Latest Odisha News

BREAKING NEWS

ଅରୁଣ ଓ ଅତନୁଙ୍କୁ ସୌମ୍ୟ କାହିଁକି କହିଲେ ବ୍ଲାକମେଲିଂ ଶବ୍ଦର ପ୍ରକୃତ ଅର୍ଥ ଜାଣିନାହାନ୍ତି?

ଭୁବନେଶ୍ୱର: ଶାସକ ଦଳ ବିଜେଡିର ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଦଳକୁ ବ୍ଲାକମେଲିଂ କରୁଛନ୍ତି। ଜଣେ ବିଧାୟକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଏବେର ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ। ଯାହାର ଜବାବ ଦେବାକୁ ଯାଇ ସୌମ୍ୟ କହିଛନ୍ତି, ତାଙ୍କ ସହଯୋଗୀଙ୍କ ପାଖରେ ଶବ୍ଦର ଘୋର ଅଭାବ ରହିଛି। ସେମାନେ ଯେଉଁ ଶବ୍ଦ ବ୍ୟବହାର କୁରଛନ୍ତି ତାଙ୍କୁ ସେ ଠିକସେ ଜାଣି ନାହାନ୍ତି।

ବ୍ଲାକମେଲିଂ ହେଉଛି କାହା ବିଷୟରେ ଲଜ୍ଜାଜନକ କିମ୍ବା ଆପତ୍ତିଜନକ ତଥ୍ୟ ପ୍ରକାଶ କରିବାକୁ ଧମକ ଦେବା, ଯେପର୍ଯ୍ୟନ୍ତ ସେମାନେ ଆପଣ ଚାହୁଁଥିବା କିଛି କାମ ନକରନ୍ତି। ସୂଚନାଟି ସତ କିମ୍ବା ମିଛ ହୋଇପାରେ, କିନ୍ତୁ ଏହା ସାଧାରଣତଃ ଏପରି ଏକ ଜିନିଷ ଯାହା ବ୍ୟକ୍ତି ଜଣକ ସାର୍ବଜନୀନ କରିବାକୁ ଚାହିଁବେ ନାହିଁ। ଏହା ହେଉଛି ବ୍ଲାକମେଲିଂ ସଂଜ୍ଞା।

ଆଜି ମହାକାଳପଡ଼ା ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ କହିଛନ୍ତି ଯେ ଖଣ୍ଡପଡ଼ା ବିଧାୟକ ଦଳ ବିରୋଧୀ ବୟାନ ଦେଉଛନ୍ତି। ସୌମ୍ୟବାବୁ କ’ଣ ଓ କେତେ ଦଳ ଅଦଳବଦଳ କରିଛନ୍ତି ଏବଂ ଆଗାମୀ ଦିନରେ ଆମେ କେଉଁଠିକୁ ଯିବୁ ତାହା ମୋ ଠାରୁ ଭଲ ଭାବେ ସାମ୍ବାଦିକମାନେ ଜାଣିଛନ୍ତି ବୋଲି ମନ୍ତ୍ରୀ ନାୟକ କହିଛନ୍ତି।

ସେ ଦଳ ଭିତରେ ରହି ବ୍ଲାକମେଲିଂ କରୁଛନ୍ତି। ହେଲେ ସେ କେବେ ବି ନିଜ ଲକ୍ଷ୍ୟ ହାସଲ କରିପାରିନଥିଲେ। ବିଗତ ଦିନରେ ସେ ଦଳକୁ ବ୍ଲାକମେଲିଂ କରିବାକୁ ଉଦ୍ୟମ କରିଥିଲେ। ଆଉ ଆଜି ବି ସେ ‘ବ୍ଲାକମେଲ’କୁ ନିଜର ଅସ୍ତ୍ର ଭାବେ ଦଳ ବିରୋଧରେ ବ୍ୟବହାର କରୁଛନ୍ତି। ତାଙ୍କ କାର୍ଯ୍ୟକଳାପ ଦଳକୁ ପ୍ରଭାବିତ କରିବ ନାହିଁ କାରଣ ଲୋକମାନେ ସୌମ୍ୟବାବୁଙ୍କୁ ଭଲ ଭାବରେ ଜାଣନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଗସ୍ତ କରାଯାଇ ଲୋକଙ୍କ ଅଭିଯୋଗ ସଂଗ୍ରହ କରାଯିବା ସହ ସେଗୁଡ଼ିକର ସମାଧାନ ମଧ୍ୟ କରାଯାଇଛି। ଏଥିରେ କ’ଣ ଭୁଲ୍ ଅଛି? ଏହା ସୌମ୍ୟବାବୁଙ୍କୁ କ’ଣ ଅସୁବିଧାରେ ପକାଇଲା ବୋଲି ଅତନୁ ନାୟକ ପ୍ରଶ୍ନ କରିଛନ୍ତି।

