Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୮୬: ସର୍ବଦା ଓ ସର୍ବତ୍ର ବିଦ୍ୟମାନ ଏକମାତ୍ର ସତ୍ୟ, ସେ ହିଁ ଜୀବ ସ୍ୱରୂପରେ ଆତ୍ମା ଓ ପରମ ସ୍ୱରୂପରେ ପରମାତ୍ମା

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ସ୍ୱୟଂ ଭଗବାନଙ୍କ ମୁଖନିଃସୃତ, ଏହାକୁ ମଧ୍ୟ ବ୍ୟାସଦେବ ସ୍ୱୀକାର କରି ଭାଗବତର ପ୍ରଥମ ସ୍କନ୍ଦ ପ୍ରଥମ ଅଧ୍ୟାୟ ରେ “ମହାମୁନିଃ ଶ୍ରୀନାରାୟଣଃ,ତେନ ପ୍ରଥମଂ ସଂକ୍ଷେପତଃ କୃତେ ” ବୋଲି ଲେଖିଛନ୍ତି। ଏହି ପ୍ରଥମ ଭାଗବତ ମାତ୍ର ଚାରିଶ୍ଳୋକ ବିଶିଷ୍ଟ ଥିବାରୁ ବ୍ୟାସଦେବ କହିଲେ ମହାମୁନି ଶ୍ରୀନାରାୟଣ ସଂକ୍ଷେପରେ ଭାଗବତ କହିଲେ।

ଆମେ ପୂର୍ବରୁ ଏହି ଚତୁଶ୍ଳୋକ ବିଶିଷ୍ଠ ଭାଗବତର ପ୍ରତ୍ୟେକ ଶ୍ଳୋକର ଭାବାନୁବାଦର ବିସ୍ଲେସଣ କଲେ। ସ୍ୱୟଂ ବ୍ୟାସଦେବ ମଧ୍ୟ ଗୂଢ଼ ଭାବରେ ଏହାର ତର୍ଜମା କରି ଜାଣିଲେ ଯେ ଶ୍ରୀ ଭଗବାନ କହୁଛନ୍ତି “ଯେତେବେଳେ ଜୀବ ଜାଗ୍ରତ, ସ୍ବପ୍ନ, ସୁଷୁପ୍ତି ଏବଂ ତୁରୀୟ ଅବସ୍ଥାରେ ଥାଏ, ସେତେବେଳେ ମୁଁ ଜୀବ ମଧ୍ୟରେ ଜ୍ଞାନ ସ୍ୱରୂପରେ ଥାଏ। ଏଣୁ ସୃଷ୍ଟି ସମୟରେ ଜଗତ ସହିତ ମୋର ଅନ୍ୱୟ ଥାଏ, ପୁନଃ ପ୍ରଳୟ କାଳରେ ବିଶ୍ୱ ବ୍ରହ୍ମାଣ୍ଡ ର ଲୟ ହୁଏ ଅଥବା ମୋଠାରେ ଲୀନ ଘଟେ। ମୁଁ ସେତେବେଳେ ଚୈତନ୍ୟ ସ୍ୱରୂପରେ ବିଦ୍ୟମାନ ଥାଏ। କିନ୍ତୁ ଏହା ଜଗତଠାରୁ ମୋର ବ୍ୟତୀରେକ ଅବସ୍ଥା ଅଟେ।

ସୁତରାଂ ଅନ୍ୱୟ ଓ ବ୍ୟତିରେକ ଉଭୟ ଅବସ୍ଥାରେ ମୋର ସ୍ଥିତି ଥାଏ ଓ ମୁଁ ହିଁ ଏକମାତ୍ର ସତ୍ୟ, ମୋ ବ୍ୟତିତ ଅନ୍ୟ ସବୁ ମିଥ୍ୟା। ଯେ ସର୍ବଦା ଓ ସର୍ବତ୍ର ବିଦ୍ୟମାନ ଏକମାତ୍ର ସତ୍ୟ ଅଟନ୍ତି ସେ ହିଁ ଜୀବ ସ୍ୱରୂପରେ ଆତ୍ମା ଓ ପରମ ସ୍ୱରୂପରେ ପରମାତ୍ମା। ଏହି ପରମ ସତ୍ୟକୁ ଜାଣିବା ପରେ ବ୍ରହ୍ମା ବିଷୟ ବିଶ୍ୱ ସୃଷ୍ଟି କରିବାର ଜ୍ଞାନ ଅର୍ଜନ କରି ସୃଷ୍ଟି ରଚନାରେ ନିଯୁକ୍ତ ହେଲେ। ସେହି ଜ୍ଞାନକୁ ଜଗତ କଲ୍ୟାଣ ଉଦେଶ୍ୟ ରେ ନିଜ ମାନସ ପୁତ୍ର ନାରଦଙ୍କୁ ପ୍ରଦାନ କଲେ। ଯଥା
“ଇଦଂ ଭାଗବତଂ ନାମ ଯନମେ ଭଗବତୋଦିତମ, ସଂଗ୍ରହେ ଅୟଂ ବିଭୁତିନାଂ ତ୍ୱମେତଦ ବିପୁଳୀ କୁରୁ। ”

