ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ସନ୍ନିବେଷିତ କାହାଣୀ ମାନଙ୍କ ଅବତାରଣ ନକରି କେତେବେଳେ ଭକ୍ତି, କେତେବେଳେ ମୁକ୍ତି ଇତ୍ୟାଦି ବିଷୟରେ ବ୍ୟାଖ୍ୟା କରିବାର ମୂଳ ଉଦ୍ୟେଶ୍ୟ ହେଉଛି ସାଧାରଣ ମଣିଷଙ୍କୁ ଭାଗବତଙ୍କର ପୂର୍ଣ୍ଣ ପରିଚିତି କରିବା ଆଗରୁ ଏହାର ଜ୍ଞାନ ଧାରଣ କରିବାର ଶକ୍ତି ଜାଗ୍ରତ କରିବା।
ଏହି ମାୟା ସଂସାରରେ ଉଭୟ ସଜ୍ଜନ ଓ ଦୁର୍ଜ୍ଜନଙ୍କ ସମାହାର ଘଟିଛି, କିନ୍ତୁ ଆମ ମାନଙ୍କ ପାଇଁ କଣ ଶ୍ରେଷ୍ଠ ତାହାର ଉପଦେଶ ଦେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କ ରଚିତ “ମୋହ ମୁଦଗର “ରେ ନିମ୍ନଲିଖିତ ଶ୍ଳୋକଟିରେ କହିଛନ୍ତି “ଗେୟଂ ଶଙ୍କରନାମ ସହସ୍ରଂ, ଧେୟଂ ଚିନ୍ମୟରୂପମଜସ୍ରମ, ନେୟଂ ସଜ୍ଜନ ସଙ୍ଗ ଚିତ୍ତଂ, ଦେୟଂ ଦୀନଜନାୟ ଚ ଚିତ୍ତମ୍” । ଅର୍ଥାତ ଭଗବାନ (ଶଙ୍କର ) ଙ୍କର ସହସ୍ର ନାମ ସଂକୀର୍ତନ, ଚିନ୍ମୟ ରୁପକୁ ଧ୍ୟାନ, ସଜ୍ଜନ ସଙ୍ଗରେ ଚିତ୍ତ ନିବେଶ କରିବା ସହ ଦୀନଜନମାନଙ୍କୁ ଦାନ କରିବା ଆମ କର୍ତ୍ତବ୍ୟ। ଏହି ସଜ୍ଜନ ସଙ୍ଗ କଥାଟି ନିହାତି ଭାବେ ଏ କଳି ଯୁଗରେ ପ୍ରୟୋଜନ ଭକ୍ତକବି ମଧୁସୂଦନ ରାଓ କହିଲେ
ସାଧୁ ସଜ୍ଜନ ସଙ୍ଗତରେ।
ଧନ୍ୟ ଯେ ନିତ୍ୟ ବାସ କରେ।।
ସଜ୍ଜନ ସଙ୍ଗେ ସଦା ରହି।
ପବିତ୍ର କର ଏହି ମହୀ।।
ଦୁର୍ଜ୍ଜନ ସଙ୍ଗେ କଲେ ବାସ।
ନିଶ୍ଚୟ ଘଟିବ ବିନାଶ।।
ସର୍ପ ସମାନ ଭୟଙ୍କର।
ଦୁର୍ଜ୍ଜନ ଜନେ ପରିହର।।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-52-only-with-unwavering-devotion-can-one-attain-the-supreme-being/
ଏଠାରେ ଗୋଟିଏ କଥା ମନକୁ ଆସେ ଏତେ ବଡ ଦୁନିଆରେ କିଏ ସଜ୍ଜନ ଓ କିଏ ଦୁର୍ଜ୍ଜନ ତାର ନିର୍ଣ୍ଣୟ କରିବା ବଡ଼ ଦୁଷ୍କର ବ୍ୟାପାର, କିନ୍ତୁ ଶ୍ରୀମଦ ଭାଗବତ ପରି ଗ୍ରନ୍ଥର ସଙ୍ଗ ଲାଭ କରିବା ନିତ୍ୟାନ୍ତ ସୁଲଭ ଅଟେ। କେବଳ ନିଜର ଐକାନ୍ତିକ ଭକ୍ତି ଦ୍ୱାରା ଶ୍ରୀମଦ ଭାଗବତ ରୂପୀ ଭଗବାନଙ୍କୁ ଆପଣାର କରିପାରିଲେ ଆପଣ ନିଜେ ସଜ୍ଜନ ହେବା ସହିତ ଆପଣଙ୍କ ନିକଟରେ ବାସ କରୁଥିବା ସମସ୍ତ ମଣିଷଙ୍କୁ ସଜ୍ଜନ କରିପାରିବେ। ଯଥା “ମହତ ଜନର ଲାଗି ଅଙ୍ଗ ଛାୟା।
ପବିତ୍ର ହୁଅଇ କ୍ଷୁଦ୍ର ପ୍ରାଣୀ କାୟା।।
କ୍ଷଣମାତ୍ର ହେଲେ ସଜ୍ଜନ ସଂଗତି।
ତୁଟେ ସିନା ସତେ ସଂସାର ଦୁର୍ଗତି।।
ଆପଣ ନିଜେ ସଜ୍ଜନ ସଦୃଶ ଗୁଣର ଅଧିକାରୀ ପ୍ରଥମେ ହୁଅନ୍ତୁ ଯଥା ଆପଣଙ୍କ ହୃଦୟକୁ କୋମଳ କରନ୍ତୁ, ସର୍ବଦା ଭଗବାନଙ୍କ ଗୁଣ କୀର୍ତ୍ତନ, ଶ୍ରବଣ ଓ ମନନ କରନ୍ତୁ। ହଁ ଏପରି କରିବା ସମୟରେ ଯଦି ଚକ୍ଷୁ ଆନନ୍ଦ ରୂପକ ଅଶ୍ରୁରେ ସିକ୍ତ ହେଉଥିବ, ଦେହରେ ରୋମାଞ୍ଚ ଜାତ ହେଉଥିବ ତେବେ ଯାଇଁ ଜାଣିବେ ସଜ୍ଜନ ହେବାର ଗୁଣ ଆପଣଙ୍କ ପାଖରେ ବିକଶିତ ହୋଇଛି। ଆମେ ଶ୍ରୀମଦ ଭାଗବତଙ୍କ ଶରଣ ନେଇଛେ ଆଉ ଭାଗବତଙ୍କ ଅମୀୟ ବାଣୀ ହେଲା
ଦୁର୍ଲ୍ଲଭ ମନ୍ୟୁଷ ଶରୀର।
ନରକ ନିସ୍ତାରଣ ଦ୍ୱାର।।
ଜ୍ଞାନ କରମ ଭକ୍ତି ଘେନି।
ଏମନ୍ତ ଯୋଗ ମାର୍ଗ ତିନି।।
ତେଣୁ ନିଜକୁ ଯୋଗ ମାର୍ଗରେ ନେଇ ପ୍ରଥମେ ସଜ୍ଜନ ହୁଅନ୍ତୁ।
ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ )
Comments are closed.