ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଅନନ୍ୟ ବକ୍ତା ଶ୍ରୀସୂତ ବା ଉଗ୍ରଶ୍ରବା ଅଟନ୍ତି, କିନ୍ତୁ ଏହି ଶ୍ରୀସୂତ ନାମକରଣର ଯଥାର୍ଥତା ବିଷୟରେ ଅନୁଶୀଳନ କଲେ ଜଣାଯାଏ ଯେ ମୁନି ଲୋମହର୍ଷଣ ସୂତଜାତୀୟ ଥିଲେ। ଅର୍ଥାତ ବର୍ଣଶଙ୍କର ଥିଲେ ଯଥା ମା ବ୍ରହ୍ମଣୀ ଓ ପିତା କ୍ଷତ୍ରିୟ। ଶାସ୍ତ୍ର ଅନୁସାରେ ଏମାନଙ୍କୁ ମାତୃ ଜାତିର ଜୀବିକା ମିଳିଥିଲା, ତେଣୁ ବୈଦିକ ଆଖ୍ୟାୟିକ ଗାନ କରିବା ଅଧିକାର ମିଳିନଥିଲେ ମଧ୍ୟ ସନାତନ ଧର୍ମର ଐତିହାସିକ ଓ ପୌରାଣିକ ଆଖ୍ୟାନ ବ୍ୟାଖ୍ୟାନ କରିବାକୁ ଦିଆ ଯାଇଥିଲା।
ଏହି ପରିପ୍ରେକ୍ଷୀରେ ଭଗବାନ ବ୍ୟାସ ନିଜର ଚାରି ପ୍ରିୟ ଶିଷ୍ୟ ପୈଲ୍ୟ, ଜୈମିନି, ବୈସମ୍ଫାୟନ ଓ ସୁମନ୍ତ ବା ଅଙ୍ଗିରାଙ୍କୁ ଚାରି ବେଦ ଦେଇ ସାରିବା ପରେ ଆଉ ଜଣେ ସୂତ ଜାତୀୟ ପ୍ରିୟ ଶିଷ୍ୟ ଲୋମହର୍ଷଣଙ୍କୁ ଇତିହାସ ଓ ପୁରାଣ ପାଠ କରିବାର ଅଧିକାର ପ୍ରଦାନ କରିଥିଲେ। ଏହି ପ୍ରିୟ ଶିଷ୍ୟ ଲୋମହର୍ଷଣ ଭଗବାନ ବଳରାମଙ୍କ ହସ୍ତରେ ନିଧନ ହେବା ପରେ ତାଙ୍କ ପୁତ୍ର ଉଗ୍ରଶ୍ରବା ମୁନି ମାନଙ୍କ ଅନୁରୋଧରେ ବଳରାମଙ୍କ ଦ୍ୱାରା ଶକ୍ତି ଓ ଜ୍ଞାନ ପ୍ରାପ୍ତ ହୋଇ ସେହି ନୈମିଷାରଣ୍ୟରେ ଶୌନକ ଆଦି ମୁନିଙ୍କ ଦ୍ୱାରା ବ୍ରହ୍ମାସନ ଲାଭ କରି ଶ୍ରୀଭାଗବତ ମହାପୁରଣ ବ୍ୟାଖ୍ୟା କରିବାକୁ ଲାଗିଲେ। ଆଉ ଏକ ମତରେ ପୌରାଣିକ ମାନଙ୍କୁ ସୂତ ବୋଲି ବିବେଚିତ କରାଯାଉଥିଲା, ସେହି କ୍ରମେ ସେ ଶ୍ରୀ ସୂତ ନାମରେ ନାମିତ ହେଲେ।
