Latest Odisha News

ଚଳଚଞ୍ଚଳ ଶକ୍ତିପୀଠ, ମା’ ରାମଚଣ୍ଡୀଙ୍କ ପୀଠରେ ଷୋଡଶ ଉପଚାର ବିଧି

ପୁରୀ: ନବରାତ୍ରୀ ପାଇଁ ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ । ବିଭିନ୍ନ ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା। ପୁରୀ ଜିଲ୍ଲା କୋଣାର୍କ ବେଳାଭୂମି ମାର୍ଗରେ କାହିଁ କେତେ କାଳରୁ ପୂଜା ପାଇ ଆସୁଛନ୍ତି ମା ରାମଚଣ୍ଡୀ | କିମ୍ବଦନ୍ତୀ କୁହେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ ସମୟରେ ମାଁ ଙ୍କୁ ଏଠାରେ ପ୍ରତିଷ୍ଠା କରି ଏହିଠାରୁ ଯାତ୍ରା ଆରମ୍ଭ କରିଥିଲେ | ଏଠାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ ପାର୍ବଣରେ ଏଠାରେ ନୀତି କାନ୍ତି ଅଲଗା ହୋଇଥାଏ |

ସବୁ ଶକ୍ତି ପୀଠରେ ଗୋଟିଏ ବେଳା ଚଣ୍ଡୀପାଠ ହେଉଥିବାବେଳେ ଏଠାରେ ଦୁଇ ବେଳା ଚଣ୍ଡୀ ପାଠ କରାଯାଇଥାଏ। ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ଯନ୍ତ ମାଆଙ୍କ ଷୋଡଶ ଉପଚାର ପୂଜା ସହିତ ପ୍ରତିଦିନ ବିଭିନ୍ନ ବେଶରେ ଦର୍ଶନ ଦେଇଥାନ୍ତି ମାଆ। ଏଠାରେ ବଳି ରୂପେ ପ୍ରତିଦିନ ମାଛ ପୋଡା ଭୋଗ ଦିଆଯାଇଥାଏ। ତା ସାଙ୍ଗକୁ ଏହି ଷୋହଳ ଦିନ ମାଆଙ୍କୁ ଏଣ୍ଡୁରୀ ପୀଠ ଭୋଗ ଲଗାଯାଇଥାଏ। ମାଆଙ୍କ ଦର୍ଶନ ପାଇଁ ପ୍ରତିଦିନ ଭକ୍ତଙ୍କ ଭିଡ ଲାଗିଥାଏ।

ଦୈନନ୍ଦିନ ସ୍ନାନ,ସକାଳ ଆଳତି ସୂର୍ଯ୍ୟ ପୂଜା ,ଦ୍ଵାରପାଳ ପୂଜା ,ବଲ୍ଲଭ, ଖଇ ଭୋଗ,ଖେଚୁଡି ଭୋଗ ପରେ ସାହାଣମେଲା, ବେଳା ଚଣ୍ଡୀ ପାଠ ,ଦ୍ଵିପ୍ରହର ଭୋଗ,ପହଡ ପରେ ପୁନଃ ସାହାଣ ମେଲା ଓ ସନ୍ଧ୍ୟା ଆଳତି ,ପୁନଃ ଚଣ୍ଡୀ ପାଠ ,ରାତ୍ରି ଭୋଗ , ବଡ ସିଂହାର ବେଶ ପରେ ପହଡ ପଡିଥାଏ । କୁଶଭଦ୍ରା ନଦୀରୁ ମାଛ ମାରି ପେଟ ପୋଷୁଥିବା ମତ୍ସ୍ୟଜୀବୀମାନେ ପ୍ରତ୍ୟହ ମାଙ୍କ ଉଦ୍ଦେଶ୍ୟରେ ପ୍ରଥମ ମାଛ ପ୍ରଦାନ କରିଥାନ୍ତି । ଏହି ମାଛକୁ ମାଙ୍କ ନିକଟରେ ପ୍ରତ୍ୟହ ଦୁଇ ବେଳା ପୋଡା ବଳି ଦିଆ ଯାଇଥାଏ  । ଏଥିସହ ମାଙ୍କ ନିକଟରେ ଦ୍ଵିପ୍ରହର ଓ ରାତ୍ରି ଭୋଗରେ ସାଦା ଅନ୍ନ ,ଖେଚୁଡି ,ଖଟା, ଡାଲି,ବିନା ପିଆଜ ରସୁଣ ରେ ମାଛ ବେସର,ମାଛ ଭଜା ,ଏଣ୍ଡୁରି ପିଠା,ଖିରୀ ଆଦି ସ୍ଵାଦିଷ୍ଟ ବ୍ୟଞ୍ଜନ ଆଦି ଲାଗି କରାଯାଇଥାଏ ।

Leave A Reply

Your email address will not be published.