ଲେଖକ: ଦୟାନିଧି ତ୍ରିପାଠୀ
ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ଭକ୍ତି ମାର୍ଗ ଭଗବାନ ଶ୍ରୀକୃଷ୍ଣଙ୍କୁ ନିତ୍ୟ ସତ୍ୟ ଓ ସଂସାର ସମ୍ପୂର୍ଣ୍ଣ ଅନିତ୍ୟ ବୋଲି ଜ୍ଞାନ ପ୍ରଦାନ କରି ସଂସାର ବିଷୟ ବାସନା ପ୍ରତି ବୈରାଗ୍ୟ ସୃଷ୍ଟି କରେ। ଅତଏବ ଜ୍ଞାନ ଓ ବୈରାଗ୍ୟ ପ୍ରଭାଵରେ ମଣିଷ ମନରେ ନିଷ୍କାମ ଭକ୍ତି ଜାଗ୍ରତ ହୋଇଥାଏ।
ଏହି ନିଷ୍କାମ ଭକ୍ତି ହିଁ ପ୍ରକୃତ ମୁକ୍ତିର ପଥ ଦର୍ଶାଇଥାଏ। କାରଣ ବୈରାଗ୍ୟ ପ୍ରକୃତ ଅର୍ଥ ହେଲା ବୀତରାଗ ବା ସରଳରେ କହିଲେ କାହାରି ପ୍ରତି ରାଗଦ୍ୱେଷ ନରହିବା। ଆଉ ଏକ ଅର୍ଥ ହେଲା ଦୈହିକ ରାଗ ଓ ଅହଂଭାବାପନ୍ନ ଦ୍ୱେଷ ବର୍ଜନ କରିବା। ଏପରି କରିବା ଦ୍ୱାରା ମଣିଷ ସଂସାରର ସମସ୍ତ ଜୀବ ଓ ଜଡ଼ ମଧ୍ୟରେ ପରମାତ୍ମାଙ୍କ ଦର୍ଶନ କରିଥାଏ।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-12-the-srimad-bhagwat-full-of-devotion-to-shri-krishna-is-our-basic-scripture/
ଭାଗବତରେ ପ୍ରହ୍ଲାଦ ନିଜ ପିତା ହିରଣ୍ୟକଶିପୁଙ୍କୁ ନବଧା ଭକ୍ତି ବିଷୟରେ କହିଛନ୍ତି ଯାହା ହେଲା- “ଶ୍ରବଣଂ କୀର୍ତ୍ତନଂ ବିଷ୍ଣୋ ସ୍ମରଣଂ ପାଦସେବନମ୍, ଅର୍ଚ୍ଚନଂ ବନ୍ଦନଂ ଦାସ୍ୟଂ ସଖ୍ୟମାତ୍ମ ନିବେଦନମ୍”। ଅର୍ଥାତ ଭଗବାନଙ୍କ ନାମ ଓ ଗୁଣାବଳୀ, ଲୀଳା ଆଦିର ଶ୍ରବଣ, କୀର୍ତ୍ତନ, ସ୍ମରଣ, ପଦସେଵା, ପୂଜା ଅର୍ଚ୍ଚନା, ବନ୍ଦନା, ନିଜକୁ ଦାସ ଭାବରେ ରଖିବା ଅବା ସଖା ରୂପେ କଳ୍ପନା କରିବା ସର୍ବୋପରି ଭଗବାନଙ୍କ ନିକଟରେ ଆତ୍ମ ସମର୍ପଣ କରିବା ଏହା ହେଉଛି ଭକ୍ତି ମାର୍ଗର ନଅଟି ଧାରା।
ଏହା ମଧ୍ୟରେ ଶ୍ରବଣ, କୀର୍ତ୍ତନ ଓ ସ୍ମରଣ ହେଲା ସବୁଠାରୁ ସହଜ ଧାରା ଓ ଶ୍ରୀମଦ ଭାଗବତରେ ଏହା ସମ୍ପୂର୍ଣ୍ଣ ଭାବରେ ପଦର୍ଶିତ ହୋଇଛି।
ଏହି ଭାଗବତ ଗ୍ରନ୍ଥ ଆମକୁ ଜଣେ ଆସନ୍ନ ମୃତ୍ୟୁ ଭୟରେ ବିଚଳିତ ରାଜା ପରୀକ୍ଷିତ କିପରି ଏହି ମହାନ ଗ୍ରନ୍ଥର କଥା ଶ୍ରବଣ କରି ମୁକ୍ତିର ପଥ ପାଇଲେ ତାହା ଜ୍ଞାତ କରାଉଛି। ତେଣୁ ଅନେକ ଜନ୍ମର ସଂଚିତ ପୁଣ୍ୟବଳରୁ ଆମେ ଏହି ଦୁର୍ଲଭ ମାନବ ଜନ୍ମ ଲାଭ କରିଛେ, ଆଉ ଜାଣିଛେ ଯେ ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ଏ ଦେହ କ୍ଷଣଭଙ୍ଗୁର ଯଥା-“ଦୁର୍ଲଭୋ ମାନୁଷୋ ଦେହୋ ଦେହୀନାଂ କ୍ଷଣଭଙ୍ଗୁରଃ”।
ଏ ଜୀବ ଭଗବତ ଅଂଶ ହୋଇଥିଲେ ମଧ୍ୟ ଅନାଦି ଓ ଅବିଦ୍ୟା ଦ୍ୱାରା ଆବଦ୍ଧ ହୋଇଥାଏ। ଆସନ୍ତୁ ତେବେ ଏହି ଅବିଦ୍ୟା ବା ଅଜ୍ଞାନକୁ ଦୂର କରିବା ପାଇଁ ମହାନ ଗ୍ରନ୍ଥ ଶ୍ରୀମଦ ଭାଗବତ ଶ୍ରବଣ ଓ ମନନ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.