ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ପ୍ରଥମ ଅଧ୍ୟାୟ ତୃତୀୟ ଶ୍ଳୋକ ସ୍ୱୟଂ ଭାଗବତଙ୍କ ସଂଜ୍ଞା ନିରୂପଣ କରି ଲେଖାଯାଇଛି।
“ନିଗମକଳ୍ପତରୋଗର୍ଲିତଂ ଫଳଂ
ଶୁକମୁଖାଦମୃଦଦ୍ରଵ ସଂଯୁତମ୍
ପିଵତ ଭାଗବତଂ ରସମାଲୟଂ
ମୁହୁରହୋ ରସିକା ଭୁବି ଭାବୁକାଃ”
ଅର୍ଥାତ ଏହା ବେଦ ରୂପକ କଳ୍ପବୃକ୍ଷର ଫଳ, କିନ୍ତୁ ଶୁକଦେବଙ୍କ ମୁହଁରେ ଚର୍ଚିତ ହୋଇ ରସ ଆକାରରେ ଶ୍ରୋତା ବା ପାଠକ ମାନଙ୍କ ପାଖକୁ ଆସିଅଛି। ସେଥିପାଇଁ ଏହା ଅତ୍ୟନ୍ତ ରସମୟ ହୋଇଛି। ଏଥିପାଇଁ ଶୁକଦେବଙ୍କୁ ସମ୍ପୂର୍ଣ ଭାଗବତର ପ୍ରଥମ ବକ୍ତା ଭାବରେ ମଧ୍ୟ ବର୍ଣନା କରାଯାଏ। କିନ୍ତୁ ଶୁକଦେବଙ୍କ ସମ୍ପର୍କରେ ବିଶେଷ ତଥ୍ୟ ଆଲୋଚନା ଶ୍ରୀମଦ ଭାଗବତରେ ମିଳେ ନାହିଁ। କେବଳ ଏତିକି ସମସ୍ତେ ଜାଣନ୍ତି ଯେ ସେ ଭଗବାନ ବ୍ୟାସଙ୍କ ପୁତ୍ର, ତଥାପି ତାଙ୍କର ଜନ୍ମ ବୃତ୍ତାନ୍ତ ବିସ୍ତୃତ ଭାବେ ଶ୍ରୀ ଭାଗବତ ଗ୍ରନ୍ଥରେ ନାହିଁ।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-62-humans-are-like-that-brahman/
କେଉଁଠି ସେ ଜଣେ ସାଧାରଣ ଋଷି ଭାବରେ ବର୍ଣିତ ହୋଇଛନ୍ତି ତ କେଉଁଠି ଜଣେ ସଂସାରୀ ବା ଗୃହୀ ହିସାବରେ ବିବେଚିତ ହୋଇଛନ୍ତି । ତେବେ ମନରେ ପ୍ରଶ୍ନ ଉଠେ ଯେତେବେଳେ ଦେବତା ମାନେ ମଧ୍ୟ ମର୍ତ୍ୟରେ ଜନ୍ମ ନେବାକୁ ଆଗ୍ରହୀ ସେ ସମୟରେ କୌଣସି ଦେବତା ଶୁକ ଦେବ ରୂପେ ପ୍ରକଟ ହୋଇ ନାହାନ୍ତି ତ? ଅବଶ୍ୟ ଦେବୀ ଭାଗବତରେ ଶୁକଦେବ ବ୍ୟସପୁତ୍ର ହୋଇ ଜନ୍ମ ନେଇ ସଂସାରୀ ଭାବରେ ଦିନ କାଟିଥିବା କଥା ଉଲ୍ଲେଖ ହୋଇଛି କିନ୍ତୁ ସେ ଯେ ଭାଗବତ ବକ୍ତା ଓ ରାଜା ପରୀକ୍ଷିତଙ୍କ ମୁକ୍ତିଦାତା ତାର କୌଣସି ପ୍ରମାଣ ନାହିଁ। ତେଵେ ସେହି ଶୁକଦେବ କିଏ ଏହାହିଁ ଆଲୋଚନା ସାପେକ୍ଷ, ବାୟୁ ଓ ଲିଙ୍ଗ ପୁରାଣରେ ଥିବା ଆଲୋଚନାଟି ଏହିପରି ଅଟେ।
