ଭୁବନେଶ୍ୱର: ମାର୍ଚ୍ଚ ମାସ ୨୯ ତାରିଖରେ ସଂଗଠିତ ହେବ ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟ ପରାଗ। ସୂର୍ଯ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ରହିଥାଏ ଓ ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ ।
ମାର୍ଚ୍ଚ ମାସ ୨୯ ତାରିଖରେ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ଆଟଲାଣ୍ଟିକ୍ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ଋଷରେ ଦୃଶ୍ୟମାନ ହେବ ଏହି ଆଂଶିକ ସୂର୍ଯ୍ୟ ପରାଗ। ତେବେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। କେତେକ ସ୍ଥାନରେ ଏଥର ସର୍ବାଧିକ ସୂର୍ଯ୍ୟ ପରାଗ ୯୦ ପ୍ରତିଶତ ହେବ । ଏହା ଭାରତୀୟ ସମୟ ଦିନ ୨ଟା ୨୦ ମିନିଟ୍ ରୁ ଆରମ୍ଭ ହୋଇ ୪ଟା ୧୭ ମିନିଟ୍ ରେ ସର୍ବାଧିକ (୯୦%) ହେବ । ପରାଗ ଶେଷ ହେବ ଭାରତୀୟ ସମୟ ଦିନ ୪ ଟା ୧୪ ମିନିଟ୍ ରେ।
ପରବର୍ତ୍ତି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ସେପ୍ଟେମ୍ବର ୭ – ୮ ତାରିଖରେ ସମଗ୍ର ଭାରତ ସହ ଏସିଆ, ୟୁରୋପ, ଆଣ୍ଟାର୍ଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଏ ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟ ପରାଗ ସେପ୍ଟେମ୍ବର ୨୧-୨୨ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ଇଷ୍ଟର୍ଣ୍ଣ ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍ଟିକା ରେ ଦୃଶ୍ୟମାନ ହେବ । ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ।
ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ତିନି ପ୍ରକାରର ସୂର୍ଯ୍ୟ ପରାଗ ଘଟିଥାଏ: ଆଂଶିକ, ପୂର୍ଣ୍ଣ ଓ ବଳୟ । ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟ ପରାଗ ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯାଏ । କଦବାକ୍ବଚିତ୍ ମିଶ୍ରିତ ଅର୍ଥାତ୍ ଏକା ପରାଗରେ ପୂର୍ଣ୍ଣ ଓ ବଳୟ ପରାଗ ମିଶିକରି ଦେଖାଯାଏ। ପରାଗ ଛାଇ ଆଲୋକର ଏକ ଖେଳ । ଚନ୍ଦ୍ର ଗ୍ରହଣ ସମୟରେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ ଓ ସୂର୍ଯ୍ୟ ପରାଗ ସମଯରେ ଚନ୍ଦ୍ର ଛାଇ ପୃଥିବୀର ଉପରେ ପଡିଥାଏ । ଏହି ଛାଇ ଦୁଇଟି ବର୍ଷର ୧୨ ମାସ ଯାକ ସବୁ ସମୟରେ ସୃଷ୍ଟି ହୋଇଥାଏ ।
Comments are closed.