Latest Odisha News

ଦିଗବିଜୟଙ୍କୁ ଶିବରାଜ ଜବାବ: କଂଗ୍ରେସର ଡିଏନଏରେ ପାକିସ୍ତାନ ପ୍ରୀତି ରହିଛି

ନୂଆଦିଲ୍ଲୀ: କଂଗ୍ରେସ ନେତା ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇବା ପରେ ଏହାକୁ ନେଇ ବିବାଦ ଘନଉଛି । ଦିଗବିଜୟ ସିଂ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗି ସରକାର ମିଛ କହୁଛନ୍ତି ବୋଲି ଅଭିଯୋଗ କରିଥିବାବେଳେ ବିଜେପି ଏହାର ଜବାବ ରଖିଛି।

ମଧ୍ୟପ୍ରେଦଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦିଗବିଜୟଙ୍କୁ କଟାକ୍ଷ କରି କହିଥିଲେ, ଭାରତ ଯୋଡୋ ଯାତ୍ରାବେଳେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗୁଛ ? ଏହି ଯାତ୍ରାରେ ଛୋଟ ଛୋଟ ଦଳ ତାଙ୍କ ସାଥୀରେ ଚାଲୁଛନ୍ତି । ରାହୁଲ ଗାନ୍ଧି ପ୍ରଶ୍ନ କରୁଛନ୍ତି, ସେନା ଦୁ୍ର୍ବଳ ହୋଇଗଲେଣି । ଏହା ଦେଶ ଭକ୍ତି ନୁହେଁ । ଏହା କ’ଶ ଭାରତ ଯୋଡୋ ଯାତ୍ରା ବି ବୋଲି ଶିବରାଜ ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି ।

ଶିବରାଜ ସିଂହ ଚୌହାନ ମଙ୍ଗଳବାର ମିଡିଆ ସହ ଆଲୋଚନା ସମୟରେ କହିଛନ୍ତି, କଂଗ୍ରେସର ଡିଏନଏରେ ପାକିସ୍ତାନ ରହିଛି । କେତେବେଳେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗୁଛନ୍ତି । କେତେବେଳେ ଭଗବାନ ରାମଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି । ଦିଗବିଜୟ ପାକିସ୍ତାନ ସପକ୍ଷରେ ଛିଡା ହୋଇଛନ୍ତି । ତେବେ କଂଗ୍ରେସ ସେନାର ମନୋବଳ ଭାଙ୍ଗିଲା ପରି କାମ ନ କରୁ ବୋଲି ଶିବରାଜ କହିଛନ୍ତି ।

ସୂଚନାଥାଉ କି, କଂଗ୍ରେସର ଭାରତ ଯୋଡ ଯାତ୍ରା ଅବସରରେ ସୋମବାର ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ଦିଗବିଜୟ ସିଂ ଅଭିଯୋଗ କରିଥିଲେ,  ଶ୍ରୀନଗରରୁ ଦିଲ୍ଲୀକୁ ସିଆରପିଏଫ ଯବାନଙ୍କୁ ବିମାନ ଜରିଆରେ ଆଣିବାକୁ ସରକାର ସିଆରପିଏଫର ଅନୁରୋଧରେ ରାଜି ହୋଇନଥିଲେ। ତେଣୁ ୨୦୧୯ରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ପ୍ରାଣ ହରାଇଥିଲେ। ଅନ୍ୟପକ୍ଷେ ମୋଦୀ ସରକାର ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍ ବିଷୟରେ କହୁଛନ୍ତି, ସେମାନେ ଅନେକ ଲୋକଙ୍କୁ ହତ୍ୟା କରିବା ବିଷୟରେ ଆଲୋଚନା କରୁଛନ୍ତି। କିନ୍ତୁ ଏହାର କୌଣସି ପ୍ରମାଣ ଦେଇ ନାହାଁନ୍ତି। ମିଛ କଥା କହି ସେମାନେ ଶାସନ କରୁଛନ୍ତି।

ଦିଗବିଜୟଙ୍କ ଏପରି ମନ୍ତବ୍ୟକୁ ନେଇ ବିଜେପି କଡା ସମାଲୋଚନା କରିଥିବାବେଳେ କଂଗ୍ରେସ ଏହି ବିବାଦରୁ ନିଜକୁ ଦୂରେଇ ରଖିଛି। ଦଳ କହିଛି, ଏହା ଦିଗବିଜୟଙ୍କ ନିଜର ମତ ଏବଂ ଦଳର ଆଭିମୁଖ୍ୟ ପ୍ରତିଫଳିତ କରୁନାହିଁ। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଦିଗବିଜୟ ସିଂଙ୍କ ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ମତ ଏବଂ ଦଳ ଏହାକୁ ସମର୍ଥନ କରୁନାହିଁ। ଏପରିକି ରାହୁଲ ଗାନ୍ଧି ନିଜେ କହିଛନ୍ତି, ବରିଷ୍ଠ ନେତାଙ୍କର ଏହି ବୟାନରେ ସେ ସହମତ ନୁହଁନ୍ତି । ସେ କହିଛନ୍ତି, ଦିଗବିଜୟ ସିଂ ଯାହା କହିଛନ୍ତି ତାହା କଂଗ୍ରେସର ବିଚାର ନୁହେଁ ।

 

Leave A Reply

Your email address will not be published.