ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ ଚଳିତ ବର୍ଷ ଇଦ୍ ଅର୍ଥାତ୍ ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମକୁ ପ୍ରଶଂସକମାନେ ବେଶ୍ ଉତ୍ସାହର ସହିତ ଅପେକ୍ଷା ମଧ୍ୟ କରିଛନ୍ତି । ଟ୍ରେଲର ରିଲିଜ ହେବା ପରଠାରୁ ଉତ୍ସାହିତ ପ୍ରଶଂସକମାନେ ଚାତକ ପରି ସତେ ଯେମିତି ଚାହିଁ ବସିଛନ୍ତି ଟିକେଟ୍ ବୁକିଂ ପାଇଁ । ଆଉ ଏହାରି ଭିତରେ ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇସାରିଛି । ଆଡଭାନ୍ସ ବୁକିଂରେ ଦମଦାର କଲେକ୍ସନ କଲାଣି ସିକନ୍ଦର ।
କେବଳ ଏତିକି ନୁହେଁ ପ୍ରଶଂସକଙ୍କ ଉତ୍ସାହ ଦେଖି ଫିଲ୍ମର ଟିକେଟ ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ଫିଲ୍ମ ଟିକେଟର ଏହି ଉଚ୍ଚ ମୂଲ୍ୟ ସ୍ପଷ୍ଟ କରୁଛି ଯେ ଲୋକମାନେ ‘ସିକନ୍ଦର’କୁ ନେଇ କେତେ ଉତ୍ସାହିତ ହୋଇଛନ୍ତି । ମେଟ୍ରୋ ସହରଗୁଡ଼ିକରେ, ସିକନ୍ଦରର ଟିକେଟ୍ ₹୨୦୦୦ ରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । କିଛି ସିଙ୍ଗଲ୍ ସ୍କ୍ରିନ୍ ଥିଏଟରରେ ରିକ୍ଲାଇନର୍ ସିଟ୍ ମଧ୍ୟ ₹୭୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଗତକାଲିଠୁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ବୁକିଂ ୱେବସାଇଟ୍ BookMyShow ଗତକାଲି ସନ୍ଧ୍ୟା ସୁଦ୍ଧା ଦେଶର ପ୍ରାୟ ସମସ୍ତ ସିନେମା ହଲ୍ ପାଇଁ ଆଗୁଆ ବୁକିଂ ଆରମ୍ଭ କରିଦେଇଛି।
ରିପୋର୍ଟ ଅନୁଯାୟୀ, ମୁମ୍ବାଇର ଦାଦରର ପ୍ଲାଜା ସିନେମାରେ ସନ୍ଧ୍ୟାର ଶୋ’ରେ ରିକ୍ଲାଇନର୍ ସିଟ୍ ପାଇଁ ଟିକେଟ୍ ମୂଲ୍ୟ ₹ ୭୦୦ ପର୍ଯ୍ୟନ୍ତ ରହିଛି। ଏହା ମୁମ୍ବାଇର ଏକ ସିଙ୍ଗଲ୍ ସ୍କ୍ରିନ୍ ଥିଏଟର ପାଇଁ ବହୁତ ଅଧିକ। ଯାହାକୁ ନେଇ ଲୋକଙ୍କ ମନରେ ଅଶାନ୍ତି ଦେଖାଦେଇଛି । ସେହିପରି ଦିଲ୍ଲୀ ଡିଲାଇଟ୍ ସମେତ ଦିଲ୍ଲୀର ଅନ୍ୟାନ୍ୟ ସ୍ଥାନରେ ଅଧିକାଂଶ ସିଙ୍ଗଲ୍ ସ୍କ୍ରିନ୍ ପାଇଁ ଟିକେଟ୍ ମୂଲ୍ୟ ₹୯୦-୨୦୦ ମଧ୍ୟରେ ରହିଛି। ମୁମ୍ବାଇର ମଲ୍ଟିପ୍ଲେକ୍ସଗୁଡ଼ିକ ୨୨୦୦ ଟଙ୍କାରେ ‘ଡାଇରେକ୍ଟର କଟ୍’ କିମ୍ବା ‘ଲକ୍ସ’ ଟିକେଟ୍ ବିକ୍ରି କରୁଛନ୍ତି। ଦିଲ୍ଲୀରେ, ଏହି ମୂଲ୍ୟଗୁଡ଼ିକ ₹୧୬୦୦ ରୁ ₹୧୯୦୦ ମଧ୍ୟରେ ରହିଛି। ବଡ଼ ସହରଗୁଡ଼ିକର ଅନେକ ଥିଏଟରରେ ସାଧାରଣ ମଲ୍ଟିପ୍ଲେକ୍ସ ସିଟ୍ର ମୂଲ୍ୟ ₹୮୫୦-୯୦୦ ରହିଛି।
୨୦୨୫ ମାର୍ଚ୍ଚ ୩୦ରେ ଇଦ୍ ଅବସରରେ ସିକନ୍ଦର ଫିଲ୍ମ ସିନେମା ହଲକୁ ଆସିବ ସାଜିଦ୍ ନାଡିଆଡୱାଲା ‘ସିକନ୍ଦର’ର ପ୍ରଯୋଜନା ଦାୟିତ୍ୱ ତୁଲାଉଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଏ. ଆର ମୁଗୁଗଦାସ। ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ କାଜଲ ଅଗ୍ରୱାଲ, ରଶ୍ମିକା ମନ୍ଦାନା, ସତ୍ୟରାଜ, ଶର୍ମନ ଜୋଶୀ ଏବଂ ପ୍ରତୀକ ବବର ମଧ୍ୟ ନଜର ଆସିବେ।
Comments are closed.