Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୯୮: ଭଗବାନ ବା ପରମାତ୍ମା କାହିଁକି ଅବତାର ନିଅନ୍ତି ?

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଉତ୍ପତିର ସେହି ଛଅ ଗୋଟି ପ୍ରଶ୍ନ ବିଷୟରେ ଆମର ଆଲୋଚନା ମଧ୍ୟରେ ଜାଣିଲେ ଚାରି ଗୋଟି ପ୍ରଶ୍ନ ଶୁଣି ସାରିବା ପରେ ବି ଶ୍ରୀ ସୂତ ମହାମୁନି ତାର ଉତ୍ତର ଦେଉ ନାହାନ୍ତି ଏବଂ ପୁନଃ ପୁନଃ ଇସାରା କରୁଛନ୍ତି ନୂତନ ପ୍ରଶ୍ନ ପଚାରିବାକୁ, କାରଣ ସେ ଜାଣିଛନ୍ତି ଶ୍ରୋତା ମନରେ ଭରି ରହିଥିବା ଉତ୍କଣ୍ଠା ପ୍ରଶମିତ ନହେବା ପର୍ଯ୍ୟନ୍ତ ଶ୍ରୋତା ପ୍ରଶ୍ନ ପଚାରିବାକୁ ବ୍ୟାକୁଳ ହେବ ପୁଣି ଶୌନକ ଆଦି ଋଷିଗଣ ଜ୍ଞାନ ଗାରିମା ରେ ପୂର୍ଣ୍ଣ ଓ ନିଷ୍ଠାବାନ ଶ୍ରୋତା, ଏଭଳି ଶ୍ରୋତାଙ୍କୁ ମନଗଢ଼ା ଉତ୍ତର ଶୁଣାଇ ହେବନାହିଁ।

ପୁଣି ପ୍ରଶ୍ନ ପାଇଁ ଇସାରା ଦେଲେ ଶ୍ରୀସୂତ ମୁନି ଆଉ ଶୌନକ ଋଷିଙ୍କ ପଞ୍ଚମ ପ୍ରଶ୍ନ
“ଅଥାଖ୍ୟା ହି ହରେଧ୍ରିମନ୍ମବତାର କଥଃ ଶୁଭାଃ।
ଲୀଳାବିଦଧତଃ ସ୍ବେରମୀଶ୍ଵରସ୍ୟାତ୍ମମାୟୟା।।”
ଅର୍ଥାତ ଭଗବାନ ବା ପରମାତ୍ମା କାହିଁକି ଅବତାର ନିଅନ୍ତି ଏବଂ କେଉଁ ଅବତାରରେ କି କି କର୍ମ ସମ୍ପାଦନ କରିଛନ୍ତି? ଏହି ପ୍ରଶ୍ନ ଶୁଣୁ ଶୁଣୁ ଶ୍ରୀସୂତ ଅତ୍ୟନ୍ତ ପ୍ରସନ୍ନ ହୋଇ ଚିନ୍ତା କଲେ, ପ୍ରଭୁଙ୍କର ସମସ୍ତ ସାଂସାରିକ ଲୀଳା ସହିତ ଐଶ୍ୱରିକ ଲୀଳା ମଧ୍ୟ ଶ୍ରବଣ କରିବା ପାଇଁ ଋଷି ଗଣ ପ୍ରସ୍ତୁତ। ତଥାପି ଆଉ କିଛି ଜିଜ୍ଞାସା ସେମାନଙ୍କ ମନରେ ଥିବ ତାହା ଅନୁମାନ କରିବା ପାଇଁ ପୁନଃ ଶୌନକ ଋଷିଙ୍କୁ ଅତ୍ୟନ୍ତ ପ୍ରୀତିପୂର୍ଣ୍ଣ ଇସାରା ଦେଲେ ଆଉ କିଛି ପଚାର ଶୌନକ ଋଷି ମଧ୍ୟ ଖୁସିରେ ପଚାରିଲେ ଷଷ୍ଠ ତଥା ଶେଷ ପ୍ରଶ୍ନ

“ବ୍ରୁହି ଯୋଗେଶ୍ୱରେ କୃଷ୍ଣେ ବ୍ରହ୍ମଣ୍ୟେ ଧର୍ମବର୍ମଣି।
ସ୍ୱାଂ କାଷ୍ଠାମଧୂନୋପେତେ ଧର୍ମଃ ନଂ ଶରଣଂ ଗତଃ।।”

