Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୯୭: ଅଞ୍ଜନ ଆଖିକୁ ସଫା କରିବା ପରି ଆମ ମନକୁ ସଫା କରେ ଓଡ଼ିଆ ଭାଗବତର ପଦ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୂଳ ଭିତ୍ତି ସ୍ଥିର ହୋଇଥିଲା ଯେଉଁ ଛଅ ଗୋଟି ପ୍ରଶ୍ନ ଉପରେ ସେ ମଧ୍ୟରୁ ଶୌନକ ଋଷି ଦୁଇଟି ପ୍ରଶ୍ନ ପଚାରି ସାରିଛନ୍ତି ଏବଂ ଶ୍ରୀସୂତ ମହାମୁନି ତାର ଅନେକ ସମ୍ଭାବ୍ୟ ଉତ୍ତର ମନରେ ଚିନ୍ତା କରି ମଧ୍ୟ ତାହା ପ୍ରକାଶ କରିନାହାନ୍ତି। ପୁନଃ ପ୍ରଶ୍ନ ଶୁଣିବାକୁ ଇଙ୍ଗିତ କରିଛନ୍ତି, ଆଉ ସେହି ଇଙ୍ଗିତକୁ ବୁଝି ଶୌନକ ମୁନି ପରବର୍ତୀ ପ୍ରଶ୍ନ କଲେ..

ସୂତ! ଜାନାସି ଭଦ୍ରଂ ତେ ଭଗବାନ ସାତ୍ୱତାଂ ପତିଃ।
ଦେବକ୍ୟାଂ ବାସୁଦେବସ୍ୟ ଜାତୋ ଯସ୍ୟ ଚିକୀଶ୍ରୟା।।

ଅର୍ଥାତ ହେ ସୂତ!ତୁମକୁ ଭଲ ଭାବରେ ଜଣାଅଛି କି ପରମାତ୍ମା ଭଗବାନ ଶ୍ରୀକୃଷ୍ଣ ରୂପରେ ବାସୁଦେବ ଙ୍କ ଔରସରେ ଦେବକୀଙ୍କ ଗର୍ଭରୁ କାହିଁକି ପ୍ରକଟିତ ହୋଇଥିଲେ। ଅବଶ୍ୟ ଶୌନକ ମୁନିଙ୍କ ଏହି ପ୍ରଶ୍ନ ପଚାରିବାର ଏକ ତାତ୍ୱିକ ଜିଜ୍ଞାସା ଥିଲା କି ଶ୍ରୀକୃଷ୍ଣ ଙ୍କର ପରଂବ୍ରହ୍ମତ୍ବ ବିଷୟରେ ଜ୍ଞାତ ହେବା, କଣ ଶ୍ରୀକୃଷ୍ଣ ଜଣେ ଅବତାର ପୁରୁଷ ନା ସ୍ୱୟଂ ଅବତାରୀ ପରମପୁରୁଷ ଭଗବାନ। ଏହି ପ୍ରଶ୍ନ ପଛରେ ଲୁଚିଥିବା ତାତ୍ୱିକ ଜିଜ୍ଞାସାକୁ ଠିକ ଠଉରେଇ ପାରିଲେ ମହାମୁନି ସୂତ ଓ ସ୍ମିତହାସ୍ୟ କରି ଅଭିବାଦନ ଜଣାଇଲେ ଓ ପରବର୍ତୀ ପ୍ରଶ୍ନ ପାଇଁ ପୁଣି ଇସାରା ଦେଲେ।

ଏଵେ ଶୌନକଙ୍କ ଚତୁର୍ଥ ପ୍ରଶ୍ନ
ତସ୍ୟ କର୍ମାଣ୍ୟୁଦାରାଣୀ ପରିଗୀତାନି ସୁଧିଭିଃ।
ବ୍ରୁହି ନଃ ଶ୍ରଦ୍ଧଧାନାନାଂ ଲିଳୟା ଦଧତଃ କଳାଃ।।
ଅର୍ଥାତ ସେହି ପରମାତ୍ମା ଶ୍ରୀକୃଷ୍ଣ ରୂପେ ପ୍ରକଟିତ ହୋଇ ଯେଉଁ ଯେଉଁ ଉଦାର ଲୀଳା କରିଯାଇଛନ୍ତି, ସେହି ଉଦାର କର୍ମ ଓ ଲୀଳା କୁ ବର୍ଣନା କରିବାକୁ ସୂରିବୃନ୍ଦ ମଧ୍ୟ ଲାଳାୟିତ, ତେଣୁ ଆପଣ ସେହି ଉଦାର କର୍ମ ଓ ଲୀଳାଙ୍କୁ ବିସ୍ତୃତ ଭାବେ ବର୍ଣ୍ଣନା କରିବେ କି ଏଥର ଶ୍ରୀସୂତ ମହାମୁନିଙ୍କ ମୁଖରେ ହସର ରେଖା ଫୁଟି ଉଠିଲା, ସେ ମନେ ମନେ ଆନନ୍ଦିତ ହେଲେ ଯେ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଯେଉଁ ମଧୁର ଲୀଳା ବର୍ଣନା କରିବାକୁ ମନରେ ଚିନ୍ତା କରୁଥିଲେ ଶୌନକ ଆଦି ଋଷି ମାନେ ତାହାହିଁ ଶ୍ରବଣ କରିବାରେ ଅଭିଳାଷ ରଖିଛନ୍ତି ଯେତେବେଳେ ଭାଷ୍ୟକାର ଓ ଶ୍ରୋତା ଗୋଟିଏ ବିଷୟରେ ଆଗ୍ରହ ରଖନ୍ତି ସେତେବେଳେ ଏକ ପରମ ପାବନ ବାତାବରଣ ସୃଷ୍ଟି ହୋଇଥାଏ।

