ଲଣ୍ଡନ: ଓଭାଲରେ ଚାଲିଥିବା ଭାରତ ବିପକ୍ଷ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ପ୍ରଥମ ଦିବସ ଅଷ୍ଟ୍ରେଲିଆ ନାମରେ ରହିଛି । ଟ୍ରେଭିସ ହେଡଙ୍କ ଶତକ ଏବଂ ଷ୍ଟିଭ ସ୍ମିଥଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ୩ ୱିକେଟ ବିନିମୟରେ ୩୨୭ ରନ ସଂଗ୍ରହ କରି ସୁବିଧାଜନକ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସରେ ଭାରତ ପାଇଁ ୱିକେଟ ହାସଲ କରିବା ଜରୁରୀ ହୋଇ ପଡିଛି । ହେଡ ୧୪୬ ଓ ସ୍ମିଥ ୯୫ ରନ କରି ଅପରାଜିତ ରହିଛନ୍ତି । ଉଭୟ ୪ର୍ଥ ୱିକେଟରେ ୨୫୧ ରନର ପାର୍ଟନରଶିପ ସଂଗ୍ରହ କରିଛନ୍ତି । ଭାରତ ପକ୍ଷରୁ ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଁଏ ୱିକେଟ ହାସଲ କରିଛନ୍ତି ।
ଡେଭିଡ ୱାର୍ଣ୍ଣର ୪୩, ଉସମାନ ଖ୍ୱାଜା ୦ ଓ ମାର୍ନସ ଲାବୁସେନ ୨୬ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଏହି ମ୍ୟାଚରେ ଭାରତ ୪ଜଣ ପେସର ଓ ଜଣେ ସ୍ପିନରଙ୍କୁ ଖେଳାଉଛି । ରବିଚନ୍ଦ୍ରନ ଅଶ୍ୱୀନଙ୍କୁ ଦଳରୁ ବାଦ ଦିଆ ଯାଇଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ କରାଯାଇଛି । ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଏହା ସତ୍ୱେ ବୋଲରଙ୍କ ପାଖରେ ଆକ୍ରମଣାତ୍ମକ ନୀତି ଦେଖିବାକୁ ମିଳି ନ ଥିଲା । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲର ଗତ ସଂସ୍କରଣରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା ।
Comments are closed.