ଲେଖକ: ଦୟାନିଧି ତ୍ରିପାଠୀ
ଭୁବନେଶ୍ଵର: ଓଁ ନମୋ ଭଗବତେ ବାସୁଦେବାୟ । ଶ୍ରୀମଦ ଭାଗବତ ଜୀବ ମଧ୍ୟରେ ଥିବା ଅଜ୍ଞାନକୁ ଦୂର କରି ଭଗବାନ ପ୍ରାପ୍ତିର ମାର୍ଗ ଦର୍ଶନ କରେ । ବେଦ, ଉପନିଷଦ, ମହାଭାରତ, ରାମାୟଣ ତଥା ସମସ୍ତ ପୁରାଣ ମଧ୍ୟରେ ଶ୍ରୀମଦ ଭାଗବତ ସୂର୍ଯ୍ୟ ସଦୃଶ୍ୟ ଅଟେ। ସେଥିପାଇଁ ଟୀକାକାର ମାନେ ଏହାଙ୍କୁ ପୁରାଣାର୍କ ଭାବରେ ଅଭିହିତ କରନ୍ତି । ବ୍ୟାସକୃତ ଅଠରଟି ମହାପୁରାଣ ମଧ୍ୟରେ ଶ୍ରୀମଦ ଭାଗବତର ସ୍ଥାନ ପଞ୍ଚମ । ଯାହା ବିଷ୍ଣୁ ପୁରାଣରେ ବର୍ଣ୍ଣିତ ।
ବ୍ରlହ୍ମ, ପାଦ୍ମ, ବୈଷ୍ଣବଂ ଚ ଶୈବଂ ଭାଗବତଂ ତଥା “ଅର୍ଥାତ ବ୍ରହ୍ମ ପୁରାଣ, ପଦ୍ମ ପୁରାଣ, ବିଷ୍ଣୁ ପୁରାଣ, ଶିବ ପୁରାଣ ଓ ଭାଗବତ ପୁରାଣ ଏହି କ୍ରମେ ଶ୍ରୀମଦ ଭାଗବତ ପଞ୍ଚମ ସ୍ଥାନର ଅଧିକାରୀ । ଲୋକ କଲ୍ୟାଣ ଉଦେଶ୍ୟରେ ବ୍ୟାସଦେବ ନିଜ ପୁତ୍ର ଶୁକଦେବଙ୍କୁ ଶ୍ରୀମଦ ଭାଗବତ ବିଦ୍ୟା ପ୍ରଦାନ କରିଥିଲେ । ଜନ୍ମରୁ ଅବଧୂତ ଥିବା ବ୍ରହ୍ମଜ୍ଞାନୀ ଶୁକଦେବ ନିରାକାର ପରଂବ୍ରହ୍ମଙ୍କ ଉପାସକ ଥିଲେ ମଧ୍ୟ ଭାଗବତରେ ପରଂବ୍ରହ୍ମଙ୍କ ସାକାର ସ୍ୱରୂପ ଶ୍ରୀକୃଷ୍ଣଙ୍କ ଲୀଳା ବର୍ଣ୍ଣନାରେ ନିମଗ୍ନ ହୋଇ ଏହା ଯେ ଭକ୍ତିମାର୍ଗର ପ୍ରକୃତ ଦିଗଦର୍ଶକ ତାହା ଜାଣିପାରିଥିଲେ । ସଂସାର ପ୍ରତି ସମ୍ପୂର୍ଣ୍ଣ ନିର୍ଲିପ୍ତ ଓ ଅନାସକ୍ତ ମହାମୁନି ଶୁକଦେବ ଏଣୁ ସାପଗ୍ରସ୍ତ ସମ୍ପୂର୍ଣ ସଂସାରୀ ରାଜା ପରୀକ୍ଷିତଙ୍କୁ ପବିତ୍ର ଗଙ୍ଗା ନଦୀ କୂଳରେ ଏହା ଶୁଣାଇଥିଲେ । ଜଣେ ସଂସାର ବୈରାଗୀ (ମହାତ୍ମା ଶୁକଦେବ )ଜଣେ ସମ୍ପୂର୍ଣ୍ଣ ସଂସାରୀ (ରାଜlପରୀକ୍ଷିତ ) । ତଥାପି ଉଭୟ ଶ୍ରୀକୃଷ୍ଣ ଭକ୍ତି ରସରେ ହୋଇଛନ୍ତି ଏକାକାର । ଏହାର ଏକମାତ୍ର କାରଣ ହେଉଛି ଶ୍ରୀମଦ ଭାଗବତ ପ୍ରଦାନ କରୁଥିବା ସହଜ ଓ ସରଳ ତିନୋଟି ତତ୍ୱର ଉପଦେଶ ଯଥା :-ସମ୍ବନ୍ଧ ତତ୍ୱ, ଅଭିଦେୟ ତତ୍ୱ, ପ୍ରୟୋଜନ ତତ୍ୱ । ଯାହାର ବିଶେଷ ବ୍ୟାଖ୍ୟା ଧିରେ ଧିରେ ଜାଣିବା ।
ଶାସ୍ତ୍ର କହେ -ଅତଏବ ଭାଗବତେ ଏଇ ତିନି କୟ, ସମ୍ବନ୍ଧ -ଅଭିଧେୟ -ପ୍ରୟୋଜନ ମୟ । ଅର୍ଥାତ କୃଷ୍ଣଙ୍କ ସହିତ ଜୀବର ସମ୍ବନ୍ଧ ସମ୍ପର୍କିତ ଜ୍ଞାନ ହେଉଛି ସମ୍ବନ୍ଧ ତତ୍ୱ, କୃଷ୍ଣ ପ୍ରାପ୍ତି ନିମିତ୍ତ ପ୍ରଦର୍ଶିତ ସହଜ ମାର୍ଗ ହେଲା ଅଭିଧେୟ ତତ୍ୱ, ଶେଷରେ ଅନାବିଳ କୃଷ୍ଣ ପ୍ରେମ ଲାଭ କରିବା ହେଉଛି ପ୍ରୟୋଜନ ତତ୍ୱ । ଶ୍ରୀମଦ ଭାଗବତରେ ବର୍ଣ୍ଣିତ ବିଷୟ ପ୍ରତ୍ୟେକ ପ୍ରାଣୀଙ୍କୁ ଏହି ତିନି ତତ୍ୱକୁ ଅବଗତ କରାଇବା ସହିତ ପ୍ରେମ ଲକ୍ଷଣା ଭକ୍ତିକୁ ପ୍ରଦାନ କରିଥାଏ । ଆସନ୍ତୁ ତେବେ ଏହି ମହାନ ଗ୍ରନ୍ଥ ଙ୍କୁ ଆପଣାର କରିବା ।
ଜୟ ଜଗନ୍ନାଥ….
(ଦ. ତ୍ରି. ଉଵାଚ )
Comments are closed.