Latest Odisha News

BREAKING NEWS

ବସ୍ତି ବାସିନ୍ଦାଙ୍କୁ ଥାଇଥାନ ଦାବିରେ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା : ବସ୍ତି ବାସିନ୍ଦାଙ୍କୁ ଥଇଥାନ ଦାବିରେ ରାୟଗଡ଼ାରେ ଜୋର ଧରିଲା ପ୍ରତିବାଦ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ବସ୍ତି ବାସିନ୍ଦା । ଓଡ଼ିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଅଧିନିୟମ-୨୦୧୭ ଅନୁଯାୟୀ ତୁରନ୍ତ ଥଇଥାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ଥଇଥାନ ନକରି ଯଦି ଉଚ୍ଛେଦ କରାଯାଏ ତେବେ ବିରାଟ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବସ୍ତି ବାସିନ୍ଦା ।

ନୂତନ ରେଳ ଡିଭିଜନ କାର୍ଯ୍ୟାଳୟ ସହ ବିଜୟନଗରମ-ଟିଟିଲାଗଡ଼ ତୃତୀୟ ରେଳଧାରଣା ପାଇଁ ରାୟଗଡ଼ା ସହରର ଅନେକ ବସ୍ତିକୁ ହଟାଯିବ । ରାୟଗଡ଼ା ସହର ଭିତରେ ୪୦ରୁ ଅଧିକ ବସ୍ତି ରହିଥିବା ବେଳେ, ରେଳ ବିଭାଗ ଜମିରେ ସର୍ବାଧିକ ରହିଛି । ତେଣୁ ଏସବୁ ବସ୍ତିକୁ ଖାଲି କରିବାକୁ ନୋଟିସ କରିଛି ରେଳ ବିଭାଗ । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ହଜାର ହଜାର ବସ୍ତି ବାସିନ୍ଦା । ନୂଆସାହି, କୋଇଲାପଡ଼ା, ଆମ୍ବେଦକର ନଗର ବସ୍ତିରେ ସର୍ବାଧିକ ଲୋକ ରହୁଥିବା ବେଳେ, ସେମାନଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନ କରିବାକୁ ଦାବି ହୋଇଛି ।

ଦୀର୍ଘ ୫୦ ବର୍ଷ ଧରି ଏସବୁ ସ୍ଥାନରେ ରହି ଆସୁଛନ୍ତି ବସ୍ତି ବାସିନ୍ଦା । ଯଦି ଏସବୁ ସ୍ଥାନରେ ଉଚ୍ଛେଦ କରାଯାଏ ତେବେ ସେମାନେ କେଉଁଠି ରହିବେ ବୋଲି ପ୍ରଶ୍ନ କରିଛନ୍ତି ବସ୍ତି ବାସିନ୍ଦା । ସହର ଭିତରେ ଅନେକ ସରକାରୀ ଜମି ଥିବା ବେଳେ ସେଠାରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଗୃହ ପ୍ରଦାନ କରିବାକୁ ଦାବି ହୋଇଛି । ନଚେତ ହାଲୁଆ ପଞ୍ଚାୟତରେ ସ୍ଥାନ ନିରୁପଣ କରି ଜାଗା ପ୍ରଦାନ କରାଗଲେ ସମସ୍ତେ ଉପକୃତ ହେବେ ବୋଲି କହିଛି ବସ୍ତି ବାସିନ୍ଦା ମହାସଂଘ । ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ବସ୍ତି ବାସିନ୍ଦାଙ୍କ ଦାବିକୁ ଗ୍ରହଣ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.