Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୫୭: ଶ୍ରୀମଦ ଭାଗବତ ଆମକୁ ଅହଂକାର ଶୂନ୍ୟ ହେବାକୁ ଶିକ୍ଷା ଦେଇଥାଏ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଆମକୁ ଅହଂକାର ଶୂନ୍ୟ ହେବାକୁ ଶିକ୍ଷା ଦେଇଥାଏ। କାରଣ ଅହଂକାର ହିଁ ଅଜ୍ଞାନତାକୁ ସୃଷ୍ଟି କରେ ଓ ଆମ ବିନାଶର କାରଣ ହୋଇଥାଏ। ମଣିଷ କରୁଥିବା କର୍ମ ଗୁଡିକ ଶୁଦ୍ଧ ଓ ସଂସାର ଉପଯୋଗୀ ନହେଲେ ତାହା ଯୋଗ ଭ୍ରଷ୍ଟ କର୍ମ ନାମରେ ଅଭିହିତ ହୋଇଥାଏ। ମାୟାର କ୍ରୀଡା ପ୍ରତି ସଚେତନ ହୋଇ କର୍ମ କଲେ ତାହା ସତକର୍ମ ହୋଇଥାଏ। ଜ୍ଞାନଯୋଗର ଶାସ୍ତ୍ର ଗତ ତତ୍ୱ ଜ୍ଞାନ ଆହରଣ କରିବା ସହଜ କିନ୍ତୁ ସତକର୍ମ କରିବା ପାଇଁ ଆବଶ୍ୟକ ସାଧନା ବିଦ୍ଧି ଅତ୍ୟନ୍ତ କଷ୍ଟକର ବ୍ୟାପାର। ବ୍ରହ୍ମାର୍ପଣ ବୁଦ୍ଧିରେ ଦେବାର୍ଚନାଦି ଯେଉଁ କର୍ମ କାରାଯାଏ ତାହା ହିଁ ପ୍ରକୃତ କର୍ମଯଜ୍ଞ।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-56-he-who-is-always-established-in-truth-is-eternal/

ଆମର ସାଧାରଣରେ ପ୍ରଚଳିତ ଅଭ୍ୟାସ ଯୋଗୁ ଆମେ ନିଜ କର୍ମରେ କୌଣସି ବାଛ ବିଚାର ନରଖି କେବଳ ତାହା କରିଚାଲୁ, କିନ୍ତୁ ପ୍ରକୃତ କର୍ମ ଯୋଗୀ ମାନେ ନିଜ ଇନ୍ଦ୍ରିୟ ଓ ମନକୁ ଆୟତ୍ତରେ ରଖି କେବଳ ଉପଯୁକ୍ତ ସତ କର୍ମ ହିଁ କରିଥାନ୍ତି, ତେଣୁ ତାଙ୍କ କର୍ମରେ କିଛି ଦୋଷ ତ୍ରୁଟି ରହିଲେ ତାହା ଅପରାଧ ଭାବେ ଗ୍ରହଣ ହୁଏ ନାହିଁ। ଏହାର କିଛି ନିୟମ ଶ୍ରୀଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତରେ ବର୍ଣିତ ଅଛି
ବାହ୍ୟ ଅନ୍ତର ଶୌଚ ହୋମ।
ତପ ଜପ ମୋ ପୂଜା କର୍ମ।।
ଆଚାର୍ଯ୍ୟ ସେଵା ତୀର୍ଥ ଗତି।
ଶ୍ରଦ୍ଧା ଯେ ପୂଜିବା ଅତିଥି।।
ସକଳ ଚେଷ୍ଟା ପରହିତେ।
