ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସର ୯ମ ଦିନ ଭାରତୀୟ ଆଥଲେଟମାନେ ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖି ୯ ପଦକ ହାସଲ କରିଛନ୍ତି । ଏଥିସହ ଭାରତର ପଦକ ସଂଖ୍ୟା ୬୦ରେ ପଂହଚିଛି । ସ୍କେଟିଂ ୩୦୦୦ ମିଟର ରିଲେରେ ଭାରତର ଉଭୟ ପୁରୁଷ ଓ ମହିଳା ଟିମ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସୂତୀର୍ଥା ମୂର୍ଖାଜୀ ଓ ଅୟହିକା ମୁର୍ଖାଜୀ ଟେବୁଲ ଟେନିସ ମହିଳା ବିଭାଗ ସେମିଫାଇନାଲରେ ଉତର କୋରିଆ ନିକଟରୁ ୪-୩ରେ ହାରି ଯାଇଥିଲେ । ତେବେ ଏହା ସତ୍ୱେ ସେମାନେ ବ୍ରୋଞ୍ଜ ଜିତିବାରେ ସଫଳ ହୋଇଥିଲେ । ୩୦୦୦ ମିଟର ମହିଳା ଷ୍ଟିପେଲଚେଜରେ ପାରୂଲ ଚୌଧୁରୀ ରୌପ୍ୟ ଓ ପ୍ରୀତି ବ୍ରୋଞ୍ଜ ପଦକ ଜିତିଥିଲେ । ପାରୂଲ ୯ ମିନିଟ ୨୭.୬୩ ସେକେଣ୍ଡ ଓ ପ୍ରୀତି ୯ ମିନିଟ ୪୩.୩୨ ସେକେଣ୍ଡରେ ରେସ ପୂର୍ଣ୍ଣ କରିଥିଲେ । ମହିଳା ଲଙ୍ଗଜମ୍ପରେ ଏନ୍ସି ସୋଜେନ ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଥିଲେ । ସେ ୬.୬୩ ମିଟର ଦୂରତାକୁ ଜମ୍ପ କରିଥିଲେ ।
ଆଥଲେଟିକ୍ସର ମିକ୍ସଡ ରିଲେରେ ଭାରତର ମହମ୍ମଦ ଅନସ, ଜିସ୍ନା ମାଥ୍ୟୁ,ଐଶ୍ଚର୍ଯ୍ୟା ମିଶ୍ରା, ସୋନିଆ ବୈଶ୍ୟ ଓ ମହମ୍ମଦ ଅଜମଲ ରୌପ୍ୟ ପଦକ ହାସଲ କରିଛନ୍ତି । ଭାରତୀୟ ଟିମ ପ୍ରଥମେ ବ୍ରୋଞ୍ଜ ପଦକ ଜିତିଥିଲେ । ତେବେ ରୌପ୍ୟ ବିଜେତା ଶ୍ରୀଲଙ୍କା ଟିମ ଡିସକ୍ୱାଲିଫାଇ ହୋଇଯିବା ଫଳରେ ଭାରତକୁ ରୌପ୍ୟ ମିଳିଥିଲା । ହକି ପୁରୁଷ ଟିମ ଶେଷ ଲିଗ ମୁକାବିଲାରେ ବାଂଲାଦେଶକୁ ୧୨-୦ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ତୀରନ୍ଦାଜରେ ଭାରତୀୟ ମହିଳା ପ୍ରତିଯୋଗୀ ସମସ୍ତ କମ୍ପାଉଣ୍ଡ ଇଭେଂଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ବିଥ୍ୟା ରାମରାଜ ମହିଳା ୪୦୦ ମିଟର ହର୍ଡଲ୍ସରେ ପିଟି ଉଷାଙ୍କ ଜାତୀୟ ରେକର୍ଡ ସହ ସମକକ୍ଷ ହୋଇ ଫାଇନାଲ ପାଇଁ କ୍ୱାଲିଫାଇ କରିଛନ୍ତି ।
Comments are closed.