ନୂଆଦିଲ୍ଲୀ: ଭାରତୀୟ ଉପ-ଅଧିନାୟକ ଶ୍ରେୟସ ଆୟର ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ନେଇ ଶନିବାର ଦିନ ବିସିସିଆଇ ସୂଚନା ଦେଇଛି।
ଅକ୍ଟୋବର ୨୫ ତାରିଖରେ ସିଡନୀରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ ସମୟରେ ସେ ଆହତ ହୋଇଥିଲେ।ଯାହାଫଳରେ ସେ ଗତ ଏକ ସପ୍ତାହ ଧରି ସିଡନୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶ୍ରେୟସଙ୍କୁ ସର୍ବୋତ୍ତମ ଚିକିତ୍ସା ପ୍ରଦାନ କରିଥିବାରୁ ସିଡନୀରେ ଡାକ୍ତର କୁରୁଶ ହାଘିଘି ଓ ତାଙ୍କ ଦଳ ଏବଂ ଭାରତରେ ଡାକ୍ତର ଦିନଶା ପାରଦିୱାଲାଙ୍କୁ ବିସିସିଆଇ ଧନ୍ୟବାଦ ଜଣାଇଛି। ତେବେ ଶ୍ରେୟସଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଧ୍ୟାନରେ ରଖି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ସେ ସିଡନୀରେ ରହିବା ନେଇ ବିସିସିଆଇ ତରଫରୁ କୁହାଯାଇଛି। ଏଥିସହିତ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ଭାରତ ଆସିବେ ବୋଲି ମଧ୍ୟ କୁହାଯାଇଛି।
ସିଡନୀରେ ଖେଳାଯାଇଥିବା ତୃତୀୟ ଦିନିକିଆ ସମୟରେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ଆଲେକ୍ସ କ୍ୟାରି ୩୪ତମ ଓଭରରେ ହର୍ଷିତ ରାଣାଙ୍କ ବଲରୁ ଏକ ଏରିଆଲ୍ ସଟ୍ ଖେଳିଥିଲେ। ସେହି ସମୟରେ ଶ୍ରେୟସ ଦୌଡ଼ି ଯାଇ ଏକ ଡାଇଭିଂ କ୍ୟାଚ୍ ନେଇଥିଲେ। କିନ୍ତୁ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଯାହାଫଳରେ ତାଙ୍କ ବାମ ପଞ୍ଜରାରେ ଆଘାତ ଲାଗିଥିଲା। ଆଘାତ ପରେ ବିସିସିଆଇ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ତାଙ୍କ ପ୍ଳିହାରେ ଆଘାତ ଲାଗିବା ସହ ତାଙ୍କର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିବା ସ୍କାନ ରିପୋର୍ଟରୁ ଜଣାପଡ଼ିଥିଲା।
ଯାହାପରେ ଶ୍ରେୟସଙ୍କୁ କିଛି ସମୟ ପାଇଁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଅକ୍ଟୋବର ୨୮ ତାରିଖରେ ଅସ୍ତ୍ରୋପଚାର ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଥିଲା।
Comments are closed.