Latest Odisha News

BREAKING NEWS

କମ୍ପୁଛି ଶକ୍ତିପୀଠ, ଚାଲିଛି ମା’ ଭଟ୍ଟାରିକାଙ୍କ ଷୋଡଶ ଉପଚାର

କଟକ: କମ୍ପୁଛି ଶକ୍ତିପୀଠ l ଚାଲିଛି ମା’ ଜଗତଜନନୀଙ୍କ ଷୋଡ଼ଶ ଉପଚାର ପୂଜା l ସେଥିପାଇଁ ଚଳଚଞ୍ଚଳ ସମସ୍ତ ଶକ୍ତିପୀଠ l ସେପଟେ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକା ପୀଠରେ ଚାଲିଛି ସ୍ୱତନ୍ତ୍ର ରୀତିନୀତି l ବିଧି ମୁତାବକ ଚାଲିଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା । ମୂଳାଷ୍ଟମୀ ଠାରୁ ଦଶହରା ଯାଏ ଏଠାରେ ଚାଲେ ସ୍ୱତନ୍ତ୍ର ରୀତିନୀତି। ମୂଳାଷ୍ଟମୀ ଦିନ ଶଶାଙ୍ଗ ଗାଁର ମାଳିସାହିରେ ଥିବା ମାଆଙ୍କ ଗନ୍ତାଘରୁ ଶୋଭାଯାତ୍ରାରେ ମାଆଙ୍କ ଆୟୁଧ ମନ୍ଦିରକୁ ଆସିଥାଏ। ବିଜୟାଦଶମୀ ଯାଏ ପ୍ରତିଦିନ ମାଆ ଭଟ୍ଟାରିକା ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ମଣ୍ଡିତ ହୋଇ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ପୁରାଣ କୁହେ, ମାତୃ ହତ୍ୟା ଦୋଷରୁ ମୁକ୍ତି ପାଇଁ ପର୍ଶୁରାମ ସାରା ଭାରତ ବୁଲି ଶେଷରେ ବଡମ୍ବାଗଡ଼ରେ ପହଂଚିଥିଲେ । ମାଆଙ୍କ ଶୂନ୍ୟବାଣୀ ପରେ ଶର ମୁନରେ ମାଆଙ୍କୁ ଉତ୍ପତ୍ତି କରିଥିଲେ ।

ପ୍ରତିଦିନ ମା’ଙ୍କ ର ସୁନାବେଶ ହେବା ସହିତ ମାଛ ଭୋଗ ହେଇଥାଏ । ମା’ଙ୍କ ପାଖରେ ମାନସିକ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ମା’ ଭଟ୍ଟାରିକାଙ୍କର ଷୋଳପୂଜା ସମୟରେ ସ୍ଵତନ୍ତ୍ର ପୂଜା, ବିଶେଷ କରି ସପ୍ତମୀ ଓ ଅଷ୍ଟମୀର ସନ୍ଧି କ୍ଷଣରେ ହେଉଥିବା ସ୍ବତନ୍ତ୍ର ପୂଜା ପାଇଁ ଓ ମା’ଙ୍କ ଉପରେ ଥିବା ଅଖଣ୍ଡ ବିଶ୍ବାସ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଥାଏ ।ଭଟ୍ଟାରିକା ପୀଠରେ ମହାଷ୍ଟମୀରେ ହେଉଥିବା ବଳିପ୍ରଥା ବନ୍ଦ ହୋଇସାରିଛି । କିନ୍ତୁ ମା’ଙ୍କ ଷୋଳଗମ୍ଭୀରାରେ ହେଉଥିବା ଗୁପ୍ତ ନୀତି ବିଷୟରେ କେବଳ ଅନୁଭବ କରାଯାଇ ପାରିବ । ତେବେ ବିଧିଅନୁଯାଇ ବ୍ରାହ୍ମ ମୂହୁର୍ତ୍ତରେ ଦେବୀଙ୍କୁ କନ୍ୟା, ମଧ୍ୟାହ୍ନରେ ବାଳା ଏବଂ ସଂଧ୍ୟାରେ ବୃଦ୍ଧା ରୁପରେ ପୂଜା କରାଯାଇଥାଏ। ସଂଧ୍ୟାରେ ସନ୍ଧିପୂଜା ସହିତ ପୀଠରେ ଅପରାଜିତା ସ୍ତୋତ୍ର ପାଠ, ଚଣ୍ଡିପୁରାଣ ପାଠ ହେବାରେ ଦେବୀଙ୍କଠି ରାତ୍ରବେଳାର ବଡ଼ସିଂହାର ଭୋଗଲାଗି ସହିତ ଶାନ୍ତିଉଦକ ପଣାଲାଗି ପରେ ମନ୍ଦିର ପହଡ଼ ପଡ଼ିଥାଏ।

