ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୁଖ୍ୟ ନାୟକ ହେଲେ ଶ୍ରୀକୃଷ୍ଣ, ଆଉ ଏକ ପରମ ପବିତ୍ର ଗ୍ରନ୍ଥ ଶ୍ରୀଭଗବତ ଗୀତାରେ ମୁଖ୍ୟ ଚରିତ୍ର ମଧ୍ୟ ଶ୍ରୀକୃଷ୍ଣ। କିନ୍ତୁ ଗୋଟିଏ ଗ୍ରନ୍ଥରେ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳାଠାରୁ ଆରମ୍ଭ ହୋଇ ଅନେକ ଅଲୌକିକ ଲୀଳାର ଅବତାରଣ ହୋଇଛି ଓ ପରିଚୟ ହୋଇଛି ଗୋପାଳକୃଷ୍ଣ, ନଟବର, ବେଣୁଧର ଗିରିଧର, ତଥା କଂସାରୀ ଇତ୍ୟାଦି। ଅନ୍ୟ ପଟେ ଜୀବନର ସାୟଂକାଳ ପର୍ଯ୍ୟନ୍ତ ଲୀଳା ବର୍ଣନା ସହ ପରିଚୟ ହୋଇଛି ପାର୍ଥସାରଥି, ଚକ୍ରଧର, ଇତ୍ୟାଦି।
ଉଭୟ ପରିଚୟରେ ଶ୍ରୀକୃଷ୍ଣ ନିଜ ସ୍ୱତନ୍ତ୍ରତା ଦେଖାଇଛନ୍ତି। ବାଲ୍ୟଲୀଳାର ମାଧୁର୍ଯ୍ୟ ସହିତ ନିଜର ସାମର୍ଥ୍ୟ ମଧ୍ୟ ପ୍ରତ୍ୟେକ ସ୍ତରରେ ପ୍ରତିପାଦିତ କରିଛନ୍ତି ନିଜର ଅପୂର୍ବ ଧୀଶକ୍ତିର ପ୍ରୟୋଗ ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ। ଆଜି ଆମେ ଶ୍ରୀମଦ ଭାଗବତର ଏକ ନିଆରା ବିଷୟ “ଗିରିଗୋବର୍ଦ୍ଧନ ” ପୂଜା ଆଲୋଚନା କରିବା। କାରଣ ଏହି ଉପାଖ୍ୟାନରେ ଶ୍ରୀକୃଷ୍ଣ ଏକ ପ୍ରଚଳିତ ପରମ୍ପରା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଅର୍ଥାତ ଗୋପରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ଇନ୍ଦ୍ରଉତ୍ସବକୁ ବିରୋଧ କରି “ଗିରିଗୋବର୍ଧନ “ପୂଜାର ପ୍ରଚଳନ କରିଛନ୍ତି, ଯାହାର ନିଦର୍ଶନ ସ୍ୱରୂପ ଆଜିବି କାର୍ତ୍ତିକ ମାସରେ ଅନୁଷ୍ଠିତ ହେଉଛି “ଗିରିଗୋବର୍ଦ୍ଧନ ” ପୂଜା।
ମୁଖ୍ୟତଃ ଏହି ଉପାଖ୍ୟାନଟି ଆଲୋଚନା କରିବାର ଉଦ୍ୟେଶ୍ୟ ହେଲା, ଗୋପପୁର ବାସୀଙ୍କୁ ଏଠାରେ ନିର୍ଭୟ ହେବାର ଶିକ୍ଷା ଦେବା ଓ ଆମର ପ୍ରକୃତି ପ୍ରତି ସଚେତନ ହେବାର ଶିକ୍ଷା ଦେବା। ଶ୍ରୀଜଗନ୍ନାଥ ଦାସଙ୍କ ରଚନାରେ