ମା ପାର୍ବତୀ ଭାଗବତ ଶ୍ରବଣ ପାଇଁ ସ୍ୱୟଂ ସଦାଶିବଙ୍କୁ ଆଳି ଜଣାଇଲେ ଓ ପ୍ରଥମେ ଦେବ ଦେବ ମହାଦେବ ସଦାଶିବ ପାର୍ବତୀଙ୍କୁ ଏହା ଶୁଣାଇ ଥିଲେ, ସେହି ସମୟରେ ଗୋଟିଏ ମୃତ ଶୁକ ପକ୍ଷୀର ଅସ୍ଥି ଗୁଡିକ ସେଠାରେ ଥିବା ଏକ ବୃକ୍ଷର କୋରଡ଼ ମଧ୍ୟରେ ପଡି ରହିଥିଲା କିନ୍ତୁ ଧିରେ ଧିରେ ଭାଗବତର ପ୍ରଭାବରେ ମୃତ ଶୁକପକ୍ଷୀ ଦେହରେ ପ୍ରାଣ ସଂଚାର ହେଲା। ଏହି ସମୟରେ ମା ପାର୍ବତୀ ସାମାନ୍ୟ ନିଦ୍ରା ଯାଇଥିଲେ ବୃକ୍ଷର କୋରଡ଼ ମଧ୍ୟରେ ଶୁକ ପକ୍ଷୀଟି ଜୀବନ ପାଇ ନାଦ କରିବାକୁ ଲାଗିଲା, ସଦାଶିବଙ୍କ ଧ୍ୟାନ ଭଗ୍ନ ହେବାରୁ ସେ କ୍ରୋଧରେ ଶୁକ ପକ୍ଷୀଙ୍କୁ ମାରିବା ପାଇଁ ତ୍ରିଶୂଳ ଧରି ଗୋଡ଼ାଇଲେ, ଶୁକ ପକ୍ଷୀ ପ୍ରାଣ ଭୟରେ ଉଡି ଯାଉଥିବା ସମୟରେ ବ୍ୟାସଦେବଙ୍କ ପତ୍ନୀ ଶୁଦ୍ଧ ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ପ୍ରଦାନ କରୁଥିଲେ।
ସଦାଶିବଙ୍କ ତ୍ରିଶୂଳ ଆଘାତରେ ଶୁକ ପକ୍ଷୀଙ୍କର ପ୍ରାଣ ବିଛିନ୍ନ ହୋଇ ବ୍ୟାସ ପତ୍ନୀଙ୍କ ନାସା ଦେଇ ତାଙ୍କ ଗର୍ଭରେ ଆଶ୍ରୟ ନେଲା କିନ୍ତୁ ସଦାଶିବଙ୍କ ଭୟରେ ସେହି ପ୍ରାଣ ପୁନଃ ଜନ୍ମ ନହୋଉ ବାର ବର୍ଷ କାଳ ମା ପାର୍ବତୀଙ୍କ ଗର୍ଭରେ ରହିଲା, ଏହାପରେ ବ୍ୟାସ ମୁନି ସ୍ୱୟଂ ପାର୍ଥନା କରି ବିଷ୍ଣୁଙ୍କ ଠାରୁ ମାୟାବରଣ, ଦୁର୍ଗାଙ୍କ ଠାରୁ କାଛଟା, ଶିବଙ୍କ ଠାରୁ ରୁଦ୍ରାକ୍ଷ, ଆଣି ପତ୍ନୀଙ୍କ ଗର୍ଭକୁ ପଠାଇଲେ। ଏହି ସବୁ ବସ୍ତ୍ର ଭୂଷଣ ପିନ୍ଧି ଶୁକ ଦେବ ଜନ୍ମ ନେଉଥିବା ବର୍ଣନା ମିଳିଥାଏ ଓ ଜନ୍ମରୁ ଶୁକଦେବ ସନ୍ୟାସୀ ହୋଇ ଥିବାର ପ୍ରମାଣ ବି ମିଳେ। ତେଣୁ ଶୁକ ଦେବ ଯେ ମାନବ ନୁହଁନ୍ତି ଅବା ଦେବତା ବି ନୁହଁନ୍ତି ଏହା ସ୍ପଷ୍ଟ ହୋଇଛି। ତେବେ ତାଙ୍କ ପ୍ରକୃତ ସ୍ୱରୂପ କଣ ନିଶ୍ଚୟ ଜାଣିବା। ଏଵେ କିନ୍ତୁ ଶୁକ ମୁଖ ନିଃସୃତ ଶ୍ରୀମଦ ଭାଗବତ ଶ୍ରବଣ ଓ ମନନରେ ମନ ନିବେଶ କରିବା।
ଜୟ ଜଗନ୍ନାଥ
(ଡ଼. ତ୍ରି. ଉଵାଚ)
Comments are closed.