Latest Odisha News

ମନ୍ତ୍ରୀ-ସଚିବଙ୍କୁ ସୌମ୍ୟଙ୍କ କଡା ଜବାବ: ତୃତୀୟ ମହଲାରୁ ଦଳ ଚାଲି ପାରିବ ନାହିଁ

ଭୁବନେଶ୍ୱର: ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ । ମୁଖ୍ୟମନ୍ତ୍ରୀ ଭାଗ୍ୟବାନ, ଦଳକୁ ବହୁତ ଲୋକ ସମର୍ଥନ କରୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କର ବର୍ଷକ ତଳେ ଯେଉଁ ଗ୍ରହଣ ଯୋଗ୍ୟତା ଥିଲା ତାହା  କାହିଁକି କମି କମି ଯାଉଛି ? ଏକଥା ସୂଚାଇ ଦେବା କ‘ଣ ଦଳ ବିରୋଧୀ କାମ କି ? ଦଳକୁ ତୃତୀୟ ମହଲାରୁ ଚଲେଇଲେ ହେବ ନାହିଁ । ଯେଉଁମାନେ ସରକାରରୁ ଦରମା ପାଉଛନ୍ତି ସଚିବ ହୋଇଛନ୍ତି, ସେମାନେ ଦଳୀୟ କଥାରେ ମୁଣ୍ଡ ପୂରେଇବା ଉଚିତ ନୁହେଁଫ ଏମିତି କହି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ପୁଣି ବିଜେଡି ଓ ୫ଟି ସଚିବଙ୍କୁ ଧୂଲେଇ କରିଛନ୍ତି ।

ମନ୍ତ୍ରୀ ପ୍ରତାପ ଦେବଙ୍କୁ କଡା ଜବାବ ଦେଇ ସୌମ୍ୟ କହିଛନ୍ତି, ମୁଁ ଦଳରୁ ବାହାରିବା ପାଇଁ କହିବାକୁ ସେ କିଏ ? ସେ ରାଜା ଲୋକ । ତେଣୁ ସମସ୍ତଙ୍କୁ ପ୍ରଜା ବୋଲି ଭାବନ୍ତି  । ହେଲେ ପ୍ରତାପ ଦେବଙ୍କ ଅସହାୟତା ବୁଝି ପାରିଛି ବୋଲି କହିଥିଲେ ସୌମ୍ୟ ।  ସୌମ୍ୟ ପ୍ରତାପଙ୍କୁ ପ୍ରଶ୍ନ ପଚାରିଛନ୍ତି, ଯାହା ଲେଖିଛି ଦଳର ଭଲ ପାଇଁ ଲେଖିଛି । ଦଳର ବଳ ଅଛି । ଜନସମର୍ଥନ ଅଛି । ହେଲେ କିଛି ଲୋକ ଏହାକୁ ନିଜ ଜାଗିରଦାରି ପରି ଚଳାଉଛନ୍ତି । ଏହା ସୂଚେଇ ଦେବା କ’ଣ ଭୁଲ ? ଏହା କ’ଣ ଦଳର ଅନୁଶାସନ ଭଙ୍ଗ ?

ଦଳର ଅନୁଶାସନ କଥା କହି ବିଜେଡି ନେତାଙ୍କୁ କଡା ସମାଲୋଚନା କରିଛନ୍ତି ସୌମ୍ୟ । ସେ କହିଛନ୍ତି, ମୁଁ ଦଳକୁ ଭଲ ପାଏ । ଦଳରେ ଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ହେଲେ ଦଳ ଯେତେବେଳେ ଭୁଲ କରୁଛି ମୁ ଚେତାଇ ଦେଉଛି । ଦଳକୁ ଉଠାଇବାକୁ ଚେଷ୍ଟା କରୁଛି ।  ଜଣେ କର୍ମୀ ଭାବେ ଏକଥା କରିବା ଭୁଲ କି ? ଦଳ ଅନୁଶାସନ କହିଲେ ଯଦି ସବୁକଥାରେ ହଁ କରିବା ତେବେ ମୁଁ ନାଚାର ବୋଲି କହିଛନ୍ତି ସୌମ୍ୟ ପଟ୍ଟନାୟକ ।

ସୌମ୍ୟ ୫ଟି ସଚିବଙ୍କୁ ସିଧାସଳଖ ଟାର୍ଗେଟ କରି କହିଛନ୍ତି, ୫ଟି ସଚିବ ଲୋକଙ୍କ ଦୁଃଖ ବୁଝିବା ପାଇଁ ଯାଉଛନ୍ତି । ହେଲେ କ‘ଣ ବୁଝୁଛନ୍ତି  ? ଭିଡ ଭିତରେ ଗଲେ । ଫୁଲ ଚନ୍ଦନରେ ପୂଜା ପାଇଲେ । ମେଞ୍ଚାଏ କାଗଜ ଧରି କହିଲେ ୭ ଦିନ ମଧ୍ୟରେ ସମାଧାନ ହୋଇଯିବ  । ଏହି କଥା ବୁଝିବା ପାଇଁ କ’ଣ ରାଜ୍ୟ ସରକାରଙ୍କର ଅନ୍ୟ ବ୍ୟବସ୍ଥା ନାହିଁ  । ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି କହି ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ସୌମ୍ୟ ।

ତୃତୀୟ ମହଲାରୁ ଦଳକୁ ଚଳାଇଲେ ହେବ ନାହିଁ । ୨/୪ ଜଣ ଆଇଏଏସ  ଅଫିସର କ‘ଣ ଦଳ ଚଳାଇବେ ? ଯଦି ଚଳାଇବେ ସେ ଇସ୍ତଫା ଦେଇ ଦଳକୁ ଆସନ୍ତୁ । ସ୍ୱାଗତ କରାଯିବ   । ହେଲେ ୫ଟି ସଚିବ ରାଜନୀତି କରିପାରିବେ ନାହିଁ । ମୁଖ୍ୟମନ୍ତ୍ରୀ କ‘ଣ ଏତେ ଅସହାୟ ଯେ ଅସ୍ପଷ୍ଟ ଭାଷାରେ ଭିଡିଓ ବାର୍ତ୍ତା ପଠେଇବେ ମୁଁ ସଚିବଙ୍କୁ ପଠଉଛି ତୁମର ଦୁଃଖସୁଖ ବୁଝିବା ପାଇଁ ? ଗଣତନ୍ତ୍ରରେ ଏପରି କାମ ଗ୍ରହଣ ଯୋଗ୍ୟ କି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ।

Comments are closed.