ଏହି ଦେବୀପୀଠ ଶାକ୍ତ ଓ ଶୈବ ଧର୍ମର ସମ୍ମିଳିତ ଉପାସନା କ୍ଷେତ୍ରରୂପେ ବିଦିତ । ରାଜା ପର୍ଶୁରାମ ନିଜ ତୀରମୁନରେ ପ୍ରସ୍ତର ଖୋଦେଇ କରି ଶକ୍ତିସ୍ଵରୂପିଣୀ ମହାମାୟା ମା’ଭଟ୍ଟାରିକାଙ୍କ ମୂର୍ତ୍ତି ଗଢି ପୂଜା କରିଥିଲେ, ତେଣୁ ଏହି ଶକ୍ତିପୀଠକୁ ପର୍ଶୁରାମପୀଠ କୁହାଯାଏ ଏବଂ ମା’ଙ୍କୁ ଭକ୍ତମାନେ ଅଭୟ ବରଦାୟିନୀଭାବେ ପୂଜାକରିଥା’ନ୍ତି । କିମ୍ବଦନ୍ତୀ ଅନୁସାରେ, ପୃଥିବୀକୁ କ୍ଷତ୍ରିୟଶୂନ୍ୟ କରିବା ନିମନ୍ତେ ପର୍ଶୁରାମ ମା ଭଟ୍ଟାରିକାଙ୍କୁ ପ୍ରାର୍ଥନା କରି ତାଙ୍କଠାରୁ ବରଲାଭ କରିଥିଲେ । ବିଷ୍ଣୁକଳା ପ୍ରାପ୍ତି ପାଇଁ ମା ତାଙ୍କୁ କଣ୍ଟିଲୋର ପଦ୍ମକ୍ଷେତ୍ରରେ ନୀଳମାଧବଙ୍କୁ ପୂଜା କରିବାଲାଗି ଉପଦେଶ ଦେବା ସହ ସହସ୍ରାର୍ଜୁନ ନିଧନ ନିମନ୍ତେ ଦିବ୍ୟାସ୍ତ୍ର ପ୍ରଦାନ କରିଥିଲେ । ପୁରାଣ ଅନୁସାରେ ପର୍ଶୁରାମ ସହସ୍ରାର୍ଜୁନଙ୍କ ଠାରୁ ପରାଜିତ ହେଲାପରେ ମା ଦୁର୍ଗାଙ୍କୁ ପୂଜା କରିବା ପରେ ସେ ପର୍ଶୁରାମଙ୍କୁ ସାହାଯ୍ୟ କରିବା ପାଇଁ ସେଠାରେ ବିଜେ ହୋଇ ତାଙ୍କୁ ରକ୍ଷା କରିଥିଲେ ।ଏଠାରେ ଦେବୀଙ୍କୁ ରନ୍ଧା ମାଛଭୋଗ ଅର୍ପଣ କରାଯାଇଥାଏ ।

 

Leave A Reply

Your email address will not be published.