Latest Odisha News

BREAKING NEWS

ବଢିଲା ବିଜୟ ଶଙ୍କର ଦାସଙ୍କ ଅଡୁଆ; ସବ୍ ରେଜିଷ୍ଟ୍ରୀ ଅଫିସରେ ପ୍ରେମିକା ସୋମାଲିକା

କଟକ: ବଢିବାରେ ଲାଗିଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ । ବିଧାୟକ ବିଜୟ ଶଙ୍କରଙ୍କ ପ୍ରେମିକା ସୋମାଲିକା ଆଜି କଟକ ସବରେଜିଷ୍ଟ୍ରୀ ଅଫିସରେ ପହଞ୍ଚିଛନ୍ତି । ବିଜୟଙ୍କ ବିବାହ ଆବେଦନ ସମ୍ପର୍କରେ କମ୍ପ୍ଲେନ କରିବାକୁ ସେ କଟକ ସବରେଜିଷ୍ଟ୍ରୀ ଅଫିସରେ ପହଞ୍ଚିଥିବା ସୂଚନା ମିଳିଛି ।

କଟକ ସବରେଜିଷ୍ଟ୍ରୀ ଅଫିସରେ ନିଜର ପୁରୁଷ ବନ୍ଧୁ  ତଥା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଉପରେ ଲିଖିତ ଅଭିଯୋଗ କରିଛନ୍ତି ସୋମାଲିକା । ଆଉ ଲିଖିତ ଅଭିଯୋଗ ପରେ ସୋମାଲିକା ପୁଲିସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଆଜି ବିଜୟଙ୍କ ବିବାହ ଆବେଦନ ଉପରେ ଲିଖିତ ଅଭିଯୋଗ କଲି । ସେମାନେ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବା । ମୋତେ ନ୍ୟାୟ ଦରକାର । ବିଜୟ ଲୁଚିଛପି ଏଭଳି କରିଛନ୍ତି । ମୁଁ ଏସବୁ ମିଡିଆରୁ ଜାଣିଲି । ସେ ବିଧାୟକ, ତାଙ୍କ ପାର୍ଟି ପାୱାରରେ ଅଛି । ସେଥିପାଇଁ ଆକ୍ସନ ହେଉନି ।  ପାର୍ଟି ପାୱାର ପାଇଁ ପୁଲିସ ତାଙ୍କୁ ଡାକୁନି କି ଗିରଫ କରୁନି ।  ପୁଲିସ ବାରମ୍ବାର ମୋତେ ଡାକୁଛି, କିନ୍ତୁ ବିଜୟଙ୍କୁ ଦିନେ ଡାକୁନି । ପୁଲିସ ମୋତେ ହାରାସ କରୁଛି । ମୁଁ ଡିପ୍ରେସନକୁ ଆସିଗଲିଣି । ମୋତେ ଏଯାଏ ନ୍ୟାୟ ମିଳିନି, ସେ କିଭଳି ବିବାହ କରିବେ । ମୁଖ୍ୟମନ୍ତ୍ରୀ ନାରୀଙ୍କୁ ସମ୍ମାନ ନାରା ଦେଉଛନ୍ତି । ମୁଁ ତ ଜଣେ ନାରୀ । ମୋତେ କି ପ୍ରକାର ସମ୍ମାନ ଦେଉଛନ୍ତି ବୋଲି ସୋମାଲିକା ପ୍ରଶ୍ନ କରିଛନ୍ତି ।

ସୂଚନା ଅନୁସାରେ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ ଆବେଦନ କରିଛନ୍ତି । ଗତ 21 ତାରିଖରେ ସେ ବ୍ୟକ୍ତିଗତ ଭାବେ ସବରେଜିଷ୍ଟ୍ରାର୍‌ଙ୍କ ନିକଟରେ ହାଜର ହୋଇ କଟକ ଅରୁଣୋଦୟନଗର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପାଇଁ ଆବେଦନ କରିଛନ୍ତି । ଏହାକୁ ନେଇ ସୋମାଲିକା ସବ୍ ରେଜିଷ୍ଟାର ଅଫିସରେ ଲିଖିତ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଏହି ଘଟଣାରେ ବିଧାୟକ ବିଜୟ ଶଙ୍କର ସମ୍ପୂର୍ଣ୍ଣ ନିରବ ରହିଛନ୍ତି ।

Comments are closed.