Latest Odisha News

ସିମ୍‌ ବକ୍ସ ଖୋଳତାଡ଼; ରାଞ୍ଚି ଗଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍

ଭୁବନେଶ୍ୱର: ସିମ୍ ବକ୍ସର ଚେର ଖୋଜି ଖୋଜି ଝାଡ଼ଖଣ୍ଡରେ କମିଶନରେଟ୍ ପୋଲିସ୍ । ଝାଡ଼ଖଣ୍ଡ ରାଞ୍ଚିରେ ଆଉ ଏକ ଘରେ ସିମ୍ ବକ୍ସ ଲଗାଇଥିବା ରାଜୁ ମଣ୍ଡଳ ପୋଲିସକୁ ସୂଚନା ଦେବା ପରେ ତାକୁ ସାଙ୍ଗରେ ଧରି ୨ଟି ଟିମ୍ ରାଞ୍ଚି ଯାଉଛି।

ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚି ଅଭିମୁଖେ ବାହାରିଛି ସ୍ପେଶାଲ୍ ସ୍କ୍ୱାଡ୍। ଭୁବନେଶ୍ବର, କଟକ ପରେ ରାଞ୍ଚିରେ ସିମ୍‌ବକ୍ସ ତଥ୍ୟ ପରେ ଆରମ୍ଭ ହୋଇଛି ଛାନଭିନ୍। ତେବେ ଆତଙ୍କୀ ଲିଙ୍କ ଥିବା ନେଇ ରାଜୁ ମଣ୍ଡଳକୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି କମିଶନରେଟ୍ ପୋଲିସ।

ମାଷ୍ଟରମାଇଣ୍ଡ ଅସଦୂରକୁ ଧରିବାକୁ ଇଣ୍ଟରପୋଲ ସହାୟତା ନିଆଯାଇଛି। ଆତଙ୍କବାଦୀ ଲିଙ୍କ୍‌ ସନ୍ଦେହରେ ଭୁବନେଶ୍ବରରେ NIA ମଧ୍ୟ ପହଞ୍ଚିଥିବା ସୂଚନା ମିଳିଛି। ଭୁବନେଶ୍ବର ଓ କଟକରୁ ୧୨ଟି ସିମ୍ ବକ୍ସ ଜବତ କଲାଣି ପୋଲିସ।

୨୦୨୩ ଅକ୍ଟୋବର ୨୧ରେ ଆଶାଦ୍ଦୁର ଭାରତ ଆସି ଭୁବନେଶ୍ୱରରେ ରାଜୁଙ୍କ ସହ ଷ୍ଟେଶନ ବଜାରସ୍ଥିତ ଲିଙ୍ଗରାଜ ହୋଟେଲରେ ରହିଥିଲେ। ତେଣୁ ଅଭିଯୁକ୍ତଦ୍ୱୟ ହୋଟେଲରେ କେଉଁ ଡକ୍ୟୁମେଣ୍ଟ ଦେଇ ରହିଥିଲେ ଏବଂ କେତେଦିନ ରହିଥିଲେ, ସେନେଇ ପୋଲିସ ଖୋଳତାଡ କରିଛି। ସୋମବାର ଲକ୍ଷ୍ମୀସାଗର ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓ, ଏସିପି ମାନସ କୁମାର ଦେଓ ଲିଙ୍ଗରାଜ ହୋଟେଲରେ ପହଞ୍ଚି ପଚରାଉଚରା କରିବା ସହ ଯାଞ୍ଚ କରିଥିଲେ।

ପୋଲିସ ଟିମ୍‌ ହୋଟେଲର ରେଜିଷ୍ଟର, ସିସିଟିଭି ଫୁଟେଜ୍‌ ଆଦି ତନ୍ନତନ୍ନ ଯାଞ୍ଚ କରିବା ପରେ ଅଭିଯୁକ୍ତଦ୍ୱୟଙ୍କ ରହଣି ବିବରଣୀ ଆଦିର ତଥ୍ୟ ହାସଲ କରିଛି। ଇତିମଧ୍ୟରେ ରାଜୁଙ୍କ ୫ ଦିନିଆ ରିମାଣ୍ଡ ଅବଧି ମଧ୍ୟରୁ ଆଉ ୩ଦିନ ଥିବାବେଳେ ଏହି ସମୟ ମଧ୍ୟରେ ପଚରାଉଚରା କରି ପୋଲିସ ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା କରିଛି।

Comments are closed.