ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି । ସକାଳ ୯ଟା ଭିତରେ ଶ୍ରୀଜିଉଙ୍କ ସୁନାବେଶ ବା ରାଜାଧିରାଜ ବେଶ ଶେଷ ହେବ । ଏହା ପରେ ଭକ୍ତମାନେ ଶ୍ରୀଜିଉଙ୍କୁ ସୁନାବେଶରେ ଦର୍ଶନ କରିପାରିବେ । ରାତି ୧୦ଟା ୩୫ରେ ସୁନାବେଶ ଓଲାଗି ହେବ । ସକାଳ ଧୂପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ଦୋଳବେଦୀକୁ ବିଜେ କରିଥାନ୍ତି ।
ଘଣ୍ଟାଘଣ୍ଟା, ଶଙ୍ଖ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥାଏ ପରିବେଶ । ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ପରମ୍ପରା ରହିଛି । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୁଦେବୀ ଭୋଇ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏପରି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ । ପାଲିଙ୍କିରେ ଝୁଲିଝୁଲି ୨୧ ଘେରା କରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ ।
ବିଶ୍ୱାସ ରହିଛି, ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ସେପଟେ ମଧ୍ୟାହ୍ନଧୂପ ସରିବା ପରେ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ ହେବାପରେ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ। ସେପଟେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ ଗତକାଲି ସଂଧ୍ୟାରେ ମହାପ୍ରଭୁଙ୍କ ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳବେଦୀକୁ ବିଜେ କରିଥିଲେ। ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ, ଦେବନୀତି, ବନ୍ଦାପନା ପରେ ଭୋଗ ହୋଇଥିଲା । ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯାଇଥିଲା । ବିଶ୍ୱାସ ଅନୁଯାୟୀ ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୁଏ ।