Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୮୭: ସେ ସ୍ୱୟଂକର୍ତ୍ତା ଓ ସମଗ୍ର ସୃଷ୍ଟିର ସର୍ବରୂପ ଓ ବ୍ରହ୍ମ ହିଁ ରସ ସ୍ୱରୂପ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏପରି ଏକ ଗ୍ରନ୍ଥ ଯାହାକୁ ସ୍ୱୟଂ ବ୍ୟାସଦେବ କହିଛନ୍ତି “ପିବତ ଭାଗବତଂ ରସମାଳୟଂ ”
ଏଠାରେ ଭାଗବତଙ୍କୁ ରସ ସ୍ୱରୂପରେ ବିବେଚନା କରାଯାଇଛି। ଯଦି ତୈତ୍ତିରୀୟ ଉପନିଷଦକୁ ରସର ସ୍ୱରୂପତା ନିର୍ଣ୍ଣୟ ପାଇଁ ନିଆଯାଏ ତେବେ ଏହାର ସପ୍ତମ ଅନୁବାଦର ପ୍ରଥମ ମନ୍ତ୍ରକୁ ଉଦାହରଣ ନେବା “ରସ ବୈ ଶଃ।
ରସ ହ୍ୟେବାୟଂ ଲବଧ୍ୱାନନ୍ଦୀ ଭବତି।।” ଶଃ ଅର୍ଥାତ ସେହି ବ୍ରହ୍ମଙ୍କ ଆନନ୍ଦ ସ୍ୱରୂପ ଅଟନ୍ତି, ବ୍ରହ୍ମ ନିଜେ ନିଜକୁ ପ୍ରକାଶ କଲେ ତେଣୁ ସେ ସ୍ୱୟଂକର୍ତ୍ତା ଓ ସମଗ୍ର ସୃଷ୍ଟିର ସର୍ବରୂପ ଓ ବ୍ରହ୍ମ ହିଁ ରସ ସ୍ୱରୂପ। ଯଦି ରସର ଅକ୍ଷରିକ ଅର୍ଥ ଖୋଜିବା ତେବେ ଯାହା ଆନନ୍ଦପ୍ରଦ ଓ ତୃପ୍ତି ପ୍ରଦାୟକ ତାହାକୁ ହିଁ ରସ କହିବା। ବ୍ୟାସଦେବ ତେଣୁ ଉପଦେଶ ଦେଲେ ଏହି ଆନନ୍ଦ ସ୍ୱରୂପ ରସକୁ ମୋକ୍ଷ ପ୍ରାପ୍ତି ପର୍ଯ୍ୟନ୍ତ ପାନ କରନ୍ତୁ। କାରଣ “ରସମାଲୟଂ “ଶବ୍ଦ ରୁ ରସ ଶବ୍ଦ ଅଲଗା କରିଦେଲେ ରହିବ “ଆଲୟ’।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-86-i-am-the-only-truth-everything-else-is-a-lie/

ଶାସ୍ତ୍ର କହେ ଲୟ ଅର୍ଥ ବିନାଶ ବା ମୃତ୍ୟୁ, ତେବେ କଣ ଆଲୟକୁ ଆମେ ମୃତ୍ୟୁ ପର୍ଯ୍ୟନ୍ତ ବୋଲି ବିବେଚନା କରିବା? ନା ବ୍ୟାସଦେବ ସୂଚାଇଛନ୍ତି ଯଦି ଭାଗବତଙ୍କୁ ନିତ୍ୟ ପ୍ରତି ମୃତ୍ୟୁ ପର୍ଯ୍ୟନ୍ତ ପାଠ କରିବା ତେବେ ତାହା ଆମର ଜନ୍ମ ମୃତ୍ୟୁର ଚକ୍ରକୁ ବିନାଶ କରିବ ଓ ଆମକୁ ମୋକ୍ଷ ପ୍ରାପ୍ତି କରାଇବ। ଯାହା ରାଜା ପରୀକ୍ଷିତଙ୍କୁ ପ୍ରାପ୍ତ ହୋଇଥିଲା।

ଶୁକଦେବ ରାଜା ପରୀକ୍ଷିତଙ୍କୁ ଭାଗବତ ଶୁଣାଇବା ସମୟରେ ତାଙ୍କ ଶିଷ୍ୟ ଉଗ୍ରଶ୍ରବା ସେଠାରେ ଉପସ୍ଥିତ ଥିଲେ, ସେତେବେଳେ ପୁରାଣ କଥକ ମାନଙ୍କୁ ସୂତ କୁହାଯାଉଥିଲା। ତେଣୁ ନୈମିଷାରଣ୍ୟରେ ଶୌନକ ଆଦି ଋଷିମାନେ ସହସ୍ର ବର୍ଷ ଯଜ୍ଞ କରୁଥିବା ସମୟରେ ସୂତ ଉଗ୍ରଶ୍ରବା ଯଜ୍ଞ ସ୍ଥଳରେ ପହଁଚିଲେ ଓ ସେଠାରେ ଭାଗବତର ଚର୍ଚ୍ଚା କଲେ। ଯାହା ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତରେ ସୁନ୍ଦର ବର୍ଣନା କଲେ
ସୂତ କହନ୍ତି ତୋଷ ମନେ।
ଶୁଣ ଶୌନକ ମୁନି ଜନେ।।
କହିଲୁ ସର୍ବ ଶାସ୍ତ୍ର ସାର।
ତା ଶୁଣି ସଂସାରୁ ନିସ୍ତର।।
ଜ୍ଞାନେ ଅଜ୍ଞାନେ ଯେ ଶୁଣନ୍ତି।
ଶ୍ରଦ୍ଧା ଅଶ୍ରଦ୍ଧାରେ ଯେ ଗୁଣନ୍ତି।।
ସେ ସର୍ବ ଦୁଃଖ ପରିହରେ।
ସମିଧ ଯେହେଁ ବୈଶ୍ୱାନରେ।।
ସ୍ପରଶେ କରଇ ଦହନ।
ସାର ଅସାର ଭସ୍ମମାନ।।
ଯଦି ପରମେଶ୍ୱରଙ୍କ ନାମ କୀର୍ତନ, ଶ୍ରବଣ, ଓ ମନନର ଫଳ ପ୍ରାପ୍ତି ଚାହୁଁଛନ୍ତି ତେଵେ ନିୟମିତ ଭାଗବତ ପାଠ କରନ୍ତୁ।
ଜୟ ଜଗନ୍ନାଥ
(ଦ.ତ୍ରୀ. ଉଵାଚ,)

Comments are closed.