ଯାଜପୁର: ଦିନେ ଦମ୍ପତି ବୁଲି ବୁଲି ସମାଜସେବା କରୁଥିଲେ । ହେଲେ ଆଜି ଲୋଡ଼ୁଛନ୍ତି ଆଉ କାହାର ସହାୟତା, ଖୋଜୁଛନ୍ତି ସେବା । କାରଣ ରୋଗଶଯ୍ୟାରେ ପଡ଼ି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଖରଡ଼ାବନ୍ଦୀ ଗାଁର ଦେବୀପ୍ରସାଦ ସାମଲ ଓ ଇତିଶ୍ରୀ ସାମଲ । ଦେବୀ ପ୍ରସାଦଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇ ଯାଇଥିବା ବେଳେ କ୍ୟାନସରରେ ପୀଡ଼ିତ । ସ୍ୱାମୀଠୁ ସ୍ତ୍ରୀର ଯନ୍ତ୍ରଣା ବଳି ଯାଉଥିବା ବେଳେ ପୁଅର ଭବିଷ୍ୟତ କଥା ଭାବି ଭାଙ୍ଗି ପଡ଼ିଛନ୍ତି ଦମ୍ପତି ।
ଏ ହାତ ଦିନେ ଅସହାୟଙ୍କୁ ସହାୟତା ଦେଉଥିଲା । କିନ୍ତୁ ଏବେ ଶଯ୍ୟାଶାୟୀ । ସମାଜସେବୀ ଭାବେ ଦାନଗଦୀ ବ୍ଲକର ଦେବୀ ପ୍ରସାଦ ଓ ଇତିଶ୍ରୀ ସାରା ଅଞ୍ଚଳରେ ବେଶ୍ ପରିଚିତ । କାହାର କୌଣସି ଅସୁବିଧା ହେଲେ ସଙ୍ଗେ ସଙ୍ଗେ ଛିଡ଼ା ହୁଅନ୍ତି ଦମ୍ପତି । ଏବେ ଦୁହେଁ ଶଯ୍ୟାଶାୟୀ । ଅନ୍ୟର ସେବାରେ ଜୀବନକୁ ଉତ୍ସର୍ଗ କରି ଦେଇଥିବା ଦୁଇ ମଣିଷ ଏବେ ମୃତ୍ୟୁ ସହ ଲଢ଼ୁଛନ୍ତି । ଦିନେ ଅନ୍ୟର ଚିକିତ୍ସା ପାଇଁ ପ୍ରଶାସନକୁ ଗୁହାରି କରୁଥିବା ବେଳେ ଏବେ ନିଜ ଚିକିତ୍ସାରେ ଜମିବାଡ଼ି ସବୁ ବିକ୍ରି କରି ଦେଲେଣି । ଉନ୍ନତ ଚିକିତ୍ସା ପାଇଁ ଦରକାର ଆର୍ଥିକ ସାହାଯ୍ୟ ।
ବାପାମାଆ ରୋଗ ଗ୍ରସ୍ତ ହୋଇଥିବା ବେଳେ ୧୧ ବର୍ଷର ପୁଅ ଉପରେ ପଡ଼ିଛି ପରିବାରର ବୋଝ । ବାପାମାଆଙ୍କ ଚିକିତ୍ସା ଲାଗି ପୁଅ ପ୍ରଶାସନର ଦ୍ୱାରସ୍ଥ ହୋଇଛି । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ମାତୃ କଣ କରିବ ଜାଣି ପାରୁନି । CDMOଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ଭାଗ୍ୟ କାହାକୁ କେତେବେଳେ କେଉଁଠି ଉପାୟ ହୀନ କରି ଦେବ କହି ହୁଏନି । କେହି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇବା ପାଇଁ ଇତିଶ୍ରୀ ସାମଲ, ସା-ଖରଡ଼ାବନ୍ଦୀ, ପୋ-ନଛିପୁରା, ଥାନା-ଟମକା, ମୋବାଇଲ ନଂ-9938507394ରେ ଯୋଗାଯୋଗ କରି ପାରିବେ । ଏଥିସହ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ ଆକାଉଣ୍ଟ ନଂ-406334006003273, IFSC code-IOBA0ROGB01ରେ ଆର୍ଥିକ ସହାୟତା ଦେଇ ପାରିବେ ।
Comments are closed.