Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୦୧: ଭଗବାନଙ୍କ ସହିତ ଯାହାର ସମ୍ପର୍କ ଅଛି ସେ ହିଁ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ପ୍ରଥମ ସ୍କନ୍ଦରୁ ଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ ଶୌନକ ଋଷି ଆଦିଙ୍କୁ ଶୁଣାଇବାର ଅଭିଳାଷ ନେଇ ଶ୍ରୀସୂତ ମହାମୁନି କିଛି କିଛି ଉପଦେଶ ଦେଇ ଶ୍ରୋତାଙ୍କ ମନକୁ ସ୍ଥିର ଓ ହୃଦୟଙ୍କୁ ନିର୍ମଳ କରିବାରେ ଲାଗିଛନ୍ତି। ପ୍ରଥମେ ମଣିଷର ପ୍ରକୃତ ଧର୍ମ କଣ ଜଣାଇଲେ ବର୍ତ୍ତମାନ କହିବେ ଭଗବତ ସେଵା ବିଷୟରେ..

“ନଷ୍ଟପ୍ରାୟେ ଷଭଦ୍ରେଷ୍ଟ ନିତ୍ୟଂ ଭାଗବତସେବୟା।
ଭଗବତ୍ୱ୍ୟୁତ୍ତମ ଶ୍ଳୋକେ ଭକ୍ତିଭର୍ବତି ନୈଷ୍ଠୀକି।।

ଅର୍ଥାତ ନିତ୍ୟ ଶ୍ରୀମଦ ଭାଗବତ ପରାୟଣ ଅଥବା ଭଗବଦ ଭକ୍ତ ମାନଙ୍କ ସେବାରେ କାଳ ଅତିବାହିତ କଲେ ମନରେ ସ୍ୱତଃ ଭଗବତଭକ୍ତି ଉତ୍ପନ୍ନ ହୋଇଥାଏ। ତେବେ ଜଗତ କଲ୍ୟାଣ ପାଇଁ ମୁଁ ଭାଗବତ କାହାକୁ କୁହାଯାଏ ଓ ଭାବବତ ସେଵା କିପରି କରିବା ଉଚିତ ତାହା କହୁଛି। ପ୍ରଥମେ କହିବି ଭଗବାନଙ୍କ ସହିତ ଯାହାର ସମ୍ପର୍କ ଅଛି ସେ ହିଁ ଭାଗବତ, ଅବଶ୍ୟ କିଛି ବ୍ୟକ୍ତି ପ୍ରଶ୍ନ କରିବେ କେଉଁ ପଦାର୍ଥ ସହିତ ଭଗବାନଙ୍କର ସମ୍ପର୍କ ନାହିଁ?

ତାହା ବି ସତ୍ୟ ଅଟେ କାରଣ ଚରାଚର ବିଶ୍ୱରେ ତାଙ୍କ ସତ୍ତା ସବୁଠାରେ ବିଦ୍ୟମାନ ବିନ୍ଦୁରୁ ସିନ୍ଧୁ, ତୃଣରୁ ବନ, ଗୋଡିରୁ ପର୍ବତ, କୀଟ ପତଙ୍ଗଠାରୁ ମଣିଷ ଅଣୁ ପରମାଣୁଠାରୁ ଆରମ୍ଭ କରି ସମଗ୍ର ବ୍ରହ୍ମାଣ୍ଡରେ ଈଶ୍ୱରୀୟ ସତ୍ତା ବ୍ରହ୍ମ ରୂପରେ ବିଦ୍ୟମାନ। ତେଣୁ ସମସ୍ତେ ଭାଗବତ ପଦବାଚ୍ୟ। କିନ୍ତୁ ଆମେ ଏଠାରେ ଏପରି ଏକ ଗ୍ରନ୍ଥ ଵିଷୟରେ ଆଲୋଚନା କରିବା ଯାହା ଭଗବାନଙ୍କ (ଶ୍ରୀକୃଷ୍ଣ ଙ୍କ )ନାମ ଲୀଳା, ରୂପ, ଧାମ, ମହାତ୍ମ୍ୟ ଆଦିର ବିଶେଷ ବର୍ଣନାରେ ପୂର୍ଣ୍ଣ ହୋଇଛି।

ଏହିଠାରେ ଆଉ ଏକ ପ୍ରଶ୍ନ ଆସେ ସେହି ଗ୍ରନ୍ଥରେ ଭଗବାନଙ୍କ ଲୀଳା ବର୍ଣନା ସହିତ କଂସ ହିରଣାକ୍ଷ୍ୟ ଦନ୍ତବତ୍ର ଆଦି ଦୁଷ୍ଟ ଚରିତ୍ର ମାନଙ୍କ ବର୍ଣନା ମଧ୍ୟ ଆସେ ସେ ସମସ୍ତେ କଣ ଭାଗବତ ବୋଲି କଥିତ ହେବେ? ଏହାର ଉତ୍ତରରେ ମୁଁ ଏହା କହିବି ଯେ ଭଗବାନଙ୍କ ଲୀଳା ଏହି ଦୁଷ୍ଟମାନଙ୍କ ସଂହାରରେ ପ୍ରକଟିତ ହୋଇଥାଏ। ତେଣୁ ସେମାନଙ୍କ ଚରିତ୍ର ଭଗବତ ଚରିତ୍ରଠାରୁ ଭିନ୍ନ ନୁହେଁ। ଯେପରି ଭଗବାନଙ୍କ ପରମ ଭକ୍ତ ଗଣଙ୍କୁ ଭଗବତ ଜ୍ଞାନ କାରାଯାଏ ସେପରି ଏହି ଦୁଷ୍ଟ ଭଳି ପ୍ରତୀୟମାନ ବ୍ୟକ୍ତି ବିଶେଷ ମଧ୍ୟ ଭଗବାନଙ୍କ ସାନିଧ୍ୟ ପାଇ ଭଗବତ ରୂପେ ବିବେଚିତ ହୋଇଥାନ୍ତି।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-100-it-is-the-supreme-duty-of-man-to-practice-his-religion/

ଏକଥାକୁ ମଧ୍ୟ କିଛି ବ୍ୟକ୍ତି ପସନ୍ଦ କରିନପାରି ପ୍ରଶ୍ନ କରିବେ ଭଗବାନଙ୍କୁ ଅବତାର ନେବା ପାଇଁ ବାଧ୍ୟ କରୁଥିବା ଏହି ଦୁଷ୍ଟ ଅସୁର ପ୍ରକୃତିର ବ୍ୟକ୍ତି ବିଶେଷ କିପରି ଭଗବତ ସମ ହୋଇ ପାରିବେ। ଏହି ପ୍ରଶ୍ନର ସମାଧାନ କରିବା ଆଗାମୀ ଅଧ୍ୟାୟରେ ବର୍ତ୍ତମାନ କରିବା ସେହି ମହାନ ଗ୍ରନ୍ଥର ମନନ
ଏ ଜୀବ ଅହଂକାର ବହି।
ଆତ୍ମାକୁ ବୋଲେ ତୁହି ମୁଁହି।।
ଏ ନୋହେ ଜ୍ଞାନୀଙ୍କର ମତ।
ଯାହାକୁ ପ୍ରସନ୍ନ ଅନନ୍ତ।।

ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.