ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ବ୍ୟାଖ୍ୟା କରିବା ପୂର୍ବରୁ ଶୌନକ ଆଦି ଋଷିମାନଙ୍କୁ ବିବିଧ ଉପଦେଶ ଛଳରେ ଏହି ଗୂଢ଼ ତଥା ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବର୍ଣନାରେ ରସଯୁକ୍ତ ହୋଇଥିବା ଦିବ୍ୟ ଜ୍ଞାନକୁ ଶୁଣିବାର ରୁଚି ପ୍ରକାଶ କରିବାକୁ କହିଥିଲେ କାରଣ ଭଗବାନ ବ୍ୟାସଦେବଙ୍କ ଦ୍ୱାରା ରଚିତ ଶ୍ରୀମଦ ଭାଗବତ ଏକ ବେଦ ସମ୍ମତ ମହାପୁରାଣ। ଶ୍ରୀସୂତ ମୁନି ଏହାକୁ ଶୌନକ ଆଦି ଋଷିଙ୍କ ଆଗରେ ଜଗତ କଲ୍ୟାଣ ଉଦ୍ୟେଶରେ ପ୍ରକାଶ କରିବାକୁ ଉଦ୍ୟତ ହୋଇ ଶ୍ରୋତା ବର୍ଗଙ୍କର ପରୀକ୍ଷା ନେଉଥିଲେ କାରଣ ସେ ଜାଣିଛନ୍ତି ଅଯୋଗ୍ୟ ଓ ରୁଚି ହୀନ ଶ୍ରୋତାଙ୍କ ଆଗରେ ଶ୍ରୀମଦ ଭାଗବତ ଚର୍ଚ୍ଚା କରିବା ନିଶ୍ଚିତ ଭାବେ ମରୁଭୂମିରେ ଶସ୍ୟ ବୀଜ ବୁଣିବା ପରି ହେବ।
ଶ୍ରୀସୂତଙ୍କର ତିନୋଟି ନିୟମ ବିଷୟରେ ମନେ ପଡିଛି ଯଥା
1.ପ୍ରଥମ ନିୟମ:-ଅନଧିକାରୀ ବ୍ୟକ୍ତିଙ୍କ ଆଗରେ ଜ୍ଞାନ ବିଷୟରେ ତଥ୍ୟ ପ୍ରକାଶ ଉଚିତ ନୁହେଁ।
2.ଦ୍ଵିତୀୟ ନିୟମ:-ଜିଜ୍ଞାସା ବିହୀନ ସ୍ଥାନରେ ବା ଶ୍ରୋତା କିଛି ନପଚାରିଲେ, ଜ୍ଞାନ ତତ୍ୱ ସମ୍ବନ୍ଧୀୟ ଉତ୍ତର ରଖିବା ଅନୁଚିତ ଅଟେ।
3.ତୃତୀୟ ନିୟମ:-ଯେଉଁ ବ୍ୟକ୍ତି ଯେତିକି ଜ୍ଞାନର ଅଧିକାରୀ ତା ଆଗରେ ସେତିକି ଜ୍ଞାନ ବାଣ୍ଟିବା।
ସାଧାରଣରେ ଶ୍ରୋତାଙ୍କ ମନରେ ଆଗ୍ରହ ଓ ଜିଜ୍ଞାସା ବୃଦ୍ଧି ପାଇଁ କିଛି ଉପଦେଶ ନିହାତି ଆବଶ୍ୟକ ଅଟେ। ଶ୍ରୀମଦ ଭାଗବତ ପରି ଗଭୀର ଜ୍ଞାନ ଯୁକ୍ତ ଶାସ୍ତ୍ର ଆଲୋଚନା ଆରମ୍ଭ କରିବା ପୂର୍ବରୁ ବିଭିନ୍ନ ଉପଦେଶ ଗୁଡିକ ଶ୍ରୋତାମାନଙ୍କ ମନରେ ରୁଚି ଓ ଜିଜ୍ଞାସା ଜାତ ହେବାର ଦେଖି ଶ୍ରୀସୂତ ମହାମୁନି ଆରମ୍ଭ କଲେ
ଇଦଂ ଭାଗବତ ନାମ ପୁରାଣ ବ୍ରହ୍ମ ସମ୍ମିତମ୍।
ଉତ୍ତମ ଶ୍ଳୋକ ଚରିତ ଚକାର ଭଗବନୃଷଃ।।
ଅର୍ଥାତ ଶ୍ରୀମଦ ଭାଗବତ ଶୀର୍ଷକ ପୁରାଣ ବେଦ ସମ୍ମତ ଅଟେ। ଏଥିରେ ଥିବା ଉତ୍ତମ ଶ୍ଳୋକ ଗୁଡିକ ଶ୍ରୀକୃଷ୍ଣ ଚରିତ ଅବଲମ୍ବନରେ ରଚିତ, ଯାହା ଭଗବାନ ବ୍ୟାସଦେବଙ୍କ ଦ୍ୱାରା ରଚିତ। ଉପସ୍ଥିତ ସମସ୍ତ ଋଷି ମାନେ ଭାଗବତ କଥା ରୂପକ ଅମୃତ ପାନ କରିବା ପାଇଁ ସମ୍ପୂର୍ଣ ପ୍ରସ୍ତୁତ ଜାଣି ଶ୍ରୀସୂତ ମହାମୁନି ଶ୍ରୀକୃଷ୍ଣଙ୍କ ଅବତାର ଗୁଡିକ କହିବା ପାଇଁ ମନସ୍ଥ କଲେ। କାରଣ ସେ ଜାଣିଥିଲେ ଏକ ମାତ୍ର ଅବତାରୀ ପୁରୁଷ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ ଓ ସମସ୍ତ ଅବତାର ହିଁ ତାଙ୍କ ଠାରୁ ସୄଷ୍ଟ.. ଏହି ଗୂଢ଼ ତଥ୍ୟର ଆଭାସ ପାଇ ଶୌନକ ଆଦି ଋଷି ଗଣ ଅତ୍ୟନ୍ତ ଆନନ୍ଦିତ ହେଲେ ସେମାନଙ୍କର ଆନ୍ତରିକତା ଓ ଏକାଗ୍ରତାକୁ ଲକ୍ଷ୍ୟ କରି ଶ୍ରୀସୂତ ଆରମ୍ଭ କଲେ ନିଜର ଜ୍ଞାନ ତତ୍ୱ ବ୍ୟାଖ୍ୟା ସହିତ ଶ୍ରୀକୃଷ୍ଣ ଚରିତରେ ପରିପୂର୍ଣ ଶ୍ରୀମଦ ଭାଗବତ।
ଆଗାମୀ ଅଧ୍ୟାୟ ମାନଙ୍କରେ ଆଲୋଚନା କରିବା ଗୋଟିଏ ପରେ ଗୋଟିଏ ବିଷୟ ବର୍ତ୍ତମାନ ସେହି ପରମ ଶାସ୍ତ୍ରଙ୍କୁ କରିବା ମନନ, ଚିନ୍ତନ ଓ ଶ୍ରବଣ
କୃଷ୍ଣ କଥାରେ ରତି ଯାର।
ସେ ପ୍ରାଣୀ ଭଵ ମଧ୍ୟେ ସାର।।
ଏ କଳି ଯୁଗେ ଯେତେ ନରେ।
ପଡିବେ ମାୟା ଅନ୍ଧକାରେ।।
ତାହାଙ୍କୁ ତପନ ଉଦିତ।
ହୋଇବ ଭାବେ ଭାଗବତ।
ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ)
Comments are closed.