Latest Odisha News

BREAKING NEWS

ନାଟମଣ୍ଡପ ମରାମତି ପ୍ରସଙ୍ଗ: ଏନ୍‌ଓସି ଦେଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି (ଗୁରୁବାର) ଠାରୁ ନାଟମଣ୍ଡପର ମରାମତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିନ୍ତୁ ଆସନ୍ତାକାଲି (ଶୁକ୍ରବାର) ଠାରୁ ଏଏସଆଇ ଏହି କାର୍ଯ୍ୟ ବିଧିବଦ୍ଧ ଭାବେ କରିବ । ଗରୁଡ଼ ସ୍ତମ୍ଭଠାରୁ ପ୍ରଥମେ ଆରମ୍ଭ ହେବ ମରାମତି କାମ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନଓସି ଦିଆଯାଇଛି । ନାଟମଣ୍ଡପ ମରାମତି ପ୍ରସଙ୍ଗକୁ ନେଇ ଆଜି ସଂଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି ଯେ, ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ପାଇଁ ପ୍ରଥମେ ତିଆରି ହେବ ୱାର୍କିଂ ପ୍ଲାଟଫର୍ମ । ନାଟମଣ୍ଡପର ଗୋଟିଏ ବିମ୍‌ରେ ଫାଟ ଥିବା କହିଛି ଏଏସଆଇ । ଯାଞ୍ଚ ପରେ ଆଉ କ’ଣ ସମସ୍ୟା ଏବଂ କେଉଁଠି ଫାଟ ରହିଛି ତାହା ସ୍ପଷ୍ଟ ହେବ । ତେବେ ପ୍ରତିଦିନ ସକାଳ ୬ ଟାରୁ ଏହି କାମ ଆରମ୍ଭ ହୋଇ ରାତି ୧୦ଟା ରେ ଶେଷ ହେବ ।

ମରାମତି କାମ ଚାଲିଥିବାବେଳେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ । ଯେପରି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀତିକାନ୍ତିରେ ବ୍ୟାଘାତ ନଘଟେ ତାହାକୁ ନଜରରେ ରଖି ମରାମତି କାମ ଚାଲିବ । କାମକୁ ତଦାରଖ ପାଇଁ ଶ୍ରୀମନ୍ଦିର ଟେକ୍ନିକାଲ୍ ଟିମ୍ ରହିବେ । କାର୍ତ୍ତିକ ମାସରେ ମନ୍ଦିର ଭିଡ ରହୁଥିବାରୁ ଏହା ସରିଲେ ଅଧିକ ସମୟ ଦେଇ କାମ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

ଅନ୍ୟପଟେ, ଓଡ଼ିଆ ନବବର୍ଷରୁ ନୂଆ ରତ୍ନ ପଲଙ୍କରେ ଶୟନ କରିବେ ମହାପ୍ରଭୁ । ବହୁଦିନ ପୂର୍ବେ ଏହି ରତ୍ନ ପଲଙ୍କ ଗୁଡ଼ିକ ନିର୍ମାଣ ହୋଇଥିବାବେଳେ, ବର୍ତ୍ତମାନ ପଲଙ୍କ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ସେନେଇ ଆସନ୍ତାକାଲି(ଶୁକ୍ରବାର)ଠାରୁ ମହାପ୍ରଭୁଙ୍କ ରତ୍ନ ପଲଙ୍କର ମରାମତି କାମ ଆରମ୍ଭ ହେବ । ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ପୂର୍ବରୁ ୩ଟି ପଲଙ୍କ ନିର୍ମାଣ କାର୍ଯ୍ୟ ଶେଷ ହେବ । ଏନେଇ ପର୍ଯ୍ୟାପ୍ତ ପରିମାଣରେ ରହିଛି ଆବଶ୍ୟକ କାଠ । ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ।

Comments are closed.