Latest Odisha News

BREAKING NEWS

ବିନା ଭକ୍ତରେ ସ୍ନାନ ଯାତ୍ରା

ପୁରୀ : ବିନା ଭକ୍ତରେ ସ୍ନାନ ଯାତ୍ରା । ଚଳିତମାସ ୨୪ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସ୍ନାନଯାତ୍ରା । କରୋନା କଟକଣା ଭିତରେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ଦାରୁ ବ୍ରହ୍ମଙ୍କ ସ୍ନାନଯାତ୍ରା । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ସ୍ନାନଯାତ୍ରାରେ କରୋନା ସଂକ୍ରମିତ ହୋଇ ନଥିବା ପାଳିଆ ସେବକମାନେ ଅଂଶଗ୍ରହଣ କରିବେ ।

ସ୍ନାନଯାତ୍ରାର ନୀତିକାନ୍ତି ରାତି ୧ଟାରୁ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ପ୍ରାତଃ ୪ ଟାରେ ଶେଷ ହେବ । ସକାଳସୁଦ୍ଧା ବଳଭଦ୍ର, ଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନ ସ୍ନାନମଣ୍ଡପକୁ ବିଜେ କରିବେ ।  ସକାଳ ୯ ଟାରୁ ୧୦ଟା ମଧ୍ୟରେ ଶୀଜୀଉଙ୍କ ସ୍ନାନନୀତି ଅନୁଷ୍ଠିତ ହେବ । ସେଠାରେ ୧୦୮ ଗଡୁ ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯିବ । ପରେ ସ୍ନାନବେଦୀ ଉପରକୁ ଯାଇ ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ଛେରାପହଁରା କରିବେ ।

ଦିନ ୧୧ଟାରୁ ୧୨ଟା ମଧ୍ୟରେ ଶ୍ରୀଜୀଉଙ୍କ ହାତୀବେଶ କରାଯିବାକୁ ସ୍ଥିର ହୋଇଛି । ଅପରାହ୍ନ ୫ ଟାରେ ମହାପ୍ରଭୁ ବାହୁଡା ପହଣ୍ଡି କରିବେ । ରାତି ୭ ଟା ସୁଦ୍ଧା ପହଣ୍ଡି ଶେଷ ହୋଇ ଅଣସର ପିଣ୍ଡିରେ ଅଣସର ବିଧି ଆରମ୍ଭ ହେବ । ସେବାୟତଙ୍କ ହେବ ଆରଟିପିସିଆର ପରୀକ୍ଷା ଚଳିତବର୍ଷ ବିନା ଭକ୍ତରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଥିବାରୁ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ଗୁରୁତ୍ୱ ଦେଇଛି ପ୍ରଶାସନ ।

କରୋନା କଟକଣା କଡାକଡ଼ି ପାଳନ କରିବାକୁ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି । ସ୍ନାନପୂର୍ଣ୍ଣିମାର ୪୮ ଘଣ୍ଟା ପୂର୍ବରୁ ପାଳିଆ ସେବାୟତଙ୍କ ଆରଟିପିସିଆର୍ ପରୀକ୍ଷା କରାଯିବ । ସ୍ନାନଯାତ୍ରା ଦିନ କେବଳ ପାଳିଆ ସେବାୟତଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.