ସନ୍ତୋଷ ଅଵଲମ୍ବ ଚିତ୍ତେ।।
ନିୟମ ଦ୍ୱାଦଶ ଏ ଜାଣ।
ଏଣେ ଜୀବର ପରିତ୍ରାଣ।।
ଏହି ସବୁ ନିୟମ ପାଳନ କରିବା ପାଇଁ ବ୍ୟବହାରିକ ଜୀବନକୁ ନିୟନ୍ତ୍ରଣ କରିବାକୁ ପଡିବ ଓ ଏଥିରେ ଆଧ୍ୟାତ୍ମିକ ଚିନ୍ତନର ଉନ୍ମ୍ମେଷ କରିବାକୁ ପଡିବ। ଏପରି କରିବା ଦ୍ୱାରା କର୍ମଯୋଗ ସାଧନା କାଳରେ କିଛି ବାଧା ଉପୁଜେ ନାହିଁ ଅବା କୌଣସି ଶକ୍ତି ଅନ୍ତରାୟ ହୁଅନ୍ତି ନାହିଁ। ମନ ବା ଚିତ୍ତ ସଂଯମ ପାଇଁ ଗୁଡିଏ ଚରିତ୍ରିକ ସାଧନାର ଆବଶ୍ୟକତା ଅଛି ତାହା ମଧ୍ୟ ଶ୍ରୀଜଗନ୍ନାଥ ଦାସଙ୍କ ଦ୍ୱାରା ବର୍ଣିତ ହୋଇଛି ଭାଗବତରେ
ବଚନ ମଧ୍ୟେ ସତ୍ୟ ବାଣୀ।
ନିର୍ଲୋଭ ପରଧନେ ଜାଣି।।
ଲଜ୍ଜା ସକଳ -ସଙ୍ଗ -ତ୍ୟାଗ।
ଧନ ସଂଚୟେ ଵଇରାଗ୍ୟ।।
ମଉନ ବ୍ରହ୍ମଚର୍ଯ୍ୟ ଗୁଣ।
ସ୍ଥଇର୍ଯ୍ୟ ଆସ୍ତିକ ଲକ୍ଷଣ।।
ଜୀବେ ଅହିଁସା ଭୟ କ୍ଷମା।
ଯମ ଦ୍ୱାଦଶ ଏ ମହିମା।।
ପ୍ରମାଥୀ ଇନ୍ଦ୍ରିୟ ମାନଙ୍କୁ ସ୍ୱ ସ୍ୱ କର୍ମରୁ ନିବୃତ କରାଇ ନିଜ ନିୟନ୍ତ୍ରଣରେ ରଖିବା ହେଉଛି କର୍ମଯୋଗର ମୂଖ୍ୟ କର୍ମ, ପରେ ସେହି ନିୟନ୍ତ୍ରିତ ମନ ବା ଚିତ୍ତକୁ ଭାଗବତ ଧ୍ୟାନ ଓ ଉପାସନାରେ ଉପଯୋଗ କଲେ ଆମେ ନିଶ୍ଚିତ ରୂପେ ସକଳ ଐଶ୍ୱର୍ଯ୍ୟ ଯୁକ୍ତ ଶ୍ରୀକୃଷ୍ଣଙ୍କ କୃପା ପ୍ରାପ୍ତ ହେବା ପୁଣି ସେହି ଭାଗବତ ବାଣୀଙ୍କୁ ଅନୁସରଣ କରି
ସକଳ ଐଶ୍ଵର୍ଯ୍ୟର ଧାମ।
ତୁରୀୟ ରୂପ ନାରାୟଣ।।
ଧାରଣା ଯୋଗେ ଚିତ୍ତ ଧରି।
ବଶିତା ସିଦ୍ଧି ବଶ କରି।।
ଅବା, ପ୍ରତ୍ୟାହାରର ବଳେ ମନ।
ଧ୍ୟାନରେ ଜିଣଇ ତ୍ରିଗୁଣ।।
ମନ ନିର୍ମଳ ଯେତେବେଳେ।
ଯୋଗକୁ ସାଧିବ ନିଶ୍ଚଳେ।।
ଆସନ୍ତୁ ତେବେ ଏପରି ଦିବ୍ୟ ଜ୍ଞାନ ପ୍ରଦାନ କରୁଥିବା ଶ୍ରୀମଦ ଭାଗବତଙ୍କୁ ଜୀବନର ଆଧାର କରି ମନକୁ ନିର୍ମଳ ରଖି ଯୋଗ ସାଧନାରେ ବ୍ରତି ହେବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.