ନହେଲେ ଜିଜ୍ଞାସା ନଥିବା ବା ମନରେ ଆଗ୍ରହ ନଥିବା ଶ୍ରୋତାଙ୍କ ଆଗରେ ପରମ ପାବନ ତତ୍ୱଙ୍କୁ ପରିବେଷଣ କଲେ ମଧ୍ୟ ଶ୍ରୋତା ତୃପ୍ତ ହୁଏନି ଓ ବକ୍ତା ମଧ୍ୟ ଆନନ୍ଦ ପାଏନି। ପ୍ରଭୁଙ୍କର ନାମ ଓ ଗୁଣ କୀର୍ତନ ର ପ୍ରକୃଷ୍ଟ ସମୟ ଉପଗତ ହୋଇଛି ଜାଣି ଶ୍ରୀସୂତ ମହାମୁନି ଅତି ଆନନ୍ଦ ପ୍ରକାଶ କଲେ, ତଥାପି ସେ ମୁହଁ ଖୋଲିଲେ ନାହିଁ ସେହିପରି ମୌନ ରହି ଶୌନକଙ୍କୁ ଆହୁରି ପ୍ରଶ୍ନ ପଚାରିବାର ଇଙ୍ଗିତ ଦେଲେ। ମୁନି ଶୌନକ ମଧ୍ୟ ପ୍ରଚଣ୍ଡ ଜ୍ଞାନୀ ଥିଲେ ସେ ବୁଝି ପାରିଲେ ଶ୍ରୀସୂତମହାମୁନି ସମସ୍ତ ପ୍ରଶ୍ନ ଶୁଣି ସାରିବା ପରେ ନିଜ ଜ୍ଞାନର ଉଜ୍ବଳତାରେ ତାହାକୁ ପରଖି ଉପଯୁକ୍ତ ତାତ୍ୱିକ ଉତ୍ତର ରଖିବାକୁ ଚାହୁଁଛନ୍ତି। କାରଣ ବ୍ରହ୍ମ ଜ୍ଞାନୀ ମାନଙ୍କ ଲକ୍ଷଣ ଏହିପରି ହୋଇଥାଏ।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-96-by-what-kind-of-work-or-knowledge-can-a-living-being-attain-self-realization/

ସେମାନେ ସ୍ୱଳ୍ପ ଜ୍ଞାନୀଙ୍କ ପରି କୌଣସି ପ୍ରଶ୍ନ ଶୁଣୁ ଶୁଣୁ ତାର ଉତ୍ତର ରଖନ୍ତି ନାହିଁ, ପ୍ରଥମେ ସମସ୍ତ ପ୍ରଶ୍ନ ମାନଙ୍କୁ ନିଜେ ହୃଦୟଙ୍ଗମ କରି ତାହାର ଉପଯୁକ୍ତ ଉତ୍ତର ଚିନ୍ତା କରି ଶ୍ରୋତା ବା ପ୍ରଶ୍ନକର୍ତ୍ତାଙ୍କ ସମ୍ମୁଖରେ ରଖିଥାନ୍ତି ତେଣୁ ଶୌନକ ମୁନି ନିଜ ମନରେ ଜାଗ୍ରତ ହେଉଥିବା ପଞ୍ଚମ ପ୍ରଶ୍ନ ପଚାରିବାକୁ ଉଦ୍ୟତ ହେଲେ, କଣ ସେ ପ୍ରଶ୍ନ ଜାଣିବା ଆଗାମୀ ଅଧ୍ୟାୟରେ । ବର୍ତ୍ତମାନ କରିବା ଭଗବତଙ୍କ ମନନ, କାରଣ ଅଞ୍ଜନ ଆଖିକୁ ସଫା କରିବା ପରି ଆମ ମନକୁ ସଫା କରେ ଓଡ଼ିଆ ଭାଗବତର ପଦ
ଅଞ୍ଜନ ରଞ୍ଜୁଥିଲେ ନିତ୍ୟେ।
ମଳି ନରହେ ଯେହ୍ନେ ନେତ୍ରେ।।
ଏ ବୋଲ ବୁଝି ମୋତେ ଭଜ।
ଅସତ ଧ୍ୟାନ ବେଗେ ତେଜ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )

 

Comments are closed.