Latest Odisha News

BREAKING NEWS

ଏଏସଓ ମେରିଷ୍ଟ ଲିଷ୍ଟ ବାତିଲ ପ୍ରସଙ୍ଗ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ; କିଏ କ’ଣ ଯୁକ୍ତି ରଖିଲେ ପଢ଼ନ୍ତୁ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ରିଭ୍ୟୁ ପିଟିସନ ଉପରେ ଗୁରୁବାର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି। ଓପିଏସସି ଓ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।

ଏଏସ୍ଓ ପଦବୀ ପାଇଁ ଓପିଏସସି ପ୍ରସ୍ତୁତ କରିଥିବା ମେରିଟ୍ ଲିଷ୍ଟକୁ ହାଇକୋର୍ଟ ଗତ ୧୯ ତାରିଖରେ ଖାରଜ କରିଦେଇଥିଲେ। ତେବେ ମେରିଟ ଲିଷ୍ଟରେ ଥିବା ଆଶାୟୀଙ୍କୁ ପକ୍ଷଭୁକ୍ତ ନକରି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ଯୁକ୍ତି ବାଢି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅପରପକ୍ଷରେ ଓପିଏସସି ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ ରିଭ୍ୟୁ ପିଟିସନ ଦାଖଲ କରିବା ପାଇଁ ଆବେଦନକାରୀଙ୍କ ପାଖରେ କୌଣସି ଅଧିକାର ନାହିଁ। ମେ’ ୧୯ର ଆଦେଶରେ ଆବେଦନକାରୀଙ୍କ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିନାହିଁ ଏବଂ ଏହି ଆଦେଶକୁ ଚ୍ୟାଲେଞ୍ଜ କରିବାର ଅଧିକାର ସେମାନଙ୍କ ପାଖରେ ନାହିଁ। ଏବେ ରିଭ୍ୟୁ ପିଟିସନର ଶୁଣାଣି କରି କୋର୍ଟ ପରବର୍ତ୍ତୀ ସମୟରେ ରାୟ ଶୁଣାଇବେ।

ଏଏସ୍ଓ ପଦବୀଗୁଡ଼ିକ ହେଉଛି ଓଡ଼ିଶା ସଚିବାଳୟ ସେବାରେ ଗ୍ରୁପ୍-ବି ପଦବୀ। ୨୦୨୨ ମସିହା ଅଗଷ୍ଟ ୨୭ ତାରିଖରେ ହୋଇଥିବା ଲିଖିତ ପରୀକ୍ଷା ପରେ ୧୧୦୪ ଜଣ ପ୍ରାର୍ଥୀଙ୍କୁ ଏହି ପଦବୀ ପାଇଁ ଚୟନ କରାଯାଇଥିଲା। ତେବେ ଏହି ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ହଜାର ହଜାର ଆଶାୟୀ ପ୍ରାର୍ଥୀ କଟକ ଓପିଏସସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

ଆଶାୟୀ ପ୍ରାର୍ଥୀଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଗତ ୧୯ ତାରିଖରେ ମେରିଟ୍ ଲିଷ୍ଟକୁ ରଦ୍ଦ କରିଦେଇଥିଲେ। ଦୁଇ ମାସ ମଧ୍ୟରେ ନୂଆ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ।

ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ପକ୍ଷରୁ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ୍ ଏହି ମାମଲାର ସଦ୍ୟତମ ଅଗ୍ରଗତି ବୋଲି କୁହାଯାଉଛି। ମେ’ ୧୯ ଆଦେଶକୁ କାଏମ ରଖିବେ ନା ଓପିଏସସିକୁ ନୂଆ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବେ ସେ ନେଇ କୋର୍ଟ ଏବେ ନିଷ୍ପତ୍ତି ନେବେ।

Leave A Reply

Your email address will not be published.