Latest Odisha News

ଦୁଃଖଦ ଘଟଣା: ଲାଇଭ ଷ୍ଟେଜରେ ଗୀତ ଗାଇବା ବେଳେ ଟଳି ପଡିଲେ ବଲିଉଡ ସିଙ୍ଗର କେକେ

କୋଲକାତା: ଲୋକପ୍ରିୟ ବଲିଉଡ ସିଙ୍ଗର କେକେଙ୍କର ପରଲୋକ । ୫୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ସେ କୋଲକାତାରେ ଏକ ଇଭେଣ୍ଟରେ ଲାଇଭ୍ ପରଫର୍ମ କରୁଥିବା ବେଳେ ହଠାତ ତଳେ ପଡି ଯାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ ରାତି ୧୦ଟା ୩୦ ସମୟରେ ତାଙ୍କୁ ହସ୍ପିଟାଲରେ ଅଣାଯାଇଥିଲା । ସେ ଦକ୍ଷିଣ କୋଲକାତାର ନଜରୁଲ ମଞ୍ଚରେ ଗୀତ ଗାଉଥିବା ବେଳେ ଅସୁସ୍ଥ ହୋଇପଡିଥିଲେ। ଏହାପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିଏମଆରଆଇ)ରେ ଭର୍ତ୍ତି କରାଯାଇଥିଲା ।

କେକେଙ୍କ ମୃତ୍ୟୁ ସମ୍ପର୍କରେ ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ଅରୂପ ବିଶ୍ୱାସ କହିଛନ୍ତି, ‘ଗାୟକ ଅନୁପମ ରାୟ ମୋତେ ଫୋନ୍ କରି କହିଲେ ଯେ କେକେଙ୍କର ବିୟୋଗ ହୋଇଛି । ହସ୍ପିଟାଲକୁ ଅଣାଯିବା ବେଳେ ତାଙ୍କର ମୃତ୍ୟୁ ଘଟିଛି’। କେକେଙ୍କର ଜନ୍ମ ଦିଲ୍ଲୀରେ ହୋଇଥିଲା । ଲାଇଭ୍ ସୋ’ ପାଇଁ ସେ ଖୁବ୍ ଲୋକପ୍ରିୟ ଥିଲେ।

୧୯୯୯ରେ କେକେ ତାଙ୍କର ପ୍ରଥମ ଆଲବମ ‘ପଲ’ ରିଲିଜ କରିଥିଲେ। ଏହି ଗୀତିକାରଙ୍କର ପ୍ରକୃତ ନାମ କୃଷ୍ଣକୁମାର କୁନାଥ । ସେ କେକେ ଭାବରେ ପରିଚିତ । ବଲିଉଡର ହିଟ୍ ଟ୍ରାକ୍ ତଡ଼ପ ତଡ଼ପ (ହମ୍ ଦିଲ୍ ଦେ ଚୁକେ ସନମ୍, ୧୯୯୯), ଦସ୍ ବାହାନେ (ଦସ, ୨୦୦୫), ଏବଂ ତୁନେ ମାରି ଏଣ୍ଟ୍ରି (ଗୁଣ୍ଡେ, ୨୦୧୪), ଖୁଦା ଜାନେ (ବଚ ନା ଏ ହସିନୋ) ଭଳି ହିଟ୍ ଦେଇଥିଲେ।

Comments are closed.