ଚାଲିବ। ସନ୍ଧ୍ୟାରେ ଭକ୍ତମାନଙ୍କୁ ଖେଚୁଡି ଭୋଗ ପ୍ରଦାନ କରାଯାଇଛି।

Leave A Reply

Your email address will not be published.