Latest Odisha News

BREAKING NEWS

ବିଜେପିକୁ ଯିବେ ସୌମ୍ୟ, ପ୍ରସନ୍ନ !

ଭୁବନେଶ୍ବର: ବିଜେଡି ଛାଡିବେ କି ପ୍ରସନ୍ନ ପାଟ୍ଟଶାଣୀ ? ବିଜେପିକୁ ଯିବେ କି ପ୍ରସନ୍ନ, ସୌମ୍ୟ ପଟ୍ଟନାୟକ ? ନିର୍ବାଚନ ହଟଚମଟ ଭିତରେ ତାତି ବଢାଇଛି ଦୁଇ ବରିଷ୍ଠ ନେତାଙ୍କ ବିଜେପିକୁ ଯିବା ଚର୍ଚ୍ଚା। ନା ନେତା ମୁହଁ ଖୋଲୁଛନ୍ତି ନା ଦଳ କିଛି କହିଛି । ହେଲେ  ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ସରଗରମ ହୋଇଛି ।

ବିଜେପିରେ ମିଶିବେ ଘସିପୁରାରୁ ଲଢିବେ !

ଗତ ସେପ୍ଟେମ୍ବର ୨୧ରେ ଜନବିରୋଧୀ କାର୍ଯ୍ୟକଳାପ ପାଇଁ ବିଜେଡିରୁ ବିଦା ହୋଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରଥମେ ଦଳର ଉପସଭାପତି ପଦରୁ ସୌମ୍ୟଙ୍କୁ ହଟାଇବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ସମ୍ବାଦ ଲୋନ୍ ସ୍କାମ ମାମଲା ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଥିବା ବିଜେଡି ପକ୍ଷରୁ କୁହାଯାଇଥିଲା। ସୌମ୍ୟଙ୍କ ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପ ଉପରେ ମଧ୍ୟ ରେଡ୍ କରିଥିଲା ଇଓଡବ୍ଲୁ । ଲୋନ୍ ସ୍କାମ ଅଭିଯୋଗ ଆସିବା ପରେ ସଂପାଦକ ପଦ ଛାଡିଥିଲେ ସୌମ୍ୟ। ସଂପାଦକୀୟରେ ତତ୍କାଳୀନ ଫାଇଭ୍-ଟି ସଚିବଙ୍କ ରାଜ୍ୟବ୍ୟାପୀ ଗସ୍ତକୁ ସମାଲୋଚନା କରି ସେ ଦୁଇଟି ଆଲେଖ୍ୟ ଲେଖିଥିଲେ । ଏହାର ସପ୍ତାହେ ପରେ ତାଙ୍କ ଉପରେ ଆକ୍ସନ୍ ହୋଇଥିଲା। ତେବେ ସୌମ୍ୟ ଖୁବ୍ ଶୀଘ୍ର ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପରିକି ଏଥର କେନ୍ଦୁଝର ଜିଲ୍ଲା ଘସିପୁରାରୁ ବିଜେପି ଟିକେଟରେ ସୌମ୍ୟ ନିର୍ବାଚନ ଲଢିପାରନ୍ତି ବୋଲି କୁହାଯାଉଛି ।

ଜ୍ବାଇଁଙ୍କ ପରେ ପଦ୍ମମୁହାଁ ପାଟ୍ଟଶାଣୀ !

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ଖୁବ୍ ଶୀଘ୍ର ବିଜେଡି ଛାଡି ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଭୁବନେଶ୍ବର ଲୋକସଭାରୁ ୫ଥର ଲଗାତର ବିଜୟୀ ହୋଇଥିବା ପାଟ୍ଟଶାଣୀଙ୍କୁ ୨୦୧୯ରେ ଟିକେଟ୍ ଦେଇନଥିଲା ଦଳ । ତେବେ ରାଜ୍ୟସଭା ପାଇଁ ସେ ଆଶାବାଦୀ ରହିଥିଲେ । ହେଲେ ସେଥିରେ ବି ଦଳ ତାଙ୍କୁ ନିରାଶ କରିଥିଲା । ଚବିଶ ନିର୍ବାଚନରେ ବିଜେଡି ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ତାଙ୍କ ପ୍ରାର୍ଥୀତ୍ବକୁ ଚିଲିକାରୁ ଅନ୍ୟତମ ଆଶାୟୀ ରଘୁ ସାହୁ ବିରୋଧ କରୁଛନ୍ତି। ଯଦିଓ ବିଜେଡି ଚିଲିକାରୁ ପ୍ରାର୍ଥୀ ଘୋଷଣା କରିନି, ତେବେ ପାଟ୍ଟଶାଣୀଙ୍କୁ ଟିକେଟ୍ ମିଳିବା ସମ୍ଭାବନା କମ୍ ଥିବାରୁ ସେ ଦଳ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ଜ୍ବାଇଁ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି।  ଭୁବନେଶ୍ବର ଉତ୍ତର ଆସନରୁ ସେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ଟିକେଟ୍ ନମିଳିବାକୁ ନେଇ ଅସନ୍ତୋଷରୁ ଦଳ ଛାଡିଥିଲେ ପ୍ରିୟଦର୍ଶୀ । ଏବେ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ବିଜେଡି ଛାଡି ବିଜେପିକୁ ଯିବା ନେଇ ଚର୍ଚ୍ଚା ହେଉଛି।

ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପ୍ରସନ୍ନ ପାଟ୍ଟଶାଣୀ ଦିଲ୍ଲୀରେ ବିଜେପିରେ ସାମିଲ ହୋଇପାରନ୍ତି । ତେବେ ଏନେଇ ଉଭୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

Leave A Reply

Your email address will not be published.