Latest Odisha News

BREAKING NEWS

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ମହାପ୍ରଭୁ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଭଗବାନ ଆଜି ୧୦୮ ଗରା ସୁବାସିତ ଜଳ ଲାଗି କରିଛନ୍ତି । ।

ପୂଜାପଣ୍ଡା ସାମନ୍ତଙ୍କୁ ଗରାବଡୁ ବିଙ୍ଗଳରେ ଜଳ  ଲାଗି କଲେ । ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କୁ ଜଳାଲାଗି କଲେ । ମହାପ୍ରଭୁ ଜଗନ୍ନାଥ ୩୫ ଗରା ଓ ବଳଭଦ୍ର ୩୩ ଗରା ଜଳରେ ସ୍ନାନ କଲେ । ଏହା ସହିତ ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରାରେ ସ୍ନାନ କଲେ ।

ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନ ପରି ଶ୍ରୀମନ୍ଦିରରେ କବାଟ ଫିଟା, ପାହାନ୍ତିଆ ଅବକାଶ, ଗୋପାଳ ବଲ୍ଲଭ, ସକାଳଧୂପ, ଦ୍ଵିପ୍ରହର ଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ଵଳ୍ପସମୟ ପାଇଁ ପହୁଡ଼  ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହୋଇଥିଲା ।  କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ପିନ୍ଧାଇଥିଲେ । l ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୋଇଥିଲା।
ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ ହୋଇଥିଲା ।

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ (ବ୍ରାହ୍ମଣ ଗୋଷ୍ଠୀର ସେବକ) ବିଜେ କରାଇଥିଲେ ।  ପହଣ୍ଡି  ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି କଲେ । ଏହି ସାତପାହଚ ଉପରେ ଟାହିଆ ନାଗି ହେବାପରେ ଦ୍ଵିତୀୟ ମଙ୍ଗଳାର୍ପଣ ହୋଇଥିଲା । ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି ହୋଇଥିଲା। । ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କଲେ l ସୁଆର ବଡୁ ଅମ୍ଭୂଣିଆ ପାଣି ଛିଂଚିଲେ ।

ଗରାବଡୁ ସୁବର୍ଣ୍ଣକଳସ ଧରି ଶୀତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ଵର୍ଣ୍ଣକୂପରୁ ଜଳ ଆଣିଥିଲେ । ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ  ଆଣିଥିଲେ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଇଥିଲା ।

ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଇଥିଲା ।  ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଇଥିଲା । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଇଥିଲା । ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଇଥିଲା ।

ଏହି ଜଳରୁ ୩୫ ଗରା ଶ୍ରୀଜଗନ୍ନାଥଙ୍କୁ, ୩୩ ଗରା ଶ୍ରୀବଳଭଦ୍ରଙ୍କୁ, ୩୨ ଗରା ମା’ ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଇଥିଲା ।

Comments are closed.