ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶୀମଦ ଭାଗବତର ବ୍ୟାଖ୍ୟାକାର ହିସାବରେ ମହାମୁନି ଶୁକଦେବଙ୍କ ପରେ ମହର୍ଷି ଶ୍ରୀ ସୂତଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଏ। ଆସନ୍ତୁ ତେବେ ଏହି ଶ୍ରୀ ସୂତଙ୍କ ବିଷୟରେ ପ୍ରାଞ୍ଜଳ ଭାବରେ ଜାଣିବା। ବ୍ୟାସଦେବଙ୍କ ପ୍ରିୟ ଶିଷ୍ୟ ଲୋମହର୍ଷଣ ଅତ୍ୟନ୍ତ ଧର୍ମାତ୍ମା ଥିଲେ, ଶୌନକ ଆଦି ଋଷି ମାନେ ନୈମିଷାରଣ୍ୟରେ କରୁଥିବା ଯଜ୍ଞ ସ୍ଥଳରେ ଶାସ୍ତ୍ର ଆଲୋଚନା କରିବା ପାଇଁ ଲୋମହର୍ଷଣଙ୍କୁ ଆମନ୍ତ୍ରଣ କରି ଆଣିଲେ। କାରଣ ବ୍ୟାସଦେବ ନିଜର ଏହି ଶିଷ୍ୟଙ୍କୁ ନିଜ ରଚିତ ଇତିହାସ ଓ ପୁରାଣ ଆଦି ପାଠ କରିବାର ଅଧିକାର ଦେଇଥିଲେ।
ପ୍ରଚଣ୍ଡ ଜ୍ଞାନୀ ଲୋମହର୍ଷଣଙ୍କୁ ଶୌନକ ମୁନି କଥା ସ୍ଥଳରେ ବ୍ୟାସ ଆସନ ପ୍ରଦାନ କରିଥିଲେ, ନିଶ୍ଚିତ ଭାବରେ ଏହି ବ୍ରହ୍ମାସନଟି ଅନ୍ୟ ମାନଙ୍କ ଆସନ ଠାରୁ ଉଚ୍ଚରେ ଥିଲା। ଅନ୍ୟ ଋଷି ମୁନି ମାନେ ତଳେ ବସି ପୁରାଣର ଆଖ୍ୟାୟିକ ଶ୍ରବଣ କରୁଥିଲେ। ଏହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଜ୍ୟେଷ୍ଠ ଭ୍ରାତା ପ୍ରଭୁ ବଳରାମ ସେହି ସ୍ଥଳରେ ଉପସ୍ଥିତ ହେଲେ, ସମସ୍ତ ଋଷି ମାନେ ନିଜ ନିଜ ଆସନରେ ଦଣ୍ଡାୟମାନ ହୋଇ ବଳରାମଙ୍କୁ ଭକ୍ତି ଓ ଅଭିନନ୍ଦନ ଜଣାଇଲେ, କିନ୍ତୁ ଋଷି ଲୋମହର୍ଷଣ ନିଜ ସ୍ଥାନରେ ବସି ରହିଲେ। ତାଙ୍କ ବିବେଚନାରେ ବ୍ୟାସ ଆସନ କୌଣସି ଅଥିତିଙ୍କ ଠାରୁ କମ ନୁହେଁ ଓ ସେ ସେହି ଆସନରୁ ଉଠି ଅଭିବାଦନ ଜଣାଇବା ନିୟମ ବିରୁଦ୍ଧ କାମ ହୋଇଯିବ।
ଅବଶ୍ୟ ସ୍ଥଳ ବିଶେଷରେ ଏହି ନିୟମ ପାଳିତ ହେଉନଥିଲା। ଅର୍ଥାତ କୌଣସି ଅସାଧାରଣ ବ୍ୟକ୍ତିତ୍ୱଙ୍କ ଆଗମନରେ ଉଚ୍ଚ ଆସନରେ ଥିବା ବ୍ୟକ୍ତି ମଧ୍ୟ ନିଜ ସ୍ଥାନ ତ୍ୟାଗ କରି ଭକ୍ତି ପଦର୍ଶନ କରୁଥିଲେ। ଏଠାରେ ପ୍ରଭୁ ବଳରାମ ସ୍ୱୟଂ ଶେଷ ଅନନ୍ତଙ୍କ ଅବତାର ଥିଲେ ତେଣୁ ସମସ୍ତ ଋଷି ମୁନି ତାଙ୍କୁ ଭକ୍ତି ପୂର୍ବକ ଅଭିନନ୍ଦନ ଜଣାଇଲେ। କେବଳ ଶ୍ରୀ ସୂତ ମୁନି ତାଙ୍କୁ ଅଭିନନ୍ଦନ ନଜଣାଇ ନିଜ ଆସନରେ ବସି ରହିଲେ। ତେଣୁ ସଂହାର ଶକ୍ତି ଯୁକ୍ତ ପ୍ରଭୁ ବଳରାମ ଅତ୍ୟନ୍ତ କ୍ରୋଧିତ ହେଲେ, ତୀର୍ଥ ଯାତ୍ରା କରୁଥିବାରୁ ସେ ନିଜ ଅସ୍ତ୍ର ଓ ଆୟୁଧ ସାଙ୍ଗରେ ଆଣିନଥିଲେ। କିନ୍ତୁ ନିଜ ହସ୍ତରେ ଧରିଥିବା କୁଶ ମୁଠାରୁ ଗୋଟିଏ କୁଶ ଆଣି ମନ୍ତ୍ର ବଳରେ ତାହାକୁ ବ୍ରହ୍ମ ଅସ୍ତ୍ରରେ ପରିଣତ କଲେ ଓ ତାହାକୁ ଲୋମହର୍ଷଣଙ୍କ ଉପରେ ପ୍ରୟୋଗ କଲେ।
ଏହି ବ୍ରହ୍ମ ଅସ୍ତ୍ର ପ୍ରହରରେ ଲୋମହର୍ଷଣ ନିଷ୍ପ୍ରାଣ ହୋଇଗଲେ। ଋଷି ମଣ୍ଡଳୀରେ ହାହା କାର ପଡ଼ିଗଲା। ଶୌନକଙ୍କ ସହିତ ସମସ୍ତ ଋଷି ମୁନି ବଳରାମଙ୍କୁ ପ୍ରାର୍ଥନା କଲେ ଓ ଲୋମହର୍ଷଣଙ୍କୁ ଫେରାଇ ଆଣିବାକୁ ଅନୁରୋଧ କଲେ। ପ୍ରଭୁ ବଳରାମ ନିଜ ଯୋଗ ଶକ୍ତି ବଳରେ ଲୋମହର୍ଷଣଙ୍କୁ ବଞ୍ଚାଇବା ପାଇଁ ପ୍ରସ୍ତାବ ଦେଲେ କିନ୍ତୁ ଋଷି ମାନେ ଚିନ୍ତା କଲେ ଏହାଦ୍ୱାରା ପ୍ରଭୁ ପ୍ରୟୋଗ କରିଥିବା ବ୍ରହ୍ମଅସ୍ତ୍ରଙ୍କ ଅପମାନ ହେବ, ତେଣୁ ଆପଣ ଲୋମହର୍ଷଣ ମୁନିଙ୍କ ପୁତ୍ର ଉଗ୍ରଶ୍ରବାଙ୍କ ଠାରେ ସମସ୍ତ ଦିବ୍ୟ ଗୁଣର ସଂଚାର କରିଦିଅନ୍ତୁ। ଯାହାପ୍ରାପ୍ତ ହୋଇ ସେ ଆମ୍ଭମାନଙ୍କୁ ଇତିହାସ ଓ ପୁରାଣ କଥା ଶୁଣାଇ ପାରିବେ।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-92-the-naming-and-origin-of-the-naimisaranya-forest-is-very-touching/
ଶେଷରେ ସେଇଆ ହିଁ ହେଲା ଋଷି ପୁତ୍ର ଉଗ୍ରଶ୍ରାବା ଯଜ୍ଞ ସ୍ଥଳରେ ବ୍ରହ୍ମଆସନ ଲାଭ କଲେ ଓ ଶ୍ରୀ ସୂତ ନାମରେ ଖ୍ୟାତ ହେଲେ। ଆଗାମୀ ଅଧ୍ୟାୟରେ ଜାଣିବା ଆହୁରି ଅନେକ ଆଚମ୍ବିତ କାହାଣୀ। ବର୍ତ୍ତମାନ କରିବା ଭାଗବତର ଚିନ୍ତନ ଯାହା କହେ
ମୋର ଚରଣ ଶ୍ରେଷ୍ଠ ମଣେ।
ଜ୍ଞାନ ବିଜ୍ଞାନ ଦୃଢ଼ ମନେ।।
ଏଣୁ ଜ୍ଞାନୀ ମୋ ପ୍ରିୟତମ।
କେହି ନୁହଁନ୍ତି ତାର ସମ।।
ତେଣୁ ଶୁକଦେବଙ୍କ ପରେ ବଳରାମଙ୍କ କୃପା ପ୍ରାପ୍ତ ଜ୍ଞାନୀଙ୍କ ଠାରୁ କିଏ ଅବା ଅଧିକ ସକ୍ଷମ ହୋଇପାରିବ ଭାଗବତ ବ୍ୟାଖ୍ୟା କରିବାରେ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.