ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଉଦୟ ବା ଜନ୍ମ ବୃତ୍ତାନ୍ତ ଆଲୋଚନା କରିବା ଅବଶ୍ୟ ଏବିଷୟ କିଛି କିଛି ଆଗରୁ ଆଲୋଚିତ ହୋଇଛି, ତଥାପି ନାରଦଙ୍କ ପ୍ରେରଣାରେ ବ୍ୟାସଦେବ ଯେଉଁ ତତ୍ୱଜ୍ଞାନ ପୂର୍ଣ୍ଣ ଏକ ମହାପୁରାଣ ରଚନା ଆରମ୍ଭ କଲେ ତାର ସମ୍ପୂର୍ଣ୍ଣ ତାତ୍ୱିକ ଆଲୋଚନା ଏଠାରେ ରଖିବା।
ସଂସ୍କୃତ ଭାଗବତ ମହାପୁରାଣ ଦ୍ୱାଦଶ ସ୍କନ୍ଦ ତ୍ରୟୋଦଶ ଅଧ୍ୟାୟରେ
ସୂଚିତ ହୋଇଛି ଶ୍ରୀମଦ ଭାଗବତ ଭଗବତ ତତ୍ୱଜ୍ଞାନର ଏକ ଅମୂଲ୍ୟ ଗ୍ରନ୍ଥ, ଏହି ଭଗବତ ତତ୍ତ୍ୱଜ୍ଞାନ କ୍ଷେତ୍ରରେ ଅନ୍ୟ ପୁରାଣ ମାନେ ଏହି ମହାପୁରାଣ ଶ୍ରୀମଦ ଭାଗବତଙ୍କ ସହିତ ତୁଳନୀୟ ନୁହଁନ୍ତି ଏହାର କାରଣ ହେଉଛି ସ୍ୱୟଂ ଭଗବାନଙ୍କ ମୁଖ ନିଃସୃତ ହୋଇଥିବାରୁ ଏହା ଭାଗବତ ଯଥା ‘ଭଗବତା ପ୍ରୋକ୍ତଂ
ଭାଗବତମ୍ “। ଆମେ ଆଗରୁ ଜାଣିଲେ ଘୋର ତପ ସାଧନା ପରେ ସ୍ୱୟଂ ନାରାୟଣଙ୍କ ଠାରୁ ବ୍ରହ୍ମା ସୃଷ୍ଟି ରଚନା ବିଷୟକ ଜ୍ଞାନ, ବିଜ୍ଞାନ, ରହସ୍ୟ ଓ ତତ୍ୱକୁ ପ୍ରାପ୍ତ ହେଲେ ଯାହା ଥିଲା ଶ୍ରୀମଦ ଭାଗବତଙ୍କ ପ୍ରଥମ ସ୍ୱରୂପ ବା ଚତୁଶ୍ଳୋକ ବିଶିଷ୍ଠ ଭାଗବତ।
ବ୍ୟାସଦେବ ଏହି ଚାରୋଟି ଶ୍ଳୋକକୁ ତାଙ୍କ ରଚିତ ଶ୍ରୀମଦ ଭାଗବତରେ ସ୍ଥାନ ଦେଇଛନ୍ତି, ଯାହା ସଂସ୍କୃତ ଭାଗବତର ଦ୍ଵିତୀୟ ସ୍କନ୍ଦ ନବମ ଅଧ୍ୟାୟରେ ବର୍ଣିତ ହୋଇଛି। କୁହାଯାଏ ଏହି ଅଧ୍ୟାୟର ୩୨ ଶ୍ଳୋକ ଠାରୁ ୩୫ ଶ୍ଳୋକ ପର୍ଯ୍ୟନ୍ତ ବର୍ଣିତ ଚାରୋଟି ଶ୍ଳୋକ ହିଁ ପ୍ରଥମ ଭାଗବତ ଅର୍ଥାତ ଚତୁଶ୍ଳୋକ ବିଶିଷ୍ଠ ଭାଗବତ। ଆସନ୍ତୁ ଗୋଟିଏ ଗୋଟିଏ ଶ୍ଳୋକରେ ପ୍ରଦତ୍ତ ତତ୍ୱ ଜ୍ଞାନର ଆଲୋଚନା କରିବା।
ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-83-this-is-the-kali-yuga-as-many-as-there-are-maya-will-fall-into-darkness/
ଶ୍ଳୋକ ୩୨:- ଅହମେବାସମେବାଗ୍ରେ ନାନ୍ୟାଦ ଯତ ସଦତ୍ସ ପରମ।
ପଶ୍ଚାଦହଂ ଯଦେତଜ ଯୋଅବଶିଷ୍ୟେତ ସୋଅସ୍ମ୍ୟହମ।।
ଏହାର ତାତ୍ୱିକ ଅର୍ଥ ହେଲା “ସୃଷ୍ଟି ପୂର୍ବରୁ କେବଳ ମୁଁ ଥିଲି, ମୋ ବ୍ୟତୀତ କିଛି ନଥିଲା, ସତ ଅର୍ଥାତ ସ୍ଥୁଳ ଓ ଅସତ ଅର୍ଥାତ ସୁକ୍ଷ୍ମ ଭୁତସମୂହ ମଧ୍ୟ ନଥିଲେ। ସ୍ଥୁଳଭୁତ ଓ ସୁକ୍ଷ୍ମଭୁତ କାରଣ ପ୍ରକୃତି ମଧ୍ୟ ନଥିଲେ। ସେ ସମୟରେ ସବୁ ମୋ ଠାରେ ଲୀନ ହୋଇ ଥିଲେ ବା ପ୍ରକାଶିତ ହୋଇ ନଥିଲେ। ସୃଷ୍ଟି ରଚନା ପରେ ଯାହା ସବୁ ପ୍ରକାଶିତ ହେଲେ ତାହା ବି ମୁଁ। ପୁନଶ୍ଚ ସୃଷ୍ଟିର ପ୍ରଳୟ ପରେ ଯାହା ବି ରହିବେ ତାହା ବି ମୁଁ, ଅତଏବ ମୁଁ ଅଦ୍ଵିତୀୟ ଓ ମୁଁ ହିଁ ପୂର୍ଣ୍ଣ ଅବା ସର୍ବୋତ୍ତ ଭାବେ ପରିପୂର୍ଣ୍ଣ ସତ୍ତା, ଯାହାକୁ ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ଲେଖିଲେ
ଏଣୁ ଏ ଆଦି ମଧ୍ୟ ଅନ୍ତ।
ମୋ ତହୁଁ ଅନ୍ୟ କେ ଜଗତ।।
ସୃଷ୍ଟିର ଅଗ୍ରେ ମୁଁହି ଏକ।
ମୋ ତହୁଁ ପ୍ରକାଶେ ଅନେକ।।
ଆସନ୍ତୁ ସେହି ପରଂବ୍ରହ୍ମଙ୍କୁ ଆଧାର କରି ରଚିତ ଏହି ମହାପୁରାଣଙ୍କ ଶରଣ ନେବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.