ସେ ତାଙ୍କ ଖବରକାଗଜ ସମ୍ପାଦକୀୟରେ ଯାହା ଲେଖୁଛନ୍ତି ଓ କହୁଛନ୍ତି ତାହାକୁ ଆମେ କଦାପି ଗ୍ରହଣ କରିବୁ ନାହିଁ। ଦଳର ଜଣେ ସାଧାରଣ କର୍ମୀ ଭାବେ ମୁଁ କହିବି ଯେ ସେ ଦଳକୁ ବ୍ଲାକମେଲିଂ କରିବା ଆଦୌ ଗ୍ରହଣୀୟ ନୁହେଁ।

ଏହାପୂର୍ବରୁ ଗୁରୁବାର ଅରୁଣ ସାହୁ ସୌମ୍ୟ ପଟ୍ଟନାୟକଙ୍କୁ ସମାଲୋଚନା କରି କହିଥିଲେ ଯେ, ଗତ କିଛି ମାସ ହେଲା ସେ ଦିଗହରା ହୋଇପଡ଼ିଛନ୍ତି ଏବଂ ମନ୍ତ୍ରୀ ପଦ ପାଇବାରେ ବିଫଳ ହେବା ପରେ ସେ ବିଜେଡି ବିରୋଧରେ ଏସବୁ କଥା କହୁଛନ୍ତି।

ନୟାଗଡ଼ ବିଧାୟକଙ୍କ ଉପରେ ପାଲଟା ଆକ୍ରମଣ କରି ସୌମ୍ୟ ପଟ୍ଟନାୟକ କହିଛନ୍ତି, ମୁଁ ମୋ ସମ୍ପାଦକୀୟରେ ‘ଆତ୍ମବିଭୋର ପ୍ରଶାସକ ଓ ‘ଅସହାୟ ରାଜେନେତା’ ଲେଖିଥିଲି। ଏବେ ଏହି ସମ୍ପାଦକୀୟ ଲେଖିବାର ୧୫ ଦିନ ପରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ନୟାଗଡ଼ ବିଧାୟକ ମୋ ଲେଖା ଉପରେ ପ୍ରତିକ୍ରିୟା ଦେଉଛନ୍ତି। ଯାହା ପ୍ରମାଣିତ କରୁଛି ସେ ଏତେ ବିଳମ୍ବରେ କାହିଁକି ମତ ରଖିଲେ। ଅରୁଣବାବୁଙ୍କ ସମଗ୍ର ମନ୍ୟବ୍ୟ ଜଣେ ଅସହାୟ ରାଜନେତାର ପ୍ରମାଣ ପ୍ରଦାନ କରିଛି।

ବିଜେଡି ନେତାଙ୍କ କହିବା କଥା ଯେ ସୌମ୍ୟ ବାବୁ ଜଣେ ସ୍ବାର୍ଥପର ବ୍ୟକ୍ତି। ସେ ମନ୍ତ୍ରୀ ହେବାକୁ ଚାହୁଁଥିଲେ। ହେଲେ ଏହି ସ୍ବପ୍ନ ଧୂଳିସାତ ହେବାରୁ ସେ ବ୍ଲାକମେଲିଂ କରୁଛନ୍ତି। କିନ୍ତୁ ଏହି ଅଭିଯୋଗକୁ ସୌମ୍ୟ ପଟ୍ଟନାୟକ ଖାରଜ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ତାଙ୍କ ବିରୋଧରେ ମତ ରଖୁଛନ୍ତି ବ୍ୟକ୍ତିଗତ ମତ ବୋଲି କହୁଛନ୍ତି। ଏପରି ସ୍ଥିତିରେ ସେ କେବେ ମନ୍ତ୍ରୀ ପଦ ପାଇଁ ନିବେଦନ କରିଥିଲେ ତାହାର ପ୍ରମାଣ ମାଗିଛନ୍ତି। ଛାତିରେ ହାତ ରଖି ଜଗନ୍ନାଥଙ୍କୁ ସ୍ମରଣ କରି ତାଙ୍କ ବିରୋଧରେ ଯେଉଁସବୁ ବୟାନବାଜି କରୁଛନ୍ତି ତାର ଆତ୍ମସମୀକ୍ଷା କରିବା ଆବଶ୍ୟକ। ଲାଗୁଛି ଅନ୍ୟ ଜଣେ ତାର କଥା କହିବାକୁ ଏମାନଙ୍କୁ କହିବାକୁ ବାଧ୍ୟ କରୁଛନ୍ତି। ନହେଲେ କିଏ ମନ୍ତ୍ରୀ ପଦ ହରାଇପାରେ ତ ଆଉ କିଏ ମନ୍ତ୍ରୀ ପଦ ହରାଇ ଗୁରୁତ୍ୱ ବହନ କରୁନଥିବାରୁ ଆଗାମୀ ଦିନରେ ଗୁରୁତ୍ୱ ବଢାଇବାକୁ ଏଭଳି ବୟାନ ଚାପରେ କହୁଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେଡିର ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଶାସକ ଦଳ ଓ ୫-ଟି ସଚିବଙ୍କୁ ନେଇ ସଭାସମିତିରେ ଓ ନିଜ ଲେଖାରେ କଟାକ୍ଷ କରୁଛନ୍ତି।

Leave A Reply

Your email address will not be published.