ଭୋ ତାତ କେବଣ ଉତ୍ସବ।
ଏ କଥା କହ ସର୍ବ ଭାବ।।
ତୁମ୍ଭ ବିଚାର ଯଜ୍ଞ ମତେ।
ଉଦେଶ୍ୟ ଜାଣିବୁ କେମନ୍ତେ।।
କେବଣ ମତେ ସାଧ୍ୟ୍ୟ କରି।
ଯଜ୍ଞ କରନ୍ତି ନର ନାରୀ।।
ଏ ଯଜ୍ଞ କଲେ କିସ ଫଳ।
ହସି କହନ୍ତି ନନ୍ଦ ବାଳ।।
ଭୋ ତାତ ହୋଇବା ପ୍ରସନ୍ନ।
କହ ଏ ପୂଜାର ବିଧାନ।।
ଗୁପତ ନକର ପିଅର।
ଏ ସାଧୁ ଜନଙ୍କ ବେଭାର।।
ଭାବ-ସେବକ ସତ୍ୟ କହି।
ବିଶେଷ ତୋର ପୁତ୍ର ମୁଁହି।।
ସମଦରଶୀ ଯାଇ ଚିତ୍ତ।
ନାହିଁ ତାହାର ରିପୁ ମିତ୍ର।।
ସଂସାର ଧର୍ମେ ଥାଇ ଜନ୍ତୁ।
ଇଛନ୍ତି ନାନା କର୍ମ ହେତୁ।।
ଜାଣି ନଜାଣି ଫଳ ଆଶେ।
କର୍ମ ସାଧନ୍ତି ମନ ତୋଷେ।।
ଦଇବ ମତେ ଫଳ ହୋଇ।
ଯେ ଯାହା କର୍ମ ବଳେ ପାଇ।।
ବେଦ ପୁରାଣ କ୍ରିୟା ଘେନି।
କର୍ମ ସାଧନ୍ତି ବିପ୍ର ମୁନି।।
ଅର୍ଥାତ ଗୋପରେ ଇନ୍ଦ୍ର ଉତ୍ସବର ବିପୁଳ ଆୟୋଜନ ଦେଖି କୃଷ୍ଣ ନିଜ ପିତା ନନ୍ଦଙ୍କୁ ପଚାରୁଛନ୍ତିଏ ଇନ୍ଦ୍ର କିଏ, କାହିଁକି ଆମେ ଇନ୍ଦ୍ର ପୂଜା କରିବା? ଏଥିରେ ନନ୍ଦ ରାଜା ନିଜ ପରମ୍ପରା ଦୃଷ୍ଟିରୁ ଇନ୍ଦ୍ରଦେବତାଙ୍କ ପୂଜା ହେଉଥିବାର କହିବାରୁ ତାର ସୁନ୍ଦର ଉତ୍ତର ମଧ୍ୟ କୃଷ୍ଣ ରଖିଛନ୍ତି।
ଆଗାମୀ ଅଧ୍ୟାୟରେ ଆମେ ଜାଣିବା ନନ୍ଦ ରାଜାଙ୍କର “ଇନ୍ଦ୍ର ଉତ୍ସବ” ପାଳିବାର ଯୁକ୍ତିକୁ କିପରି ଶ୍ରୀକୃଷ୍ଣ ଅତି ଚତୁରତା ସହିତ ଖଣ୍ଡନ କରିଛନ୍ତି ଓ ଗୋପରେ “ଗିରି ଗୋବର୍ଦ୍ଧନ”ବା ପ୍ରକୃତି ପୂଜାର ପ୍ରଚଳନ କରିଛନ୍ତି ତାର ସୁନ୍ଦର ବର୍ଣ୍ଣନା ଶ୍ରୀମଦ ଭାଗବତ ଆଧାରରେ ବର୍ତ୍ତମାନ ଏହି ମହାନ ଗ୍ରନ୍ଥଙ୍କୁ ସ୍ମରଣ ଓ ମନନ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.