ଶୌନକ ଆଦି ଋଷି ମନେ ମହାଭାରତ ଯୁଦ୍ଧ ପୂର୍ବରୁ ଯଜ୍ଞ ଆୟୋଜନ କରିଥିଲେ, ଏହାର ପ୍ରମାଣ ହେଲା ଭଗବାନ ବଳରାମଙ୍କ ନୈମିଷାରଣ୍ୟକୁ ତୀର୍ଥଯାତ୍ରା ଯାହା ମହାଭାରତ ଯୁଦ୍ଧର ଶେଷ ସମୟ ଯେତେବେଳେ କୌରବ ବଂଶର ବିନାଶ ହେଲା। ସେତେବେଳେ ପ୍ରଭୁ ବଳରାମ କୌରବ ପକ୍ଷ ନେଇଥିବାରୁ ନିଜ ଉଦାସ ମନକୁ ଶାନ୍ତି ପ୍ରଦାନ ଲାଗି ତୀର୍ଥଯାତ୍ରା କରିଥିଲେ। କେତେକ ଶାସ୍ତ୍ର କହେ ମହର୍ଷି ଶୁକଦେବ ଗଙ୍ଗା ତଟରେ ଶାପ ଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ଭାଗବତ ଶ୍ରବଣ କରାଇବା ସମୟରେ ସେହି ସ୍ଥାନରେ ଅତ୍ୟନ୍ତ ବୁଦ୍ଧିମାନ ଉଗ୍ରଶ୍ରବା ସେଠାରେ ଉପସ୍ଥିତ ଥିଲେ। ନିଜ ନାମର ସାର୍ଥକତା ପ୍ରତିପାଦନ କରି ନିଜର ଉଚ୍ଚ ଧାରଣା ଶକ୍ତି ଓ ଶ୍ରବଣ ଶକ୍ତି ବଳରେ ସେ ମହର୍ଷି ଶୁକଦେବଙ୍କ ଠାରୁ ସବୁ ଭାଗବତ କଥା ନିର୍ଭୁଲ ଭାବରେ ଶୁଣି ନିଜ ହୃଦୟରେ ଧାରଣ କରିଥିଲେ, ଯାହା ତାଙ୍କୁ ନୈମିଷାରଣ୍ୟରେ ସମବେତ ମୁନି ଋଷି ମାନଙ୍କୁ ଶ୍ରୀମଦ ଭାଗବତ କଥା ଶୁଣାଇବାରେ ସାହାଯ୍ୟ କରିଥିଲା।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-93-after-mahamuni-shukadeva-maharishi-sri-suta-is-the-best-commentator-on-the-bhagwat/
ସେହି ଭାଗବତ କଥା ଏତେ ରସାଳ ଥିଲା ଯେ ମୁନି ଋଷି ମାନେ ଯଜ୍ଞ କର୍ମ ଛାଡି ଏହା ଶ୍ରବଣ କରିବାକୁ ଶ୍ରେୟ ମଣିଲେ, ଶେଷରେ କୂଳପତି ଶୌନକ ମଧ୍ୟ ଶ୍ରୀ ସୂତଙ୍କୁ ବିଭିନ୍ନ ପ୍ରଶ୍ନ କରିବାକୁ ଲାଗିଲେ। ଆଗାମୀ ଅଧ୍ୟାୟରେ ସେହି ପ୍ରଶ୍ନ ଗୁଡିକ ଓ ଶ୍ରୀ ସୂତଙ୍କ ଉତ୍ତର ଗୁଡିକ ର ଆଲୋଚନା କରିବା। ବର୍ତ୍ତମାନ ସେହି ଅମୀୟ ଭାଗବତ ବାଣୀର ମନନ
କହନ୍ତି ବ୍ୟାସଙ୍କର ସୂତ।
କୃଷ୍ଣ ମହିମା ଭାଗବତ।।
ଉଭୟ ସନ୍ଧ୍ୟା କାଳେ ଶୁଣି।
ବିଷ୍ଣୁ ସେବକ ଯେତେ ପ୍ରାଣୀ।।
ଲଭନ୍ତି ଭକତି ଯେ ତତ୍ୱ।
କହଇ ବିପ୍ର ଜଗନ୍ନାଥ।।
ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ )
Comments are closed.