Latest Odisha News

ଛୋଟ ଦଳ, ବଡ ଆୟ

ନୂଆଦିଲ୍ଲୀ: ଭାରତର ପ୍ରମୁଖ ଆଂଚଳିକ ଦଳ ମଧ୍ୟରେ କାହାର ଆୟ ଅଧିକ । କିଏ ଅଧିକ ଖର୍ଚ୍ଚ କରେ । ଦେଶର କିଛି ପ୍ରମୁଖ ଆଂଚଳିକ ଦଳର ଆୟବ୍ୟୟ ହିସାବ ଜାରି ହୋଇଛି । ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ-ଏଡିଆର ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଆୟବ୍ୟୟ ରିପୋର୍ଟ ଜାରି ହୋଇଛି । ରିପୋର୍ଟ ଅନୁସାରେ ଆଂଚଳିକ ଦଳଗୁଡିକର ଖର୍ଚ୍ଚ ଅପେକ୍ଷା ଆୟ ଅଧିକ । ଅଧିକାଂଶ ଆଂଚଳିକ ଦଳର ଖର୍ଚ୍ଚ ଆୟ ତୁଳନାରେ ଏକ ଚତୁର୍ଥାଂଶରୁ ବି କମ୍ ।

୨୦୨୧-୨୨ ତୁଳନାରେ ୨୦୨୨-୨୩ରେ ଆଂଚଳିକ ଦଳଗୁଡିକର ଆୟ ଯଥେଷ୍ଟ ବୃଦ୍ଧି ପାଇଛି ।  ୨୦୨୨-୨୩ରେ ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି –ବିଆରଏସକୁ ମିଳିଛି ଅଧିକ ଚାନ୍ଦା । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଖର୍ଚ୍ଚ ଦୃଷ୍ଟିରୁ ଅନ୍ୟ ଦଳଠାରୁ ଆଗରେ ରହିଛି ।

ନିର୍ବାଚନ କମିଶନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ  ୫୭ଟି ଆଂଚଳିକ ଦଳ ମଧ୍ୟରୁ ୩୯ ଦଳର ଅଡିଟ୍ ରିପୋର୍ଟ ବିଶ୍ଳେଷଣ କରିଥିଲା ଏଡିଆର୍ । ଜଣା ପଡିଥିଲା ଯେ, ୨୦୨୨-୨୩ରେ ୩୯ଟି ଆଂଚଳିକ ଦଳର ମୋଟ ଆୟ ଥିଲା ୧ ହଜାର ୭୪୦ କୋଟି । ୨୦୨୧-୨୨ ଆର୍ଥିକ ବର୍ଷଠାରୁ ପ୍ରାୟ ୨୦ କୋଟି ଅଧିକ ଆୟ କରିଛନ୍ତି ୩୯ଟି ଆଂଚଳିକ ଦଳ । କେ. ଚନ୍ଦ୍ରଶେଖର ରାଓଙ୍କ ବିଆରଏସକୁ ହିଁ କେବଳ ୭୩୭ କୋଟି ୬୭ ଲକ୍ଷ ଟଙ୍କା ଚାନ୍ଦା ମିଳିଛି ।

ଆମଦାନୀ ଦୃଷ୍ଟିରୁ ବିଆରଏସ ପରେ ଦ୍ୱିତୀୟ ସ୍ଥାନରେ ରହିଛି ଟିଏମସି । ୨୦୨୨-୨୩ରେ ଟିଏମସିର ଆୟ ଥିଲା ୩୩୩ କୋଟି ୪୫ ଲକ୍ଷ ଟଙ୍କା । ଆୟ ଦୃଷ୍ଟିରୁ ତାମିଲନାଡୁରେ ଶାସନ କ୍ଷମତାରେ ଥିବା ଡିଏମକେ ତୃତୀୟ ସ୍ଥାନରେ ଅଛି । ଡିଏମକେକୁ ମିଳିଛି ୨୧୪ କୋଟି ୩୫ ଲକ୍ଷ ଟଙ୍କା ଚାନ୍ଦା । ୧୮୧ କୋଟି ଟଙ୍କା ସହ ବିଜୁ ଜନତା ଦଳ ଚତୁର୍ଥ ସ୍ଥାନରେ ରହିଛି । ପଂଚମ ସ୍ଥାନରେ ରହିଛି ଜଗନମୋହନ ରେଡ୍ଡିଙ୍କ ୱାଇଏସଆର୍ କଂଗ୍ରେସ । ୨୦୨୨-୨୩ରେ ଜଗନଙ୍କ ପାର୍ଟିକୁ ମିଳିଥିଲା ୭୪ କୋଟି ୭୮ ଲକ୍ଷ ଟଙ୍କା ।

ଆୟ ତୁଳନାରେ ଆଂଚଳିକ ଦଳମାନଙ୍କ ଖର୍ଚ୍ଚ ବେଶ୍ କମ୍ ରହିଛି । ୨୦୨୨-୨୩ରେ ଟିଏମସି ସବୁଠୁ ଅଧିକ ୧୮୧ କୋଟି ଟଙ୍କା ଖର୍ଚ୍ଚ କରିଛି । ଅଧିକ ଖର୍ଚ୍ଚ କରିଥିବା ଆଂଚଳିକ ଦଳ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ଅଛି ଓା୍ୱଇଏସଆର୍ କଂଗ୍ରେସ । ୨୦୨୨-୨୩ରେ ୭୯ କୋଟି ୩୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଜଗନଙ୍କ ପାର୍ଟି । ବିଆରଏସ ୫୭ କୋଟି ୪୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ତୃତୀୟ, ଡିଏମକେ ୫୨ କୋଟି ୬୨ ଲକ୍ଷ ସହ ଚତୁର୍ଥ ସ୍ଥାନରେ ରହିଛି । ସବୁଠୁ କମ୍ ଖର୍ଚ୍ଚ କରିଥିବା ଦଳ ହେଲା ବିଜେଡି । ବିଜେଡି ମାତ୍ର ୯ କୋଟି ୯୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିଛି ।

୧୮ଟି ଆଂଚଳିକ ଦଳ ଅଡିଟ୍ ରିପୋର୍ଟ ଦାଖଲ କରିନାହାନ୍ତି । ନିୟମ ଅନୁସାରେ ସବୁ ରାଜନୈତିକ ଦଳ ବାର୍ଷିକ ଆୟ-ବ୍ୟୟ ରିପୋର୍ଟ ନିର୍ବାଚନ କମିଶନଙ୍କଠାରେ ଦାଖଲ କରିବା ବାଧ୍ୟତାମୂଳକ ।

 

Comments are closed.