ସମ୍ବଲପୁର: ସମ୍ବଲପୁର ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି । ଏମାନଙ୍କଠାରୁ ୮ଟି ବନ୍ଧୁକ ଏବଂ ୨୨ଟି ଗୁଳି ଜବତ କରିଛି ପୋଲିସ । ଏଥି ସହ ଗୋଟିଏ ଖଣ୍ଡା, ୩ଟି ଗାଡି, ୧୧ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି ।
ବନ୍ଧୁକ କାରବାର କରୁଥିବା ଅଭିଯୋଗରେ ଏହି ୬ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ମହମ୍ମଦ ସମଶେର ଓରଫ ପାଗଳା (୩୯), ମହମ୍ମଦ ମୌସିମ (୪୧), ମୁନୁ ପାଣ୍ଡେ (୨୩), ମୋହିତ ପାଶ୍ୱାନ (୨୦), ସନ୍ତୋଷ ମହାରଣା (୩୮) ଓ ମହମ୍ମଦ ଅହମ୍ମଦ (୪୨)।
ସମ୍ବଲପୁରର ୪ଟି ଥାନା ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୮ଟି ବନ୍ଧୁକ, ୨୨ଟି ଗୁଳି, ୬ଟି ମୋବାଇଲ ଫୋନ୍, ୩ଟି ଗାଡ଼ି (ଗୋଟିଏ ପିକ୍ଅପ୍ ଭ୍ୟାନ, ଗୋଟିଏ ବୁଲେଟ ଓ ଗୋଟିଏ ସ୍କୁଟି) ଓ ୧୧ ଲକ୍ଷ ୨୦ ହଜାର ୮୫୦ ଟଙ୍କା ଜବତ କରାଯାଇଛି।
ସମ୍ବଲପୁର ଏସ୍ପି ମୁକେଶ କୁମାର ଭାମୁ କହିଛନ୍ତି, ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦୁଇ ଜଣଙ୍କର ଅପରାଧିକ ପୃଷ୍ଠଭୂମି ରହିଛି । ତେଣୁ ଜବତ ବନ୍ଧୁକଗୁଡ଼ିକ ଅପରାଧ ସଂଘଟିତ କରିବା ତଥା ବିକ୍ରି ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିବା ଅନୁମାନ କରାଯାଉଛି। ତେବେ ସେମାନେ କେଉଁଠାରୁ ଏହି ବନ୍ଧୁକ ଗୁଡ଼ିକ ଆଣିଥିଲେ, ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ପୋଲିସ ସୂଚନା ଅନୁଯାୟୀ, ମହମ୍ମଦ ସମଶେର ନାଁରେ ଭିନ୍ନ ଭିନ୍ନ ଥାନାରେ ୧୧ଟି ମାମଲା ରହିଛି। ତା’ଠାରୁ ଦୁଇଟି ଦେଶୀ ବନ୍ଧୁକ ଓ ୪ଟି ଗୁଳି ଜବତ କରାଯାଇଛି। ସେହିପରି ସୁନାପାଲିର ମହମ୍ମଦ ମୌସିମ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ୪ଟି ଗୁଳି ଜବତ କରାଯାଇଛି। ତେବେ ତା’ ନାଁରେ ପୂର୍ବରୁ କୌଣସି ମାମଲା ନାହିଁ।
ସେହିପରି ମୁନୁ ପାଣ୍ଡେ ଓ ମୋହିତ ପାଶ୍ୱାନଙ୍କୁ ଗିରଫ କରିଛି ଠେଲକୋଲୋଇ ଥାନା ପୁଲିସ। ସନ୍ତୋଷ ମହାରଣାକୁ ଅଇଁଠାପାଲି ପୁଲିସ ଗିରଫ କରିଛି। ମୁନୁ ପାଣ୍ଡେ ଉତ୍ତର ପ୍ରଦେଶର ଲୋକ ହୋଇଥିବା ବେଳେ ଏବେ ଝାରସୁଗୁଡ଼ା ସଦର ଥାନା ଅଞ୍ଚଳରେ ରହୁଥିଲା। ସନ୍ତୋଷ ମହାରଣା ଘର ଅଇଁଠାପାଲିର ଜଗନ୍ନାଥ କଲୋନୀରେ।
ମୁନୁ ପାଣ୍ଡ ନାଁରେ ଭିନ୍ନ ଭିନ୍ନ ଥାନାରେ ୩ଟି ମାମଲା ରହିଥିବା ବେଳେ ତା’ଠାରୁ ଗୋଟିଏ ଦେଶୀ ରିଭଲଭର ଓ ଗୋଟିଏ ଗୁଳି ଜବତ କରାଯାଇଛି। ସନ୍ତୋଷ ମହାରଣା ଠାରୁ ୨ଟି ବନ୍ଧୁକ (ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ଅଟୋମେଟିକ ପିସ୍ତଲ) ଓ ୭ଟି ଗୁଳି ଜବତ କରାଯାଇଛି। ତା’ ବୁଲେଟକୁ ମଧ୍ୟ ପୁଲିସ ଜବତ କରିଛି। ତା’ ନାଁରେ ପୂର୍ବରୁ କୌଣସି ମାମଲା ନାହିଁ । ସେହିପରି ମୋହିତ ଶର୍ମା ନାଁରେ ପୂର୍ବରୁ କୌଣସି ମାମଲା ନଥିବା ବେଳେ ତା’ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ମୋହିତର ଘର ବିହାରରେ। ଏବେ ସେ ଝାରସୁଗୁଡ଼ାରେ ରହୁଥିଲା।
Comments are closed.