Latest Odisha News

ଭୁବନେଶ୍ୱର ତଥା ଉପକଣ୍ଠ ୧୮ଟି ଗାଁରେ ବଳବତ୍ତର ରହିବ ସଟ୍ ଡାଉନ

ଭୁବନେଶ୍ୱର: ରାଜ୍ୟରେ ଛଅ ଜଣ କରୋନା ପଜିଟିଭ ରୋଗୀ ଚିହ୍ନଟ ପରେ ତିନିଟି ସହରକୁ ୪୮ ଘଣ୍ଟା ତଥା ଦୁଇ ଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ସହରଗୁଡିକ ହେଲା ଭୁବନେଶ୍ୱର, କଟକ ଓ ଭଦ୍ରକ । ଏହି ତିନି ସହରରେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକଟି ବ୍ୟକ୍ତିଙ୍କୁ ଚିହ୍ନଟ ସହ ସେମାନଙ୍କୁ ସଙ୍ଗନିରୋଧ ବା ଏକାନ୍ତବାସରେ ରଖାଯାଉଛି । ଏଥି ସହ ବହୁ ସଂଖ୍ୟାରେ ନମୁନା ପରୀକ୍ଷା ହେଉଛି ।

ତେବେ ୪୮ ଘଂଟାର ସଟ୍ ଡାଉନ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୮ଟା ଯାଏଁ ବଳବତ୍ତର ରହିବ । ଏହା କଟକ ସହର, ଭଦ୍ରକ ସହର ଏବଂ ଭୁବନେଶ୍ୱର ଓ ଏହାର ଉପକଣ୍ଠଗୁଡିକ ପାଇଁ ଲାଗୁ ହେବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଭୁବନେଶ୍ୱର ଉପକଣ୍ଠର ୧୮ଟି ଗାଁର ନାଁ ଘୋଷଣା ହୋଇଛି । ଏଗୁଡିକ ହେଲା ବାସୁଆଘାଇ, ଶିଶୁପାଳଗଡ, ଲିଙ୍ଗିପୁର, ରଣସିଂହପୁର, ତମାଣ୍ଡୋ, ମଳିପଡା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥପୁର, ବରିମୁଣ୍ଡ,ଦାରୁଠେଙ୍ଗ, ଚନ୍ଦକା, ଧଉଳି, ଯାଆଁଳା, ସିଜୁଆ, ବାଳକାଟି, ପ୍ରତାପ ଶାସନ, ବାଲିଅନ୍ତା, ଜଗନ୍ନାଥପୁର, ଜଟଣୀର ପ୍ରଧାନସାହି । ଏହି ସବୁ ଅଞ୍ଚଳରେ ସଟ୍ ଡାଉନର ନିୟମ ପାଳନ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।

ଗାଇଡଲାଇନ ଅନୁଯାୟୀ ସମସ୍ତ ଦୋକାନବଜାର, ଅଫିସ ବନ୍ଦ ରହିବ । କିନ୍ତୁ ହସ୍ପିଟାଲ, ଟେଲିକମ ସେବା, ପେଟ୍ରୋଲ ପମ୍ପ, ଗଣମାଧ୍ୟମ ସଂସ୍ଥା, ବିଦ୍ୟୁତ କର୍ମଚାରୀଙ୍କ ଉପରେ ଏହି କଟକଣା ଲାଗିବ ନାହିଁ । ତେବେ ଡ୍ରଗ କଣ୍ଟ୍ରୋଲର ଅନୁମତି ଦେଇଥିବା ଔଷଧ ଦୋକାନ କେବଳ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.