Latest Odisha News

BREAKING NEWS

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ଶଙ୍କରାଚାର୍ଯ୍ୟ

ପୁରୀ: ଆସନ୍ତା ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ସେଥିପାଇଁ ଚଳଚଞ୍ଚଳ ଏବେ ପୁରା ଦେଶ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବେ । । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ହାତରେ ରାମଲାଲାଙ୍କ ମୂର୍ତ୍ତିକୁ ଗର୍ଭଗୃହରେ ସିଂହାସନରେ ବିରାଜମାନ କରାଇବେ । କିନ୍ତୁ ଏହାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ବିରୋଧ କରିଛନ୍ତି ଏବଂ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଶଙ୍କରାଚାର୍ଯ୍ୟ କହିଛନ୍ତି ଯେ, ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ । ପ୍ରଧାନମନ୍ତ୍ରୀ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ସାମିଲ୍ ହେବେ ମୂର୍ତ୍ତିକୁ ଛୁଇଁ ସମସ୍ତ କାର୍ଯ୍ୟ କରିବେ ତେବେ ମୁଁ ସେଠାରେ କଣ କରିବି ? ମୁଁ ସେଠାରେ କଣ ଜୟଜୟକାର କରି ତାଳି ମାରିବି ? ମୋ ପଦର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ଶାସ୍ତ୍ରର ନିୟମ ଅନୁଯାୟୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହୋଇଥିଲେ ମୁଁ ନିଶ୍ଚେ ଯାଇଥାନ୍ତି । ତେବେ ଏ ପ୍ରକାର ଆୟୋଜନକୁ ମୁଁ ଯିବି ନାହିଁ ।

କେବଳ ସେତିକି ନୁହେଁ ଶଙ୍କରାଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ନିମନ୍ତ୍ରଣ ପତ୍ରରେ ଲେଖା ଅଛି କି, ଆପଣଙ୍କ ସହ ଜଣେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏବେ ସୁଦ୍ଧା ମୋ ସହ କୌଣସି ସମ୍ପର୍କ ହୋଇନାହିଁ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯେଉଁଭଳିଭାବେ ରାଜନୀତି ହେଉଛି ଏଭଳି ହେବା ଉଚିତ ନୁହେଁ । ଏହାସହ ଧର୍ମସ୍ଥଳ ଗୁଡିକୁ ଯେଭଳି ନବୀନକରଣ କରାଯାଇ କରିଡର ବନାଯାଉଛି ତାକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ।

 

Leave A Reply

Your email address will not be published.