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-85-god-is-the-self-existent-lord-krishna/

ଏହା ସଂସ୍କୃତ ଭାଗବତ ଦ୍ଵିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବର୍ଣିତ ହୋଇଛି। ଅର୍ଥାତ ଭଗବାନ ମୋତେ ଯେଉଁ ତତ୍ୱ ଉପଦେଶ ପ୍ରଦାନ କରିଥିଲେ ତାହାହିଁ ଭାଗବତ, ଏହା ଭଗବାନଙ୍କ ବିଭୁତିକୁ ଅତି ସଂକ୍ଷେପରେ ପ୍ରକାଶ କରିଛି। ତୁମେ ଏହି ତତ୍ୱ ଓ ବିଭୁତିକୁ ବିସ୍ତାର କର ଓ ପ୍ରଚାର ମଧ୍ୟ କର। ଏହି ଆଦେଶକୁ ପାଳନ କରି ନାରଦ ସ୍ୱୟଂ ଭଗବାନଙ୍କ ଜ୍ଞାନ ଅବତାର ରୂପେ ପରିଗଣିତ ଶ୍ରୀ ବ୍ୟାସଦେବଙ୍କୁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣଙ୍କ ବିଭୁତି ଏବଂ ଲୀଳା ତତ୍ୱକୁ ବିସ୍ତାରିତ ଭାବେ ରଚନା କରିବାର ଉପଦେଶ ଦେଲେ।

ସେ ସମୟରେ ବ୍ୟାସଦେବ ବେଦ, ବେଦାନ୍ତ, ବ୍ରହ୍ମସୂତ୍ର, ମହାଭାରତ ଓ ଅଷ୍ଟାଦଶ ପୁରାଣ ରଚନା କରି ମଧ୍ୟ ମନରେ ସନ୍ତୋଷ ପାଇଲେ ନାହିଁ ଠିକ ଏପରି ସମୟରେ ସରସ୍ବତୀ ନଦୀ କୂଳରେ ଆଶ୍ରମ କରି ଭଗବତ ଚିନ୍ତା ରେ ଲୀନ ହେଲେ, ସର୍ବଜ୍ଞାତା ନାରଦ ମୁନି ସେଠାରେ ଉପସ୍ଥିତ ହୋଇ ତାଙ୍କୁ ଭଗବାନଙ୍କ ଲୀଳା ପ୍ରଧାନ ଓ ଭକ୍ତି ପ୍ରଧାନ ଗ୍ରନ୍ଥ ଟିଏ ରଚନା କରିବାର ଉପଦେଶ ଦେଲେ। ସଂକ୍ଷିପ୍ତରେ ଭାଗବତ ମହାପୁରଣର ସୂଚନା ମଧ୍ୟ ଦେଲେ। ଯାହା ଶ୍ରବଣ କରି ବ୍ୟାସଦେବ ସମାଧିସ୍ଥ ହେଲେ ସେହି ସମାଧିସ୍ଥ ଅବସ୍ଥାରେ ଶ୍ରୀକୃଷ୍ଣଙ୍କ ମାୟାଶକ୍ତିକୁ ଦର୍ଶନ କଲେ ଏବଂ ଚିତ୍ତରେ ଶ୍ରୀମଦ ଭାଗବତ ସ୍ପୁରୀତ ହେଲା, ଶେଷରେ ସମାଧି ଭାଙ୍ଗି ଆରମ୍ଭ କଲେ ଶ୍ରୀକୃଷ୍ଣଙ୍କ ଲୀଳା ଓ ଭଗବତ ଭକ୍ତିର ଅପୂର୍ବ ସମନ୍ୱୟର ଗ୍ରନ୍ଥ ଶ୍ରୀମଦ ଭାଗବତ ମନରେ ଆସିଲା ଅପୂର୍ବ ସନ୍ତୋଷ ଆଗାମୀ ଅଧ୍ୟାୟରେ ଜାଣିବା ଶ୍ରୀମଦ ଭାଗବତ ରଚନାର ବିସ୍ତାରିତ ରୂପ ବର୍ତ୍ତମାନ ଏତିକି ଜାଣିବା ଶ୍ରେୟହେବ
ସେ ଭାଗବତ ହରି ଗୁଣ।
ବ୍ରହ୍ମ ସମ୍ମତ ଯେ ପୁରାଣ।।
ଏକାନ୍ତେ କହିଲେ ମୁରାରୀ।
ବିଶ୍ୱ ସଂସାରେ ଦୟା କରି।।

ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

Comments are closed.