Latest Odisha News

BREAKING NEWS

ଦଳରୁ ସୌମ୍ୟ ରଞ୍ଜନ ବିଦା ହେବେ, ଏହି ଶବ୍ଦ ବ୍ୟବହାର କରି ବିଜେଡି କରିବ ବହିଷ୍କାର!

ଭୁବନେଶ୍ୱର: ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କେଉଁ ଆଧାରରେ ଦଳ ନିଲମ୍ବନ ବା ବହିଷ୍କାର କରିବ ସେ ନେଇ ବାଟ ପାଇଯାଇଛି। ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଏହି ବିଧାୟକଙ୍କୁ ବହିଷ୍କାର କରିବା ନେଇ ଦଳ ଏକ ପ୍ରକାର ପ୍ରସ୍ତୁତ ହୋଇସାରିଛି। ଅପେକ୍ଷା କେବଳ ଶୀର୍ଷ କ୍ଷମତା  କେନ୍ଦ୍ରର ଆଦେଶକୁ।

ସୌମ୍ୟ ରଞ୍ଜନ ପଟ୍ଟନାୟକ ଜଣେ ରାଜନେତା ସହିତ ବରିଷ୍ଠ ସାମ୍ବାଦିକ। ତାଙ୍କ ମାଲିକାନାରେ ଉଭୟ ପ୍ରିଣ୍ଟ, ଟିଭି ଓ ଡିଜିଟାଲ ମିଡିଆ ରହିଛି। ଦଳରେ ଥାଇ ସେ ଯେଉଁ ଆଲେଖ୍ୟ ଲେଖିଛନ୍ତି ତାହା ଦଳକୁ ଯେତିକି ଅଡୁଆରେ ପକାଉନି ବରଂ ଦଳର କୋଟେରୀକୁ ଘାଇଲା କରୁଛି। ଏପରି ସ୍ଥିତିରେ ତାଙ୍କୁ ବହିଷ୍କାର କରିବା ପୂର୍ବରୁ ଦଳ ସପ୍ତାହେ କସରତ କରିଛି। ଆଉ ସମ୍ପାଦକୀୟ ପ୍ରକାଶ ପାଇବାର ଦୁଇ ସପ୍ତାହ ପରେ କିଛି ନେତାଙ୍କୁ ମିଡିଆରେ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଶବ୍ଦ ବ୍ୟବହାର କରି ବୟାନବାଜି କରିବାକୁ ଦଳ ପକ୍ଷରୁ କୁହାଯାଇଥିବା ସୂଚନା ରହିଛି।

ଆଉ ଏହି ଶବ୍ଦ ହେଉଛି ବ୍ଲାକମେଲିଂ। ଗୁରୁବାର ନୟାଗଡ ବିଧାୟକ ଓ ଶୁକ୍ରବାର ମହାକାଳପଡା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ ନିଜ ନିଜର ବ୍ୟକ୍ତିଗତ ମତ କହି ସୌମ୍ୟ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ଯାହାକୁ ସୌମ୍ୟ ପଟ୍ଟନାୟକ କହିଛନ୍ତି, ଦୁଇ ନେତା ନିଜର ବ୍ୟକ୍ତିଗତ ମତ ଦେଇ ନାହାନ୍ତି ବରଂ ଚାପରେ ପଡି ଉପର ଆଦେଶକୁ ମାନୁଛନ୍ତି। ନହେଲେ ତାଙ୍କ ପେଟପାଟଣା ଉପରେ ପ୍ରଭାବ ପଡ଼ିପାରେ। ଆଉ ଦୁଇ ନେତା ସୌମ୍ୟଙ୍କ ବିରୋଧରେ ଯେଉଁ ବୟାନ ଦେଇଛନ୍ତି ସେଥିରେ ବ୍ଲାକମେଲିଂ ନାମକ ଶବ୍ଦ ଉଭୟ ବ୍ୟବହାର କରିଛନ୍ତି। ତେଣୁ ଏହି ଶବ୍ଦ ବ୍ୟବହାର କରି ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କାର କରିପାରନ୍ତି।

ଯଦି ସୌମ୍ୟ ପଟ୍ଟନାୟକ ଦଳରୁ ବିଦା ହୁଅନ୍ତି ତାହେଲେ ଚଳିତ ସରକାରରେ ସେ ଶାସକ ଦଳର ତୃତୀୟ ବିଧାୟକ ହେବେ। ଏହା ପୂର୍ବରୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବିଦା ହୋଇଛନ୍ତି।

ଉଲ୍ଲେଖଯୋଗ୍ଯ, ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଜନ ବିରୋଧୀ ବୋଲି କହି ବହିଷ୍କାର କରିଛି। ସେହିପରି ପ୍ୟାରୀମୋହନ ମହାପାତ୍ରଙ୍କୁ ଦଳର ସୁପ୍ରିମୋ ବେଆଇମାନ କହି ବହିଷ୍କାର କରିଥିଲେ।

Comments are closed.