ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଞ୍ଚଲ୍ୟ । ବନ୍ଦ ଘରୁ ଉଦ୍ଧାର ହୋଇଛି ୫ଟି ନରକଙ୍କାଳ । ଚିତ୍ରଦୁର୍ଗ ଜିଲ୍ଲା ଜେଲ୍ ରୋଡ୍ରେ ଥିବା ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ଘରୁ ୫ଟି ନରକଙ୍କାଳ ଉଦ୍ଧାର କରିଛି ପୋଲିସ ।
ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଘରର ମାଲିକ ହେଉଛନ୍ତି ଜଗନ୍ନାଥ ରେଡ୍ଡୀ।ଜଗନ୍ନାଥ ରେଡ୍ଡୀ ତୁମକୁର PWD ବିଭାଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । କାର୍ଯ୍ୟକାଳ ଶେଷ ହେବା ପରେ ସେଠାରେ ସ୍ତ୍ରୀ ପ୍ରେମକ୍କା, ଝିଅ ତ୍ରିବେଣୀ, ପୁଅ କୃଷ୍ଣ ଓ ନରେନ୍ଦ୍ରଙ୍କ ସହିତ ରହୁଥିଲେ।ଜଗନ୍ନାଥ ରେଡ୍ଡୀଙ୍କ ବୟସ ପ୍ରାୟ ୮୦ ବର୍ଷ। ଜେଲ୍ ରୋଡରେ ଥିବା ସେହି ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ୫ଟି କଙ୍କାଳ ପଡିଥିବା ଜଗନ୍ନାଥଙ୍କ ସମ୍ପର୍କୀୟ ପୱନ କୁମାର ସିଟି ପୋଲିସ ଷ୍ଟେସନରେ ଅଭିଯାଗ କରିଥିଲେ ।
ପୱନଙ୍କ କହିବା ଅନୁସାରେ, ଜଗନ୍ନାଥ ରେଡ୍ଡୀଙ୍କ ପରିବାର ସହ ପ୍ରାୟ ୩-୪ବର୍ଷ ହେଲା ଯୋଗାଯୋଗ ନଥିଲା। କଙ୍କାଳ ସବୁ ଜଗନ୍ନାଥ ଓ ତାଙ୍କର ପରିବାରବର୍ଗଙ୍କର ହୋଇଥାଇ ପାରେ ବୋଲି ସେ ସନ୍ଦେହ କରୁଛନ୍ତି। ଘଟଣାର ତଦନ୍ତ କରିବା ଲାଗି ସେ ପୋଲିସକୁ ଅନୁରୋଧ କରିଛନ୍ତି।
ପୋଲିସ ପାଞ୍ଚ ଜଣଙ୍କ କଙ୍କାଳ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଯଦିଓ ସେହି କଙ୍କାଳଗୁଡିକ ଜଗନ୍ନାଥ ରେଡ୍ଡୀଙ୍କ ପରିବାର ଲୋକଙ୍କର ବୋଲି ସନ୍ଦେହ କରାଯାଉଛି ମାତ୍ର ଏହା ସ୍ପଷ୍ଟ ହୋଇପାରନି । ବର୍ତ୍ତମାନ ପୋଲିସ ସେହି କଙ୍କାଳଗୁଡିକର ପରିଚୟ ଖୋଜୁଛି ଓ କେବେ ମୃତ୍ୟୁ ହେଲା ସେନେଇ ତଦନ୍ତ କରୁଛି । ଏହି କଙ୍କାଳଗୁଡିକ ମେଡିକାଲରେ ପରୀକ୍ଷା କରାଯିବା ପରେ ସ୍ପଷ୍ଟ ହେବ।
Comments are closed.