Latest Odisha News

BREAKING NEWS

ଜାତୀୟ ସ୍ତରରେ ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୨୦ ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଭୁବନେଶ୍ୱର: ଡିଜିଟାଲ୍ ପ୍ରକ୍ରିୟାରେ କିଭଳି ଭାବରେ ଅପରାଧର ମୁକାବିଲା କରାଯାଇପାରିବ ସେହି
ସମାଧାନର ସୂତ୍ର ବାହାର କରି ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍‌ଆଇଏଚ୍‌)- ୨୦୨୦ ପ୍ରତିଯୋଗିତାରେ ବିଜୟୀ
ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଛାତ୍ରଛାତ୍ରୀ ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ର ୬ ଜଣିଆ ଛାତ୍ରଛାତ୍ରୀ ଦଳ ଏହି ପ୍ରତିଯୋଗିତାରେ ଜିତାପଟ ହାସଲ କରିଛନ୍ତି ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବିଶ୍ୱର ବୃହତ୍ ମୁକ୍ତ ଅଭିନବ ଚିନ୍ତାର ମଡେଲ୍ ଭାବେ ପରିଗଣିତ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୦ ଚଳିତବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଅନ୍‌ଲାଇନ୍ ପ୍ରକ୍ରିୟାରେ ଆୟୋଜନ କରାଯାଇଥିଲା ।

“ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଂଟ” (ବିପିଆର୍‌ଡି) ଦ୍ୱାରା ସମସ୍ୟାର ବିଷୟବସ୍ତୁ ପ୍ରଦାନ
କରାଯାଇଥିବା ବେଳେ ସାମାଜିକ ସ୍ତରରେ ପୋଲିସ୍ ବ୍ୟବସ୍ଥା ଅର୍ଥାତ୍ ଡିଜିଟାଲ୍ ପୋଲିସିଂ ସମସ୍ୟାଗୁଡ଼ିକୁ କିଭଳି ସମାଧାନ କରାଯାଇପାରିବ ଏବଂ ପୋଲିସ୍ – ନାଗରିକ ସମ୍ପର୍କକୁ କିଭଳି ଉନ୍ନତ କରାଯାଇପାରିବ ତାହା ହିଁ ଏହି ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ସୋଆ ପକ୍ଷରୁ ଗତ ଫେବୃଆରୀ ମାସରେ ଦୀର୍ଘ ୨୪ ଘଂଟିଆ ଆଭ୍ୟନ୍ତରୀଣ ହାକାଥନ୍‌, ହାକରୱାର୍ ୨.୦ ଆୟୋଜନ କରାଯାଇଥିବା ବେଳେ ଏହି ଟିମ୍ ଏକ୍ସ ଲିଜିୟନ୍ କୋଡର୍ସ ଏଥିରେ ଭାଗ ନେଇ ସଫଳ ହୋଇଥିଲେ।

ସଫଳ ହେବା ସହ ଜାତୀୟ ସ୍ତରର କାର୍ଯ୍ୟକ୍ରମ ସ୍ମାର୍ଟ ଇଣ୍ଡିଆ ହାକାଥନ- ୨୦୨୦ ପାଇଁ ମନୋନୀତ ହୋଇଥିଲେ ।

ଅଗଷ୍ଟ ୧ ରୁ ୩ ମଧ୍ୟରେ ଆୟୋଜିତ ୩ ଦିନିଆ ଗ୍ରାଣ୍ଡ ଫିନାଲେରେ ଭାଗ ନେଇ ଦଳ ମଧ୍ୟ ସଫଳତା ହାସଲ
କରିଥିଲା।

କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (ସିଏସ୍‌ଇ) ଏବଂ କମ୍ପ୍ୟୁଟର୍ ସାଇନ୍ସ ଆଣ୍ଡ ଇନ୍‌ଫର୍ମେସନ୍ ଟେକ୍ନୋଲୋଜି
(ସିଏସ୍‌ଆଇଟି) ବିଭାଗର ପ୍ରଥମ ଏବଂ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ଏହି ୬ ଜଣିଆ ଟିମ୍ ପ୍ରତିଯୋଗିତାରେ ଜିତାପଟ ହାସଲ କରିବା ସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଲାଭ କରିଛନ୍ତି ।

ଏହି ବିଜୟୀ ଟିମ୍‌ରେ ଅଙ୍କିତା ଶତପଥୀ, ଅଭିନବ ରାୟ, ସୌରଭ ବେରା, ଏଲୋରା ମେହେନା, ପ୍ରିତମ୍ କର ଏବଂ ଜି.
ମାଧବାନନ୍ଦ ପାତ୍ର ସାମିଲ ଥିଲେ ।

ଏହି ପ୍ରୋଜେକ୍ଟକୁ ମିଳିତ ଭାବେ ଦୁଇଜଣ ଫ୍ୟାକଲ୍ଟି ମେମ୍ବର୍ ଡଃ ସତ୍ୟବ୍ରତ ମାଇତି ଏବଂ ଡଃ ଭାରତ ଜ୍ୟୋତି
ରଞ୍ଜନ ସାହୁ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।

ସୋଆ ପକ୍ଷରୁ ଆୟୋଜିତ ହାକର୍‌ୱାର୍ ୨.୦କୁ ପ୍ରଫେସର
ଦେବାହୁତି ମିଶ୍ର ଏବଂ ସିଏସ୍‌ଇ ବିଭାଗର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.