ଶୌନକଙ୍କ ଏହି ପ୍ରଶ୍ନ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଥିଲା କାରଣ ସେ ପଚାରିଥିଲେ ଯୋଗେଶ୍ୱର ଭଗବାନ ଶ୍ରୀକୃଷ୍ଣ ମର୍ତ୍ୟଧାମ ତ୍ୟାଗ କଲା ସମୟରେ ସଂସାରର କବଚ ରୂପକ ଧର୍ମଙ୍କ ଏହି କଳିଯୁଗରେ କେଉଁ ସ୍ଥାନରେ ଓ କେଉଁ ସ୍ୱରୂପ ରେ ରଖି ଦେଇ ଯାଇଛନ୍ତି। ଏହି ଜ୍ଞାନ ବିନା ଏ କଳିଯୁଗରେ ମଣିଷ ମୁକ୍ତି ପାଇବ କିପରି? ଏଥର ଶ୍ରୀସୂତ ବୁଝିଗଲେ ତାଙ୍କ ଉତ୍ତର ଦେବାର ପ୍ରକୃତ ସମୟ ଆସିଗଲା, କାରଣ ଭବବାନ ଶ୍ରୀକୃଷ୍ଣଙ୍କ ସମସ୍ତ ଲୀଳା ଶ୍ରବଣ ପାଇଁ ଉଦିଷ୍ଟ ଏହି ଆଲୋଚନା ଶେଷରେ ଜଗତ କଲ୍ୟାଣ ପାଇଁ ମଧ୍ୟ ପଥ ଖୋଜୁଛି।

ଶ୍ରୀସୂତ ଦେଖିଲେ ସେହିଦିନଟି ହେଉଛି ଏକ ପବିତ୍ର ଦିନ ଭାଦ୍ରବ ମାସ ପୁର୍ଣିମା ତିଥି, ତେଣୁ ସେ ସମସ୍ତ ପ୍ରଶ୍ନର ଉତ୍ତରରେ ନିଜେ ଶୁଣି ଆୟତ କରିଥିବା ମହାନ ଗ୍ରନ୍ଥ ଭାଗବତର ପ୍ରଥମ ସ୍କନ୍ଦ ଠାରୁ ଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ ଆଲୋଚନା ଆରମ୍ଭ କଲେ। କହିଲେ ହେ ମହାନ ଋଷି ଗଣ ଆପଣ ମାନେ ଏକ ହଜାର ବର୍ଷ ଯଜ୍ଞ କରିବାର ସଂକଳ୍ପ ନେଇଛନ୍ତି, ବର୍ତ୍ତମାନ ସେହି ଯଜ୍ଞର ଏକ ଅଭିନ୍ନ ଅଙ୍ଗ ଜ୍ଞାନ ଯଜ୍ଞ ପାଇଁ ପ୍ରସ୍ତୁତ ରୁହନ୍ତୁ, ଆପଣ ମାନେ ପଚାରି ଥିବା ସମସ୍ତ ଗୂଢ଼ ପ୍ରଶ୍ନର ଉତ୍ତର ଏକ ମହାପୁରଣରେ ଅଛି ତାର ନାମ ଶ୍ରୀମଦ ଭାଗବତ। ମୁଁ ଆଜିର ପବିତ୍ର ଦିବସରେ ତାହା ଆରମ୍ଭ କରୁଛି ଆପଣ ମାନେ ଏହି ତିଥିକୁ ସେହି ମହାନ ଗ୍ରନ୍ଥ ଶ୍ରୀମଦ ଭାଗବତଙ୍କ ଜନ୍ମତିଥି ହିସାବରେ ପ୍ରତ୍ୟେକ ବର୍ଷ ପାଳନ କରିବେ।

ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-97-like-anjana-cleansing-the-eyes-the-verses-of-the-odia-bhagavata-cleanse-our-mind/

ବିନୟ ସହକାରେ ସମସ୍ତ ଋଷି ଗଣ ଏକ ସ୍ୱରରେ ଶ୍ରୀସୂତ ଙ୍କର ଓ ଶ୍ରୀମଦ ଭାଗବତ ଗ୍ରନ୍ଥଙ୍କର ଜୟ ଜୟାକାର କଲେ ଶ୍ରୀସୂତ ଅତ୍ୟନ୍ତ ପ୍ରୀତ ମନରେ ଆରମ୍ଭ କଲେ ଶ୍ରୀମଦ ଭାଗବତ ବ୍ୟାଖ୍ୟା ଓ ତାସହିତ ଜନ କଲ୍ୟାଣ ପାଇଁ କିଛି କିଛି ଉପଦେଶ ବି ଦେଲେ । ଆସନ୍ତୁ ଅମେ ବି ସେହି ମହାନ ବାଣୀକୁ ପଠନ ଓ ମନନ କରିବା ଯଥା
କେବଳ ସାଧୁ ସଙ୍ଗ ଫଳେ।
ମୋତେ ପାଇଲେ ଅନ୍ତ କାଳେ।।
ତୁ ଯେବେ ଏକ ଭାବେ ଭାବୁ।
ଏ ଘୋର ସଂସାରୁ ତରିବୁ।।

ଜୟ ଜଗନ୍ନାଥ

(ଦ. ତ୍ରି. ଉଵାଚ)

Comments are closed.