Latest Odisha News

BREAKING NEWS

ଝାରସୁଗୁଡା ଉପନିର୍ବାଚନ: ‘କିଏ ସ୍ଥାନୀୟ ବାସିନ୍ଦା, କିଏ ଜିଲ୍ଲା ବାହାର’ ତେଜିଲା ବୟାନବାଜି

ଝାରସୁଗୁଡା: ଗୁରୁବାର ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ନିମାଙ୍କନ ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପୂର୍ବରୁ ତିନି ଦଳ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛନ୍ତି। ଏବେ ଝାରସୁଗୁଡାରେ ନିର୍ବାଚନ ମୈଦାନ କମ୍ପୁଛି। ଏହି ସମୟରେ ଆଗ ମାଟି ପରେ ପାର୍ଟି ନାରା ଦେଇ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଅକଳରେ ପକାଇବାକୁ ପ୍ରୟାସ କରିଛନ୍ତି। ଯାହାକି ନିର୍ବାଚନୀ ମୁଦ୍ଦା ହେବାକୁ ଯାଉଛି।

କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଗୁରୁବାର ଝାରସୁଗୁଡ଼ାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ସ୍ଥାନୀୟ ମୁଦ୍ଦା ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ଏଥିସହ ବିଜେପି ଓ ବିଜେଡିର ପ୍ରାର୍ଥୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, ମୁଁ ଝାରସୁଗୁଡ଼ାର ବାସିନ୍ଦା। ଏଇଟା ମୋ ଜନ୍ମମାଟି। ତେବେ ବିଜେଡି ଓ ବିଜେପିର ପ୍ରାର୍ଥୀ ଜିଲ୍ଲା ବାହାରର। ଜଣେ ସମ୍ବଲପୁରର ଓ ଅନ୍ୟ ଜଣେ ସୁନ୍ଦରଗଡ଼ର ବୋଲି ସେ କହିଛନ୍ତି। ଭୋଟରମାନେ ଝାରସୁଗୁଡ଼ାରୁ ଜଣେ ପ୍ରତିନିଧି ଦାବି କରୁଛନ୍ତି ବୋଲି ତରୁଣ ପାଣ୍ଡେ କହିଛନ୍ତି।

ତେବେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି କଂଗ୍ରେସ ପ୍ରାର୍ଥୀଙ୍କ ମନ୍ତବ୍ୟର ଉତ୍ତର ଦେବାରେ ସମୟ ନଷ୍ଟ କରିନକରି ନିଜ ନିଜ ଶୈଳୀରେ ମତ ରଖିଛନ୍ତି।

ଦୀପାଳି ଦାସ କହିଛନ୍ତି, ମୋ ବାପା ଏ ମାଟିର ପୁଅ ଥିଲେ। ଗୋଟିଏ ଦଶନ୍ଧି ହେବ ସେ ଝାରସୁଗୁଡ଼ାରେ ଅଛନ୍ତି। ସ୍ଥାନୀୟ ଅଞ୍ଚଳ ବ୍ୟତୀତ ଲୋକେ ନିଜ ହୃଦୟର ଅଧିକ ନିକଟତର ଥିବା ପ୍ରାର୍ଥୀ ବାଛିବେ। କହିରଖୁଛୁ ଦୀପାଳିଙ୍କ ବାପା ତଥା ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ପୈତୃକ ଘର ହେଉଛି ସମ୍ବଲପୁର ଜିଲ୍ଲାର।

ସେପଟେ ଝାରସୁଗୁଡାକୁ ଅନ୍ୟ ରାଜନେତାଙ୍କ ଅବଦାନକୁ ଦର୍ଶାଇ କଂଗ୍ରେସକୁ କାଉଣ୍ଟର କରିଛି ବିଜେପି। ଆମେ ସମସ୍ତେ ଓଡ଼ିଶାର ସନ୍ତାନ। ଓଡିଶାରେ ୨୪ ବର୍ଷ ଶାସନ କରିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଓଡିଆ ଭାଷାରେ କହିବାକୁ ଜାଣନ୍ତି ନାହିଁ। ଯେତେବେଳେ ଆପଣ ‘ମାଟି ପାଇଁ ଭଲ ପାଇବା’ କଥା କହୁଛନ୍ତି, ଏହାର ଅର୍ଥ ଅବଶ୍ୟ ଏଠାରେ ଜନ୍ମ ହେବା ନୁହେଁ। ଏଥିରେ ପ୍ରକୃତରେ ଜଣେ ବ୍ୟକ୍ତି ଏହି ମାଟି ପାଇଁ କ’ଣ କରିଛନ୍ତି ତାହା ଦର୍ଶାଯାଇଛି ବୋଲି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କହିଛନ୍ତି। ଯାହାଙ୍କ ପୈତୃକ ଘର ସୁନ୍ଦରଗଡ ଜିଲ୍ଲା।

ଏକ ସାଧାରଣ ସଭାରେ ଉଦବୋଧନ ଦେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଝାରସୁଗୁଡ଼ାକୁ ସମସ୍ୟାରୁ ବିକାଶରେ ପରିଣତ କରିବା ଆମର ଲକ୍ଷ୍ୟ ହେବା ଉଚିତ, ଏବଂ ଆମେ ଏହାକୁ ହୃଦୟର ସହିତ କରିବୁ।

ଝାରସୁଗୁଡ଼ାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ହୋଇପଡ଼ିଛି। ଗରିବଙ୍କ ସ୍ୱାର୍ଥ ସହ ଆପୋଷ ବୁଝାମଣା କରାଯାଉଛି। ସାରା ଓଡିଶାରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗର ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ଉପନିର୍ବାଚନରେ ଏସବୁ ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମେ’ ୧୦ ତାରିଖରେ ଏହି ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ମେ’ ୧୩ ତାରିଖରେ ଭୋଟ୍ ଗଣତି ହେବ। ଏପ୍ରିଲ ୨୦ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ କରିହେବ ଏବଂ ଏପ୍ରିଲ ୨୧ ତାରିଖରେ ଯାଞ୍ଚ ହେବ। ଏପ୍ରିଲ ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିହେବ।

Leave A Reply

Your email address will not be published.