Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବରଯାତ୍ରୀ ଗାଡି, ୬ ମୃତ

ସମ୍ବଲପୁର: ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଦୁର୍ଘଟଣାର ଶିକାର ହୋଇଛି ଏକ ବରଗାଡି ଯାତ୍ରୀ। ବିଳମ୍ବିତ ରାତିରେ ସମ୍ବଲପୁରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟ ଜଣଙ୍କର କୌଣସି ଖୋଜଖବର ମିଳୁନାହିଁ।

ମିଳିଥିବା ସୂଚନା ଅନୁଯାୟୀ ବରଯାତ୍ରୀ ଭାବେ ଏକ ବିବାହ ଭୋଜିରେ ଯୋଗଦେବାକୁ ଏକ ଗାଡ଼ିରେ ଝାରସୁଗୁଡା କନକତୁରା ବଡଧରା ଗାଁରୁ ସମ୍ବଲପୁରର ପାରମାଣପୁରକୁ ଆସିଥିଲେ। ବିବାହ ଭୋଜି ଖାଇ ସାରି ଫେରିବା ବେଳେ ଶାସନ କେନାଲ ନିକଟରେ ବରଯାତ୍ରୀ  ଦୁର୍ଘଟଣାର ଶିକାର ହୋଇଛନ୍ତି। ବୋଲେରୋ ଗାଡିରେ ସମସ୍ତ ଯାତ୍ରୀ ଥିଲେ। ରାତିରେ ଡ୍ରାଇଭରର ନିଦ ଲାଗିଯିବାରୁ କିମ୍ବା ଭାରସାମ୍ୟ ହରାଇବାରୁ ଏପରି ଏକ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଦୁର୍ଘଟଣା ପରେ ଡ୍ରାଇଭରଙ୍କର କୌଣସି ଖୋଜ ଖବର ମିଳୁନାହିଁ। ମୃତକମାନେ ସମସ୍ତେ ଯୁବକ ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କହିଛନ୍ତି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଦୁଇ ଜଣ ରହିଥିବା ମଧ୍ୟ ସୂଚନା ରହିଛି। ଏହି ମୃତକମାନେ ହେଲେ ବଡ଼ଧରା ଗ୍ରାମର ସୁବଳ ଭୋଇ, ସୁମନ୍ତ ଭୋଇ, ସୂରଜ ସେଠ, ଦିବ୍ୟ ଲୁହା, ଅଜିତ ଖମାରି ଓ ରମାକାନ୍ତ ଭୟର।

ସମ୍ବଲପୁର ଉପଜିଲ୍ଲପାଳ ଘଟଣାସ୍ଥଳରେ ପହଁଚିବା ସହିତ ହସ୍ପିଟାଲ ଆସି ଅନୁଧ୍ୟାନ କରିଛନ୍ତି। ଏବେ ସଂପୃକ୍ତ କାରଟିକୁ ଜବତ କରାଯାଇଛି। କାରଟିର ଗାଡି ନମ୍ବରକୁ ଯାଞ୍ଚ କରାଯାଇ ମାଲିକ ପାଖରେ ପହଁଚିବାକୁ ପୋଲିସ ପ୍ରୟାସ କରିବ। ଏଥିସହ କାରଟିର ଫିଟନେସ ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ର ରହିଥିଲା କି ନାହିଁ ଯାଞ୍ଚ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.