ପର୍ଥ: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଭାରତୀୟ କ୍ରିକେଟ ଦଳର ଟପ ଅର୍ଡର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ପର୍ଥରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଅଭ୍ୟାସ ସେଶନ ସମୟରେ ଗିଲ ଆଘାତପ୍ରାପ୍ତ ହୋଇଥିଲେ । ସ୍କାନ ରିପୋର୍ଟରେ ତାଙ୍କ ବୁଢ଼ା ଅଙ୍ଗୁଳି ଭାଙ୍ଗିଥିବା ଜଣାପଡିଥିଲା । ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଅତି କମରେ ୨ ସପ୍ତାହ ସମୟ ଲାଗିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଯେତେଦୂର ସମ୍ଭବ ସେ ଦ୍ୱିତୀୟ ଟେଷ୍ଟ ପୂର୍ବର ଫିଟ ହୋଇ ଯାଇଥିବେ ବୋଲି ଆଶା ବ୍ୟକ୍ତ କରାଯାଇଛି ।
ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଥମ ଟେଷ୍ଟରେ ଖେଳିବେ କି ନାହିଁ ସ୍ପଷ୍ଟ ହୋଇ ନାହିଁ । ସେ ନିକଟରେ ବାପା ହୋଇଥିବାରୁ ପତ୍ନୀଙ୍କ ପାଖରେ ଆଉ କିଛି ଦିନ ରହିବେ ବୋଲି ଆଶା କରାଯାଉଛି । ତେବେ ରୋହିତ ଏ ସମ୍ପର୍କରେ ବିଧିବଦ୍ଧ କିଛି ଜଣାଇ ନାହାନ୍ତି । ଏହି ଦୁଇ ଜଣଙ୍କ ଅନୁପସ୍ଥିତିରେ କେଏଲ ରାହୁଲଙ୍କୁ ଓପନିଂ କରିବା ସୁଯୋଗ ମିିଳିପାରେ ବୋଲି ଅନୁମାନ କରାଯାଉଛି । ରାହୁଲ ଅବଶ୍ୟ ଅଭ୍ୟାସ ମ୍ୟାଚ ସମୟରେ ଆଘାତପ୍ରାପ୍ତ ହୋଇଥିଲେ । ତେବେ ସେ ଫିଟ ଅଛନ୍ତି ବୋଲି ଟିମ ମ୍ୟାନେଜମେଂଟ ପକ୍ଷରୁ କୁହାଯାଇଛି । ରୋହିତ ଏହି ଗସ୍ତରେ ନ ଗଲେ ୱିକେଟକିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲଙ୍କୁ ଦଳରେ ସାମିଲ କରାଯାଇପାରେ । ଅଷ୍ଟ୍ରେଲିଆ ଏ ବିପକ୍ଷରେ ସେ ତାଙ୍କ ପ୍ରଦର୍ଶନ ବଳରେ ଚୟନ କମିଟିଙ୍କୁ ପ୍ରଭାବିତ କରିପାରିଛନ୍ତି ।