Latest Odisha News

BREAKING NEWS

ହୋଇପାରୁନି ବନକଲାଗି ନୀତି, ଦତ୍ତମହାପାତ୍ର ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର କାରଣ ଦର୍ଶାଅ ନୋଟିସ

ପୁରୀ: ନିଳାଦ୍ରୀବିଜେଠୁ ହୋଇପାରିନି ଶ୍ରୀଜିଉଙ୍କ ବନକଲାଗି ନୀତି। ସପ୍ତାହକରେ ବୁଧବାର ନା ଗୁରୁବାର କେହେ ହେବ ଏହି ନୀତିକାନ୍ତି ସେନେଇ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ବନକଲାଗି ନୀତି ପାଇଁ ଦାୟୀ ଦତ୍ତମହାପାତ୍ର ନିଯୋଗଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନୋଟିସ୍ ଜାରି କରାଯାଇଛି। ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ହୋଇଛି ନୋଟିସ।

ତିନି ଦିନ ମଧ୍ୟରେ ଏହାର ଉତ୍ତର ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଯୋଗକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏ ସଂକ୍ରାନ୍ତରେ ଆଲୋଚନା କରାଯାଇ କିଭଳି ବନକ ଲାଗି ନୀତି ଶୃଙ୍ଖଳିତ ହେବ ତା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ବନକଲାଗି ନୀତି ବିବାଦକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବୈଠକ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର କମାଣ୍ଡର, ନୀତି ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ଙ୍କୁ ନେଇ ଆଲୋଚନା ପରେ କାର୍ଯ୍ୟରେ ଅବହେଳା ପାଇଁ ଦତ୍ତ ମହାପାତ୍ର ନିଯୋଗକୁ ନୋଟିସ କରାଯାଇଛି। ତେବେ ଏ ପ୍ରସଙ୍ଗରେ ନିଯୋଗର ଉତ୍ତର ମିଳିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

୨୦୧୮ ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ପ୍ରତି ବୁଧବାର ବନକଲାଗି କରାଯାଉଛି। ଛଅବର୍ଷ ଧରି ବନକଲାଗି ନୀତି ପ୍ରତି ବୁଧବାର ହେଉଥିବା ବେଳେ ଏବେ କାହିଁକି ଗୁରୁବାର କରିବା ପାଇଁ ଜିଦ୍ ଧରୁଛି ନିଯୋଗ ସେ ନେଇ ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ନୀଳାଦ୍ରି ବିଜେ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ ଭାଇ ବଳଭ୍ରଦ ଓ ଭଉଣୀ ସୁଭଦ୍ରା ଶ୍ରୀମନ୍ଦିରକୁ ଫେରିବାର ୨୦ ଦିନ ବିତି ଯାଇଥିଲେ ମଧ୍ୟ ସେମାନେ ସେମାନଙ୍କ ପବିତ୍ର ‘ଶୃଙ୍ଗାର’ରୁ ବଞ୍ଚିତ, ଯାହା ବନକଲାଗି ରୀତିନୀତି ଭାବେ ପରିଚିତ।

ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସ ଅନୁଯାୟୀ ମାସକୁ ଅତି କମରେ ଚାରିଥର ଏହି ନୀତି ଅନୁଷ୍ଠିତ ହେବା କଥା, କିନ୍ତୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବାୟତଙ୍କ ମଧ୍ୟରେ ଏକ କଥିତ ବିବାଦ ଯୋଗୁ ଏହି ନୀତିକାନ୍ତି ବାଧାପ୍ରାପ୍ତ ହୋଇଛି।

ସୂତ୍ରରୁ ପ୍ରକାଶ, ଦତ୍ତମହାପାତ୍ର ସେବାୟତମାନେ ପ୍ରତି ଗୁରୁବାର ଦିନ ନୀତିକାନ୍ତି କରିବାକୁ ଜିଦ୍ ଧରୁଥିବା ବେଳେ ବୁଧବାର ଦିନ ଏହାକୁ କରିବାକୁ ମନ୍ଦିର ପ୍ରଶାସନ ଆଗ୍ରହ ପ୍ରକାଶ କରୁଥିବାରୁ ବିବାଦ ଦେଖାଦେଇଛି।

Comments are closed.